ମଧ୍ୟପ୍ରଦେଶର, ୨୩।୨: ମଧ୍ୟପ୍ରଦେଶର ଜବଲପୁର-ଭୋପାଳ ଜାତୀୟ ରାଜପଥ ୪୫ରେ ଏକ ବଡ଼ ଅଘଟଣ ଘଟିଛି । ଶାହପୁରା ନିକଟରେ ନିର୍ମିତ ଏକ ରେଲୱେ ଓଭରବ୍ରିଜ୍ର ଏକ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି । ସୌଭାଗ୍ୟବଶତଃ, ଦୁର୍ଘଟଣା ସମୟରେ ବ୍ରିଜ୍ ତଳେ କୌଣସି ଗାଡ଼ି ମଟର ନଥିବାରୁ ଏକ ବଡ଼ ବିପତ୍ତିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ବ୍ରିଜ୍ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିବା ପରେ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଆଶ୍ଚର୍ଯ୍ୟର କଥା ଯେ, ପ୍ରାୟ ୩୯୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ୍ ମାତ୍ର ୪ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୨ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।
ଏହା ବି ପଢ଼ନ୍ତୁ... ଦିଲ୍ଲୀରେ ପୁଣି ବୋମା ଆତଙ୍କ: ଦୁଇ ପ୍ରତିଷ୍ଠିତ ସ୍କୁଲକୁ ଉଡ଼ାଇ ଦେବାକୁ ଧମକ, ଥରୁଛି ରାଜଧାନୀ !
ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରେ ମଧ୍ୟ ଏହି ବ୍ରିଜ୍ର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ପ୍ରବଳ ବର୍ଷା ଯୋଗୁଁ ୩ ମାସ ପୂର୍ବେ ପୋଲର ଏକ ଅଂଶ ଦବି ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ସେହି ସମୟରେ ମାର୍ଗରେ 'ୱାନ୍-ୱେ' ବ୍ୟବସ୍ଥା ଲାଗୁ କରାଯାଇଥିଲା । ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନର ନିକଟବର୍ତ୍ତୀ ଅନ୍ୟ ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ପ୍ରାଥମିକ ଆକଳନ ଅନୁଯାୟୀ, ପୋଲର ଏହି ନିର୍ଦ୍ଦିଷ୍ଟ ଅଂଶରେ କେବଳ ମାଟି ଭରାଯାଇ ଅସ୍ଥାୟୀ ମରାମତି କରାଯାଇଥିଲା । 'ୱାନ୍-ୱେ' ଟ୍ରାଫିକ ଯୋଗୁଁ ଗୋଟିଏ ପାର୍ଶ୍ଵରେ ଗାଡ଼ି ମଟରର ଅତ୍ୟଧିକ ଚାପ ବୃଦ୍ଧି ପାଇଲା, ଫଳରେ ସେହି ଭାଗଟି ସମ୍ପୂର୍ଣ୍ଣ ଧସିଗଲା ।
ନିର୍ମାଣ କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ:
ଏହି ଓଭରବ୍ରି ନିର୍ମାଣ କାର୍ଯ୍ୟ ‘ବାଙ୍ଗଡ଼ କମ୍ପାନୀ’ ଦ୍ୱାରା କରାଯାଇଥିଲା । ୨୦୧୮ରୁ କାମ ଆରମ୍ଭ ହୋଇ ୨୦୨୨ରେ ଶେଷ ହୋଇଥିବା ଏହି ବ୍ରିଜ୍ ଏତେ ଶୀଘ୍ର କିଭଳି ଭାଙ୍ଗିଲା, ତାହାକୁ ନେଇ ସ୍ଥାନୀୟ ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି । ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା । ଦୁର୍ଘଟଣା ପରେ ରାଜପଥରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ଟ୍ରାଫିକକୁ ଶାହପୁରା ସହର ମଧ୍ୟ ଦେଇ ପଠାଯାଉଛି, ଯାହା ଫଳରେ ସହର ଭିତରେ ଗାଡ଼ିର ଲମ୍ବା ଲାଇନ୍ ଲାଗି ରହିଛି । ଏଠି ବଡ଼ ପ୍ରଶ୍ନ ଉଠୁଛି ମଧ୍ୟପ୍ରଦେଶ ରୋଡ୍ ଡେଭଲପମେଣ୍ଟ କର୍ପୋରେସନ୍ ଏବଂ PWD ବିଭାଗର ତଦାରଖ ସତ୍ତ୍ୱେ କୋଟି କୋଟି ଟଙ୍କାର ବ୍ରିଜ୍ କିଭଳି ଦୁଇ ବର୍ଷରେ ଦୁଇ ଦୁଇ ଥର ଭାଙ୍ଗୁଛି ? ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ କି ?