ନୂଆଦିଲ୍ଲୀ, ୨୩।୨: ରାଜଧାନୀ ଦିଲ୍ଲୀରେ ଥମୁନାହିଁ ବୋମା ଆତଙ୍କ । ସୋମବାର ସକାଳେ ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ସ୍କୁଲକୁ ବୋମାରେ ଉଡ଼ାଇଦେବା ପାଇଁ ଇମେଲ୍ ଜରିଆରେ ଧମକ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ସୁରକ୍ଷା ସଂସ୍ଥା ଏବଂ ଅଭିଭାବକମାନଙ୍କ ମଧ୍ୟରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି । ଧୌଲାକୁଆଁ ସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲ (APS) ଏବଂ ଲୋଧି ରୋଡ୍ ସ୍ଥିତ ଏୟାର ଫୋର୍ସ ବାଲ୍ ଭାରତୀ ସ୍କୁଲକୁ ଇମେଲରେ ଧମକ ମିଳିଛି । ସ୍କୁଲ ପ୍ରଶାସନକୁ ଏକ ଅଜ୍ଞାତ ଇମେଲ୍ ମିଳିଥିଲା, ଯେଉଁଥିରେ ପରିସର ମଧ୍ୟରେ ବିସ୍ଫୋରକ ଥିବା ଦାବି କରାଯାଇଥିଲା ।
ଏହା ବି ପଢ଼ନ୍ତୁ... ହୋଲି ଭେଟି: ଗରିବ ପରିବାରକୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କିଏ ଓ କିପରି ପାଇବେ ଏହି ସୁବିଧା ?
ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ (BDS), ଡଗ୍ ସ୍କ୍ୱାଡ୍ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପିଲାମାନଙ୍କୁ ପରିସରରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଛନ୍ତି । ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସମଗ୍ର ସ୍କୁଲ ପରିସରକୁ କର୍ଡନ କରାଯାଇ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ । "ଆମେ ଇମେଲର ସୋର୍ସ ଯାଞ୍ଚ କରୁଛୁ । ଭୟଭୀତ ହେବାର କୌଣସି କାରଣ ନାହିଁ, କିନ୍ତୁ ସୁରକ୍ଷା ବ୍ୟବସ୍ଥା ସହ ଆମେ କୌଣସି ସାଲିସ୍ କରିବୁ ନାହିଁ ।" ବୋଲି ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ଧମକପୂର୍ଣ୍ଣ ଇମେଲ୍ କେଉଁଠାରୁ ଏବଂ କିଏ ପଠାଇଛି, ତାହା ଖୋଜି ବାହାର କରିବା ପାଇଁ ସାଇବର ସେଲ୍ର ସହାୟତା ନିଆଯାଉଛି । ଗତ କିଛି ମାସ ମଧ୍ୟରେ ଦିଲ୍ଲୀର ଅନେକ ସ୍କୁଲକୁ ଏଭଳି ମିଥ୍ୟା ଧମକ ମିଳିଥିବା ନଜରକୁ ଆସିଛି, ଯାହା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । କେବଳ ଦିଲ୍ଲୀ ନୁହେଁ, ବରଂ ନୋଏଡା ଭଳି ପ୍ରମୁଖ ସହରର ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଇ-ମେଲ୍ ଯୋଗେ ଉଡ଼ାଇ ଦେବାକୁ ଧମକ ମିଳିଛି ।
ସ୍କୁଲରୁ କୋର୍ଟ ପର୍ଯ୍ୟନ୍ତ ସବୁଠି ଭୟ:
ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଦେଶର ବିଭିନ୍ନ ପ୍ରତିଷ୍ଠିତ ସ୍କୁଲ, ଅଦାଲତ ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ଏହିଭଳି ଧମକପୂର୍ଣ୍ଣ ମେଲ୍ ଆସୁଛି । ଯଦିଓ ବିଶେଷଜ୍ଞମାନେ ଏହାକୁ ଏକ ଗୁଜବ ବୋଲି କହୁଛନ୍ତି, ତଥାପି ପୁଲିସ ଏବଂ ସୁରକ୍ଷା ସଂସ୍ଥା ଏହାକୁ ହାଲୁକା ଭାବେ ନେଉନାହାନ୍ତି । ପ୍ରତିଟି ଧମକକୁ ଗମ୍ଭୀରତାର ସହ ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ପୁଲିସର ଅପିଲ୍: ଗୁଜବଠାରୁ ଦୂରେଇ ରୁହନ୍ତୁ
ଦିଲ୍ଲୀ ପୁଲିସ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ କୌଣସି ପ୍ରକାରର ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚନ୍ତୁ ନାହିଁ । ଦୋଷୀଙ୍କୁ ଚିହ୍ନଟ କରାଯାଉଛି ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆପଣ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା କାର୍ଯ୍ୟକଳାପ ଦେଖୁଛନ୍ତି, ତେବେ ତୁରନ୍ତ ସ୍ଥାନୀୟ ପୁଲିସକୁ ସୂଚନା ଦିଅନ୍ତୁ ।