ନୂଆଦିଲ୍ଲୀ,୨୦/୧୨: ରାଜସ୍ଥାନରେ ଅଘଟଣ। CNG ଭର୍ତ୍ତି ଟ୍ରକ ସହ ଅନ୍ୟ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଏକା ସହିତ ଏକାଧିକ ଗାଡିରେ ଲାଗିଲା ନିଆଁ । ଜିଅନ୍ତା ଜଳିଗଲେ ୫ଜଣ ।ଏଥିସହ ୧୫ରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତେବେ ରାଜସ୍ଥାନ ଜୟପୁରର ଭାଙ୍କରୋଟା ଅଞ୍ଚଳରେ ଏହି ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।
ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟପୁରରେ CNG ଭର୍ତ୍ତି ଏକ ଟ୍ରକ୍ ସହ ଅନ୍ୟ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଭୟଙ୍କ ବିସ୍ଫୋରଣ ହୋଇ ସେଠାରେ ଥିବା ଅନ୍ୟ ଗାଡିମାନଙ୍କରେ ନିଆଁ ଲାଗିଯାଇଥିଲା । ଏପରିକି ଏକ ଯାତ୍ରୀବାହୀ ବସରେ ମଧ୍ୟ ନିଆଁ ଲାଗିଯାଇଥିଲା । ନିଆଁ ଦେଖି କିଛି ଲୋକ ବସ୍ ଝରକା ପଟେ ବାହାରକୁ ଡେଇଁ ପଡିଥିବା ବେଳେ କିଛି ବସ୍ ମଧ୍ୟରେ ରହିଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଗୁରୁତର ହୋଇଛନ୍ତି। ସେହିପରି ଏକ କାରଖାନାରେ ମଧ୍ୟ ନିଆଁ ଲାଗିଯାଇ ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଅଜମେର ରାଜପଥରେ ଯାତାୟାତ ବନ୍ଦ ରହିଛି। ସେପଟେ ସିଭିଲ୍ ଡିଫେନ୍ସ ପୋଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁର୍ଘଟଣା ଗାଡି଼ରୁ ଲୋକଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁର୍ଘଟଣାରେ ପୀଡିତଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଡାକ୍ତରଖାନାରେ ପହଞ୍ଚିଥିବା ଜଣାପଡ଼ିଛି।