ନୂଆଦିଲ୍ଲୀ: ଦିଲ୍ଲୀର ରାଜା ଗାର୍ଡେନ୍ ଅଞ୍ଚଳରେ ଥିବା ଏକ ଇଲେକ୍ଟ୍ରୋନିକ୍ ସୋରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଦୁର୍ଘଟଣା ସମୟରେ ଗ୍ରାଉଣ୍ଡରେ ଉପସ୍ଥିତ ଥିବା ଲୋକ ମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି, ହେଲେ ଉପର ମହଲାରେ ଫସି ରହିଥିବା ପାଞ୍ଚ ଜଣ ଲୋକ ନିଆଁରେ ପୋଡ଼ି ଯାଇଥିଲେ। ଅଗ୍ନିଶମ ଅଧିକାରୀ ସମସ୍ତଙ୍କୁ ବାହାର କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୩ଟା ସମୟରେ ଶୋରୁମ୍ରେ ନିଆଁ ଲାଗିଥିଲା। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ, ମୋତି ନଗର ଏସ୍ଏଚ୍ଓ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପ୍ରାରମ୍ଭରେ ଲୋକମାନେ ଏହାକୁ ଏକ ଛୋଟ ଅଗ୍ନିକାଣ୍ଡ ବୋଲି ଭାବିଥିଲେ, କିନ୍ତୁ ଆଖି ପିଛୁଳାକେ ନିଆଁ ଭୟଙ୍କର ରୂପ ନେଇଥିଲା। ଅପରାହ୍ନ ୪.୧୦ ରେ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଥିଲା।