ଜୟପୁର,୧୬/୧୨: ଅନୁସୂଚିତ  ଜାତି/ ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ  ସହ ଜଡ଼ିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ରାଜସ୍ଥାନ ହାଇକୋର୍ଟ । 

ଏସ୍‌ସି/ ଏସ୍‌ଟି ଆକ୍ଟରୁ ୪ ଶବ୍ଦ ହଟାଇ ଜଷ୍ଟିସ୍‌ ବୀରେନ୍ଦ୍ର  କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ଭଙ୍ଗୀ, ନୀଚ୍ଚ,  ଭିକାରୀ, ମଙ୍ଗନୀ ଭଳି ଶବ୍ଦ ଜାତିସୂଚକ ନୁହେଁ । ଏହି ମାମଲା ଜବରଦଖଲ ଉଚ୍ଛେଦ ବେଳେ ଜଣେ ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ସହ ଜଡ଼ିତ । ମାମଲା କୋର୍ଟରେ  ପହଞ୍ଚିବା ପରେ ଏହି ଶବ୍ଦ ବ୍ୟବହାର କରିଥିବା ୪ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ  କେସ୍‌ରୁ ଏସ୍‌ସି/ଏସ୍‌ଟି ଆଇନର ଧାରାକୁ  ହାଇକୋର୍ଟ ହଟାଇଦେଇଛନ୍ତି । ଏହି ଘଟଣା ୧୩ ବର୍ଷ ତଳର । 

୨୦୧୧ ଜାନୁଆରୀ  ୩୧ରେ ଜୈଶସାଲମେରର କୋତବାଲି ଥାନା  ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ବେଳେ  ଜଣେ ବାସିନ୍ଦା ଅଚଳ ସିଂ ସରକାରୀ ଅଧିକାରୀ  ହରିଶ ଚନ୍ଦ୍ରଙ୍କୁ ନୀଚ୍ଚ, ଭିକାରୀ, ଭଙ୍ଗୀ ଆଦି  କହି ଗାଳି ଦେଇଥିଲେ । ବିବାଦ ମାର୍‌ପିଟରେ  ପରିଣତ ହୋଇଥିଲା । ଏ ନେଇ ସରକାରୀ  ଅଧିକାରୀ ଜଣକ ଅଚଳଙ୍କ ବିରୋଧରେ  ଏସ୍‌ସି/ଏସ୍‌ଟି ଆଇନରେ ମାମଲା ରୁଜୁ  କରାଇଥିଲେ । ମାମଲାରେ ୪ ଜଣଙ୍କ ନାଁ  ରହିଥିଲା । ବିବାଦ ପୂର୍ବରୁ ଅଭିଯୁକ୍ତମାନେ  ସରକାରୀ ଅଧିକାରୀଙ୍କ ଜାତି ବାବଦରେ କିଛି  ବି ଜାଣି ନ ଥିଲେ ବୋଲି ଯୁକ୍ତି ରଖିଥିଲେ । ହାଇକୋର୍ଟ ଉକ୍ତ ୪ ଶବ୍ଦ ଜାତିସୂଚକ ନୁହେଁ  ବୋଲି ରାୟ ଶୁଣାଇବା ସହ ଅଭିଯୁକ୍ତଙ୍କୁ  ଏସ୍‌ସି/ଏସ୍‌ଟି ମାମଲାରୁ ମୁକ୍ତ କରିଛନ୍ତି।