ପୁରୀ,୨୨/୦୬: ଶ୍ରୀମନ୍ଦିରରେ ଜାରି ରହିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ଅଣସର  ଉପଚାର । ୧୧ ଦିନର ନିରବଚ୍ଛିନ୍ନ ସେବା  ପରେ । ଶନିବାର ଖଳିଲାଗି ଏକାଦଶୀରେ ଏଭଳି ଶୁଭ ସୂଚନା ମିଳିଛି ଶ୍ରୀମନ୍ଦିରରୁ । ଦଶମୂଳ ମହୌଷଧି  ଅର୍ପଣ ପରେ ମହାପ୍ରଭୁ ପୂରା ସୁସ୍ଥ । ଆଜି ଦ୍ୱାଦଶୀ ତିଥିରେ ଅନବସରରେ ବିଜେ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଶ୍ରୀନହରରେ ପହଞ୍ଚିବ । ଘଣ୍ଟ, ଛତା ଓ କାହାଳିର  ପଟୁଆରରେ ଶ୍ରୀମନ୍ଦିରରୁ ସେବକମାନେ ଯାଇ ଶ୍ରୀନହରରେ  ପହଞ୍ଚିବେ । ହାତରେ ଥିବ ରୂପା ଥାଳି । ସେଥିରେ ଶ୍ରୀଅଙ୍ଗ ଚନ୍ଦନ,  କରାଳ ଓ ପାଟଡ଼ୋର ନେଇ ଶ୍ରୀନହରକୁ ଯାତ୍ରା କରିବେ। ଗଜପତି  ମହାରାଜ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ପାଇ ଆଶ୍ୱସ୍ଥ ହେବେ । ଶ୍ରୀମନ୍ଦିରରେ ଏହା ହେଉଛି ରାଜପ୍ରସାଦ ବିଜେ ବିଧି ନୀତି ।

ଶନିବାର ଦଶମୂଳ ମହୌଷଧି  ଅର୍ପଣ ପରେ ମହାପ୍ରଭୁ ପୂରା ସୁସ୍ଥ । ଏଣୁ ଆଗଭଳି କୋଳାହଳମୟ ହୋଇଛି  ବଡ଼ଦେଉଳ । ଶୁକ୍ଳବସ୍ତ୍ର ଛାଡ଼ି ଠାକୁରେ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରିଛନ୍ତି । ଚନ୍ଦ୍ରିକା,  ବାରଲାଗି ଖଣ୍ଡୁଆ, ରଙ୍ଗିନ ସୁବାସିତ  ପୁଷ୍ପାଦିରେ ବିଭୂଷିତ ହୋଇ ଅଣସରରେ ପ୍ରଥମ ଥର ତୁଳସୀ ଲାଗି ହୋଇଛନ୍ତି ।  ଶ୍ରୀବିଗ୍ରହ ଓ ଦଶଠାକୁରଙ୍କଠାରେ ଚନ୍ଦନଲାଗି  ନୀତି ଅନୁଷ୍ଠିତ ହୋଇଛି । ଚନ୍ଦନ ସର୍ବାଙ୍ଗ  ସମୟରେ ଘଣ୍ଟ ସହ ବାଜିଛି ବିଜେ କାହାଳୀ ।  

ଶୁକ୍ରବାର ରାତିରେ ମହାପ୍ରଭୁଙ୍କ ପହୁଡ଼  ନୀତି ଅନୁଷ୍ଠିତ ହୋଇ ନଥିଲା । ଶନିବାର ଖଳି  ଲାଗି ଏକାଦଶୀରେ ମଙ୍ଗଳ ଆଳତିରୁ ଶ୍ରୀମନ୍ଦିର ନୀତି ହୋଇଥିଲା । ଯଥାବିଧି ନୀତି ପରେ ଖଳିଲାଗି ସମୟ ଆସିଥିଲା । ଚନ୍ଦନ, କର୍ପୂର,  କସ୍ତୁରୀ ଓ କେଶର ଆଦି ସୁଗନ୍ଧିତ ଦ୍ରବ୍ୟକୁ ମିଶାଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା ।  ପତିମହାପାତ୍ରେ ଚନ୍ଦନ ସଂସ୍କାର କରିବା ପ୍ରଚଳିତ  ବିଧି ଅନୁଯାଇ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ  ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଛି ।  ମହାପ୍ରଭୁଙ୍କ ଖଳି ଲାଗି ସହ ଦଶବଅତାର  ଦିଅଁ ଓ ଶ୍ରୀବିଗ୍ରହଙ୍କ ଏକତ୍ର ସର୍ବାଙ୍ଗ ବଢ଼ିଥିଲା।  ଅଣସର ସମୟରେ ଠାକୁରେ ଅସୁସ୍ଥ ଥାଆନ୍ତି ।  ଏଣୁ ଶ୍ରୀମନ୍ଦିରରେ ଉଚ୍ଚ ଶଦ୍ଦ ମନା ଥାଏ । ଘଣ୍ଟ,  ଘଣ୍ଟି ତଥା କାହାଳୀ ଧ୍ୱନି ବାରଣ ରହିଥିଲା । ଚନ୍ଦନଲାଗି ସର୍ବାଙ୍ଗ ସମୟରେ ପ୍ରଥମ  କରି ଘଣ୍ଟ ବାଜିଛି । ପୁଣି ବାଜିଛି ବିଜେ କାହାଳୀ