ଭୁବନେଶ୍ୱର, ୦୩/୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଗଞ୍ଜାମ, ଗଜପତି, କୋରାପୁଟ ଏବଂ ରାୟଗଡ଼ାର ଏକାଧିକ ସ୍ଥାନରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ମାରଲବା ପଞ୍ଚୟତ ଅନ୍ତର୍ଗତ ପେକଟ ଗାଁରେ ପାହାଡ଼ ଧସିଛି । ମାଟି ଅତଡ଼ା ଖସିବା ଯୋଗୁ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି । ନିଖୋଜ ବ୍ୟକ୍ତ ହେଲେ କାର୍ତ୍ତିକ ଶବର, ରାଜୀବ ଶବର । ଉଭୟ ମାଟି ଅତଡ଼ା ତଳେ ଚାପିହୋଇ ରହିଥିବା ସନ୍ଦେହ କରାଯାଉଛି । ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେଉଥିବା ସମୟରେ ଏଭଳି ଅଘଟଣ ଘଟିଛି ।
ସେପଟେ ପ୍ରବଳ ବର୍ଷାରେ ଗୁଣୁପୁରରେ ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି । ବିପଦ ସଂକେତ ନିକଟତର ହେଉଛି ବଂଶଧାରା ନଦୀର ବନ୍ୟାଜଳ । ଶୁକ୍ରବାର ସକାଳ ୬ଟାରେ ଗୁଣୁପୁରରେ ବିପଦ ସଂକେତ ୮୪ ମିଟର ରହିଥିବା ବେଳେ ୮୩.୮୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ଗଞ୍ଜାମ ଜିଲ୍ଲା ଆସିକାରେ ମଧ୍ୟ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଫଳରେ ଋଷିକୂଲ୍ୟା ଓ ବଡ଼ନଦୀର ଜଳସ୍ତର ବଢିବାରେ ଲଗିଛି l ନଦୀରେ ପାଖାପାଖି ୮ ଫୁଟ ଉଚ୍ଚରେ ପାଣି ଚାଲିଛି l ଶୁକ୍ରବାର ଯଦି ପୁଣି ଲଗାଣ ବର୍ଷା ହୁଏ, ତାହେଲେ ବନ୍ୟା ହେବାର ଆଶଙ୍କା କରାଯାଉଛି l ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ କରାଯିବା ସହ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l
ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲା ମୋହନା ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ହରଭଙ୍ଗା ନଦୀ ଉପରେ ଥିବା ଲେଡବନ୍ଧ ପୋଲ ଭାଙ୍ଗି ଯାଇଛି । ଯାହା ଫଳରେ ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଛି । ଲଗାଣ ବର୍ଷାରେ ନଦୀରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବନ୍ଧାଗୁଡା ଗାଁର ଲକ୍ଷ୍ମଣ ମଲ୍ଲିକ ଗୁରୁବାର ଗାଈ ଚରାଇବାକୁ ଯାଇ ନଦୀ ସ୍ରୋତରେ ଭାସି ନିଖୋଜ ହୋଇଥିଲେ। ଦୀର୍ଘ ସମୟ ଧରି ଖୋଜିବା ପରେ ଲକ୍ଷ୍ମଣ ମଲ୍ଲିକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।