ଭୁବନେଶ୍ୱର ୧୩।୪ : ରାଜଧାନୀ ହେଉଛି ରାଜ୍ୟର ମୁଖଶାଳା । ଆମ ରାଜଧାନୀର କଳା ଓ ଐତିହ୍ୟ ବେଶ ଗୌରବ ମଣ୍ଡିତ । ଏହି ଗୌରବମୟ ରାଜଧାନୀର ଶ୍ରୀବୃଦ୍ଧି କରିବା ପାଇଁ ରାଜଧାନୀ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ବାଚସ୍ପତି ସୁରମା ପାଢୀ ଯୋଗ ଦେଇ ରାଜଧାନୀବାସୀଙ୍କୁ ଆହ୍ଵାନ ଦେଇଥିଲେ । ରାଜଧାନୀ ସହ ନିଜର ଶୈଶବ ଠାରୁ ଏପର୍ଯ୍ୟନ୍ତ ଥିବା ଘନିଷ୍ଠ ସମ୍ପର୍କରେ ବାଚସ୍ପତି ନିଜର ଅନୁଭୂତି ପ୍ରଦାନ କରିଥିଲେ ।
ରାଜଧାନୀ ଭୁବନେଶ୍ୱର ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସବୁ କ୍ଷେତ୍ରରେ ଦେଶର ଯେ କୌଣସି ରାଜଧାନୀଠାରୁ ବହୁ ଉଚ୍ଚରେ ରହିଛି । ଆମ ରାଜଧାନୀର କଳା, ସଂସ୍କୃତି ଐତିହ୍ୟର ସୁରକ୍ଷା କରିବା ସହ ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢିତୋଳିବା ପାଇଁ ମେୟର ସୁଲୋଚନା ଦାସ ଭୁବନେଶ୍ୱରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ରାଜଧାନୀ ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର ) ବିଧାୟକ ସୁଶାନ୍ତ କୁମାର ରାଉତ, , ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଡେପୁଟି ମେୟର ମଞ୍ଜୁଲତା କହଁର, ଭୁବନେଶ୍ୱର-କଟକ ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ପ୍ରଦୋଷ ପ୍ରଟ୍ଟନାୟକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ବିଏମସି କମିଶନ ଶ୍ରୀ ଚଞ୍ଚଳ ରାଣା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସନତ ମିଶ୍ର, ଗୌରଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ ବାହାରି ପିଏମଜି ଛକ ଠାରେ ପହଞ୍ଚିଥିଲା । ଅଲମ୍ପିୟାନ ଦୂତୀ ଚାନ୍ଦ, ଶୁଭଙ୍କର କୁମାର, ଜିତେନ୍ଦ୍ର ଦାସ, ଅଜୟ ସିଂ ଓ ଶ୍ରୀ ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ପାଢ଼ୀ ପତାକା ଉତ୍ତୋଳନ କରି ବେସାମରିକ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ୟାରେଡ୍ରେ ମୋଟ ୫୧ଟି ଦଳ ଭାଗ ନେଇଥିଲେ । ଏଥିରେ ମହାବିଦ୍ୟାଳୟ ସ୍ତରୀୟ ପ୍ୟରେଡ୍ ପ୍ରତିଯୋଗିତାରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଥମ, ସୈନିକ ସ୍କୁଲ ଦ୍ୱିତୀୟ ଓ ରାଜଧାନୀ କଲେଜ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ହାଇସ୍କୁଲ ସ୍ତରୀୟ (ଇଂରାଜୀ ମିଡିୟମ୍) ଡିଏଭି ୟୁନିଟ୍-୮ ପ୍ରଥମ, ଡିଏଭି ପୋଖରୀପୁଟ ଓ ଡିଏଭି ଚନ୍ଦ୍ରଶେଖରପୁର ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ଓଡ଼ିଏମ୍ ପବ୍ଲିକ୍ ସ୍କୁଲ ଓ ଭେଙ୍କଟେଶ୍ୱର ଇଂରାଜୀ ମିଡ଼ିୟମ୍ ସ୍କୁଲ, ଚନ୍ଦ୍ରଶେଖରପୁର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିଭଳି ହାଇସ୍କୁଲ ସ୍ତରୀୟ (ଓଡ଼ିଆ ମିଡିୟମ୍) ସ୍ତରରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆର୍ସି ଭିଲେଜ୍ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬ ଦ୍ୱିତୀୟ ଓ କ୍ୟାପିଟାଲ୍ ହାଇସ୍କୁଲ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆର୍ସି ଭିଲେଜ୍ର ବାଳିକା ବିଭାଗ ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଛନ୍ତି । କ୍ୟାପିଟାଲ ହାଇସ୍କୁଲର ବାଳିକା ବିଭାଗ, ମହର୍ଷି କଲେଜ ଅଫ ନ୍ୟାଚୁରାଲ ଲ' ଡେୟାର୍ ଡେଭିଲ୍ସ୍, ଓଡ଼ିଶା ସ୍କେଟିଂ ଏକାଡେମୀକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ସିଆର୍ପିଏଫ୍ ବ୍ୟାଣ୍ଡ, ୭ମ ବାଟାଲିୟନ୍ ଓଏସ୍ଏପି ଓ ସୈନିକ ସ୍କୁଲ ବ୍ୟାଣ୍ଡକୁ ମଧ୍ୟ ପୁରସ୍କୃତ କରାଯିବ ।
ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ପାଢ଼ୀ ଏହି ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀରେ ଭୁବନେଶ୍ୱରର ଐତିହ୍ୟ, କଳା, ସ୍ଥାପତ୍ୟ, ରାଜନୈତିକ ପୃଷ୍ଠଭୂମି, ସାମାଜିକ ରୂପାନ୍ତରଣ, ଆଧ୍ୟାତ୍ମିକ ପରିଦୃଶ୍ୟ, ସ୍ମାର୍ଟ ସିଟି ହେବା ପର୍ଯ୍ୟନ୍ତ ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ବିକାଶ ଆଦି ଉପରେ ପର୍ଯ୍ୟବେସିତ ଫଟୋଚିତ୍ର ପ୍ରଦର୍ଶିତ ହେଉଛି । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ଅଶ୍ବିନୀ କୁମାର ଭୋଇ,ସୁଚେତା ପ୍ରିୟଦର୍ଶିନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦୁଇଦିନିଆ ପ୍ରଦର୍ଶନୀ ମଙ୍ଗଳବାର ପର୍ଯ୍ୟନ୍ତ ଦର୍ଶକଙ୍କ ନିମନ୍ତେ ଖୋଲା ରହିବ ।