ନୂଆଦିଲ୍ଲୀ,୧୪/୦୭: ଯାତ୍ରୀ ସୁବିଧାକୁ ନଜରରେ ରଖି ରେଲୱେ ଏହାର ସମସ୍ତ ୭୪  ହଜାର କୋଚ୍‌ରେ ସିସିଟିଭି କ୍ୟାମେରା ଲଗାଇବ । ଏହା ସହ ୧୫ ହଜାର ଇଞ୍ଜିନରେ ମଧ୍ୟ ଏଭଳି କ୍ୟାମେରା ଲଗାଯିବ । ଏହା ଦ୍ୱାରା ଯାତ୍ରୀ ନିରାପତ୍ତାକୁ  ଆହୁରି ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି ରେଲୱେ ।  

ଟ୍ରେନରେ ବିଭିନ୍ନ ସମୟରେ ଅସାମାଜିକ ଲୋକଙ୍କ ଦ୍ୱାରା ଯାତ୍ରୀମାନେ ଚୋରୀ ସହ ବିଭିନ୍ନ ସମସ୍ୟା ସାମ୍ନା କରିଥାନ୍ତି । ମାତ୍ର ଆଗକୁ ସିସିଟିଭି କ୍ୟାମେରା ଦ୍ୱାରା ଏଭଳି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସିସିଟିଭି କ୍ୟାମେରାଗୁଡ଼ିକ  ଯାତ୍ରୀ ଚଳାଚଳ ସ୍ଥାନ କବାଟ ପାଖରେ ଲଗାଯିବ । 

ଟ୍ରେନ କୋଚ୍‌ ଏବଂ ଇଞ୍ଜିନରେ ସିସିଟିଭି  ଲଗାଇବା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ରେଳ  ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ । ଏହି ଅବସରରେ ରେଳ ବୋର୍ଡର  ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ନର୍ଦନ  ରେଲୱେରେ ଉଭୟ କୋଚ୍‌ ଏବଂ ରେଳ ଇଞ୍ଜିନରେ  ସିସିଟିଭିର ପରୀକ୍ଷଣ ଭିତିରେ କାର୍ଯ୍ୟକାରୀ ସଫଳ  ହୋଇଛି । ଏହା ପରେ ସମସ୍ତ ୭୪ ହଜାର କୋଚ୍‌  ଏବଂ ୧୫ ହଜାର ଇଞ୍ଜିନରେ ସିସି ଟିଭି ଲଗାଇବାକୁ  ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମଞ୍ଜୁରୀ ଦେଇଛନ୍ତି । 

ପ୍ରତି କୋଚ୍‌ରେ ୪ ଗମ୍ଭୁଜ ଆକୃତିର ସିସି  ଟିଭି ଲାଗିବ । ପ୍ରତି ପ୍ରବେଶ ପଥ ପଟେ ୨ଟି  ଲେଖାଏ ଏଭଳି ସିଷ୍ଟମ ଲାଗିବ । ସେହିଭଳି  ଲୋକୋମୋଟିଭରେ ୬ଟି ସିସି ଟିଭି ଲାଗିବ ।  ଏହାର ସ୍ଥିତି ସାମ୍ନା, ପଛ-ଭାଗ ଏବଂ ଇଞ୍ଜିନର  ଉଭୟ ପାଶ୍ୱର୍ରେ ଲାଗିବ । ଇଞ୍ଜିନରେ ଲୋକୋ  ପାଇଲଟଙ୍କ ପ୍ରତି କ୍ୟାବିନରେ ଗୋଟିଏ ଲେଖାଏ  ସିସିଟିଭି ଲାଗିବ । ସେହିଭଳି ୨ ଡିସ୍କ ମାଉଣ୍ଡେଡ୍‌  ମାଇକ୍ରୋଫୋନ ମଧ୍ୟ ଲଗାଯିବ । 

ସିସିଟିଭି କ୍ୟାମେରା ଗୁଡ଼ିକ ଏସ୍‌ଟିକ୍ୟୁସି  ସାର୍ଟିଫାଏଡ ଏବଂ ସଦ୍ୟତମ ଟେକ୍ନୋଲୋଜି ବିଶିଷ୍ଟ  ହେବ । ଏହା ୧୦୦ କିମି ପ୍ରତିଘଣ୍ଟାରୁ ଅଧିକ ସ୍ପିଡ ଏବଂ କମ୍‌ ଆଲୁଅରେ ମଧ୍ୟ ଭଲ ଫଟୋ ନେବାକୁ  ସହାୟକ ହେବ । ରେଳ ଯାତ୍ରୀଙ୍କ ପ୍ରିଭେସୀକୁ  ନଜରରେ ରଖି ଡୋର୍‌ ନିକଟରେ ଥିବା କମନ  ଏରିଆରେ କ୍ୟାମେରା ଲଗାଇବ । ସିସିଟିଭି ଗୁଡ଼ିକର  ଫୁଟେଜ୍‌ର ଗୁଣବତ୍ତା ଏବଂ ଡାଟା ନିରାପତ୍ତା କ୍ଷେତ୍ରରେ  କୌଣସି ସାମିଲ କରାଯିବ ନାହିଁ । 

ରେଲୱେ ଇଣ୍ଡିଆ ଏଆଇ ମିଶନ ସହ ମିଳିତ  ହୋଇ ଏ କ୍ଷେତ୍ରରେ କାମ କରିବ । ସିସିଟିଭି  ଡାଟା ଉପରେ ଏଆଇ ମଧ୍ୟ ବ୍ୟବହାର କରାଯିବ । ଏହା ଦ୍ୱାରା ସଂନ୍ଦିଗ୍ଧ ଗତିବିଧିକୁ ମାପିବା ସହ  ନିରାକରଣରେ ଏହା ସହାୟକ ହେବ । ଏ କ୍ଷେତ୍ରରେ  ବିଶ୍ୱ ସ୍ତରୀୟ ଟେକ୍ନୋଲୋଜି ବ୍ୟବହାର କରିବାକୁ ରେଳ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଭାରତୀୟ ରେଳର  ଆଧୁନିକିକରଣ ସୁରକ୍ଷିତ ଏବଂ ଉଚ୍ଚ ଆକାଂକ୍ଷୀ  ରେଳ ଯାତ୍ରୀଙ୍କ ନଜରରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ  କରାଯାଇଛି ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ ।