ନୂଆଦିଲ୍ଲୀ,୧୭।୫: ନିଟ୍ ୟୁଜି ପରୀକ୍ଷାରେ ହୋଇଥିବା କଥିତ ପେପର ଲିକ୍ ମାମଲାରେ ଆସ୍ତେ ଆସ୍ତେ ରହସ୍ୟ ଖୋଲିବାରେ ଲାଗିଛି। ଏହା ସହିତ ଖୁବ୍ ଚକିତ କରିଦେବା ଭଳି କଥା ମଧ୍ୟ ସାମନାକୁ ଆସୁଛି। ସିବିଆଇ ରାଡାରରେ ବର୍ତ୍ତମାନ ରାଜସ୍ଥାର ସଭାଇ ମାଧେପୁରର ଏଭଳି ଏକ ପରିବାର ରହିଛି, ଯାହାର ୫ଟି ପିଲା ଏହି ପରୀକ୍ଷାରେ ଅସାଧାରଣ ନମ୍ବର ହାସଲ କରିଛନ୍ତି। ‘ବିଭାଲ ପରିବାର’ର ନାଁରେ ଚର୍ଚ୍ଚିତ ଏହି ପରିବାରର ୩ ସଦସ୍ୟ ଦିନେଶ ବିଭାଲ, ମାଙ୍ଗିଲାଲ ବିଭାଲ ଓ ବିକାଶ ବିଭାଲଙ୍କୁ ସିବିଆଇ ପୂର୍ବରୁ ହିଁ ଗିରଫ କରିସାରିଛି।
ଯାଞ୍ଚ ବେଳେ ସାମନାକୁ ଆସିଛି ଯେ, ଏହି ପରିବାରର ଯେଉଁ ପିଲା ସ୍କୁଲ-କଲେଜର ସାଧାରଣ ପରୀକ୍ଷାରେ ବହୁ କଷ୍ଟରେ ପାସ୍ ହେଉଥିଲେ, ସେମାନେ ନିଟ୍ ଭଳି ମେଡିକାଲ ଏନଟ୍ରାନ୍ସରେ ଟପରଙ୍କ ଭଳି ନମ୍ବର ପାଇଛନ୍ତି। ସିବିଆଇ ହାତରେ ଲାଗିଥିବା ପ୍ରମାଣ ଏହା ଇଶାରା କରୁଛି ଯେ, ଏହି ସଫଳତା କୌଣସି କଠିନ ପରିଶ୍ରମର ଫଳାଫଳ ନୁହେଁ, ବଂର ପେପର ଲିକ୍ ଓ ସଲଭର ଗ୍ୟାଙ୍ଗର ସୁଚିନ୍ତିତ ଷଡ଼ଯନ୍ତ୍ରର ପରିଣାମ ଥିଲା। ଦିନେଶ ଏବଂ ମଙ୍ଗିଲାଲ ବିଭାଲଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି ଯେ ସେମାନେ କେବଳ ପ୍ରଚୁର ପରିମାଣର ଟଙ୍କା ବିନିମୟରେ ସେମାନଙ୍କ ପରିବାରର ପିଲାଙ୍କୁ ଲିକ୍ ପ୍ରଶ୍ନପତ୍ର ଯୋଗାଇ ନଥିଲେ, ବରଂ ଏକ ସମ୍ପୂର୍ଣ୍ଣ ସିଣ୍ଡିକେଟ୍ ମଧ୍ୟ ଚଲାଉଥିଲେ।
ହଷ୍ଟେଲରୁ ଗାଏବ ବିଭାଲ ପରିବାରର ପିଲା
ବିଭାଲ ପରିବାର ବିଷୟରେ ଖବର ପ୍ରକାଶ ପାଇବା ପରେ, ତଦନ୍ତ ଯୋରଦାର ଭାବରେ ଆରମ୍ଭ ହୋଇଛି। ଏହି ଖବର ପାଇବା ପରେ ବିଭାଲ ପରିବାରର ପିଲାମାନେ ଲୁଚିବା ଆରମ୍ଭ କରିଛନ୍ତି। ପରିବାରର ଅନେକ ସଦସ୍ୟ ଏବଂ ଛାତ୍ର ହଠାତ୍ ସେମାନଙ୍କ ନିଜ ନିଜ ମେଡିକାଲ କଲେଜ ଏବଂ ହଷ୍ଟେଲରୁ ଗାଏବ୍ ହୋଇଯାଇଛନ୍ତି। ଏହି ଘଟଣା ପୁଣି ଥରେ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷା ଏବଂ ପ୍ରାମାଣିକତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ରେକର୍ଡ ରହିଛି ଏହି ପରିବାରର ଛାତ୍ର ବିକାଶ ବିଭାଲଙ୍କ, ଯାହାକୁ ସିବିଆଇ ଗିରଫ କରିଥିଲା। ବିକାଶର ଦ୍ୱାଦଶ ଶ୍ରେଣୀରେ ଶିକ୍ଷାଗତ ରେକର୍ଡ ମଧ୍ୟମ ଥିଲା, ମାତ୍ର ୫୫ ପ୍ରତିଶତ ନମ୍ବର ରଖିଥିଲା। କିନ୍ତୁ ଯେତେବେଳେ ନିଟ୍ ଫଳାଫଳ ବାହାରିଲା, ସେ ହଠାତ୍ ୮୬ ପ୍ରତିଶତ ନମ୍ବର ରଖି ସୱାଇ ମାଧୋପୁରର ସରକାରୀ ମେଡିକାଲ କଲେଜରେ ସିଟ୍ ପାଇକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।
ମେଡିକାଲ କଲେଜ ଖୋଲିଲା ରାଜ୍
NEET ରେ ଅସାଧାରଣ ଭଲ ନମ୍ବର ରଖିଥିବା ବିକାଶର ଅସଲ ରୂପ ସେତେବେଳେ ଜଣାପଡ଼ିଲା ଯେତେବେଳେ ସେ ତା’ର ମେଡିକାଲ କଲେଜ ପାଠପଢ଼ା ଆରମ୍ଭ କଲା। କଲେଜ ପ୍ରିନ୍ସିପାଲଙ୍କ ଅନୁଯାୟୀ, ବିକାଶ ଜଣେ ଦୁର୍ବଳ ଛାତ୍ର ବୋଲି ଜଣାପଡିଥିଲା। କଲେଜର ଇଣ୍ଟରନାଲ ପରୀକ୍ଷାରେ ହାରାହାରି ମାତ୍ର ୩୦% ନମ୍ବର ରଖିଥିଲା। ଘଟଣା ସାମନାକୁ ଆସିବା ପରେ ନିଜ ଦାଦାଙ୍କ ଗିରଫଦାରୀ ଭୟରେ, ବିକାଶ ଜାନୁଆରୀ ମାସରୁ ବିନା ନୋଟିସରେ ମେଡିକାଲ କଲେଜରୁ ଗାଏବ ହୋଇଯାଇଥିଲା।
ଟପ୍ପର ଭାଣେଜି ପଲକ ଓ ଝିଅ ପ୍ରଗତି ମଧ୍ୟ ରାଡାରରେ
ଏହି ଖେଳରେ କେବଳ ବିକାଶ ସାମିଲ ନଥିଲା। ଦିନେଶ ବିଭାଲଙ୍କ ଭାଣେଜି ପଲକ୍ ନିଟ୍ରେ ୯୮.୬୧ % ହାସଲ କରିଥିଲେ। ତାଙ୍କୁ ଜୟପୁରର ପ୍ରତିଷ୍ଠିତ ଏସ୍ଏମ୍ଏସ୍ ମେଡିକାଲ କଲେଜରେ ଆଡମିସନ୍ ମିଳିଥିଲା। ସ୍କୁଲରେ ମେଧାବୀ ଥିବା ପଲକ ମେଡିକାଲ କଲେଜ ଟେଷ୍ଟରେ ଆଭରେଜ୍ ଛାତ୍ରୀ ପ୍ରମାଣିତ ହୋଇଥିଲେ। ତାଙ୍କ ପରିବାର ସିବିଆଇ ସ୍କାନରରେ ଆସିବା ପରେ ପଲକ ମଧ୍ୟ ହଠାତ୍ ତାଙ୍କ ହଷ୍ଟେଲରୁ ପଳାଇ ଯାଇଛନ୍ତି। ସେହିପରି, ମାଙ୍ଗିଲାଲଙ୍କ ଝିଅ ପ୍ରଗତି (NEET ରେ ୮୯%) ମଧ୍ୟ ତାଙ୍କ ବାପାଙ୍କ ଗିରଫଦାରୀ ଦିନ କଲେଜରୁ ଛୁଟିରେ ଚାଲି ଯାଇଥିଲେ।
ଗ୍ରେସ ମାର୍କରୁ ପାସ୍, ତଥାପି ଡାକ୍ତର ହେବା ରେସ୍ରେ !
ଏହି ପରିବାରର ଠକେଇ ଏତିକିରେ ସୀମିତ ହୋଇନଥିଲା। ପରିବାରର ଅନ୍ୟ ଦୁଇ ଛାତ୍ର, ରିଷି ଏବଂ ଅମନ, ଯେଉଁମାନେ ଏହି ବର୍ଷ NEET ପରୀକ୍ଷା ଦେଇଥିଲେ, ସେମାନଙ୍କର ରେକର୍ଡ ଆହୁରି ଖରାପ। ରିଷି ଗ୍ରେସ୍ ମାର୍କ ଯୋଗୁଁ ମାତ୍ର ୫୦% ମାର୍କ ସହିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପାସ୍ କରିପାରିଥିଲେ। ସିବିଆଇ ସନ୍ଦେହ କରୁଛି ଯେ ଏହି ଦୁଇ ଛାତ୍ରଙ୍କୁ ମଧ୍ୟ ସମାନ ସର୍ଟକଟ୍ ଏବଂ ଲିକ୍ ହୋଇଥିବା ପ୍ରଶ୍ନପତ୍ର ବ୍ୟବହାର କରି ପରୀକ୍ଷାରେ ପାସ୍ କରିବା ପାଇଁ ବ୍ୟବହାର କରାଯାଉଥିଲା।
କିଭଳି କାମ କରୁଥିଲା ବିଭାଲ ପରିବାର ?
ସିବିଆଇ ତଦନ୍ତରୁ ଜଣାପଡିଛି ଯେ ଦିନେଶ ଏବଂ ମଙ୍ଗିଲାଲ ବିଭାଲ କେବଳ ନିଜ ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ କରୁନଥିଲେ, ବରଂ ଏହି ପେପର ଲିକ୍ ନେଟୱାର୍କର ମୁଖ୍ୟ ମଧ୍ୟସ୍ଥି ମଧ୍ୟ ଥିଲେ। ସେମାନେ ଅନ୍ୟ ଖରାପ ପ୍ରଦର୍ଶନ କରୁଥିବା ଏବଂ ସାଧାରଣ ଛାତ୍ରଛାତ୍ରୀଙ୍କ ବାପା-ମା’ଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ଲକ୍ଷ ଲକ୍ଷ ଟଙ୍କା ପାଇଁ ପରୀକ୍ଷା ପୂର୍ବରୁ ସେମାନଙ୍କୁ ପ୍ରଶ୍ନପତ୍ର ଏବଂ ସଲଭର ଗ୍ୟାଙ୍ଗ କୋଡ୍ ପ୍ରଦାନ କରିଥିଲେ। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏବେ ପରିବାରର ପୂର୍ବ ରେକର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛନ୍ତି ଯାହା ଦ୍ୱାରା ଏହି କାର୍ଯ୍ୟ କେତେ ଦିନ ଧରି ଚାଲିଥିଲା ତାହା ସ୍ପଷ୍ଟ ହୋଇପାରିବ।
ଆହୁରି ପଢନ୍ତୁ : NEET-UG Paper Leak: ନିଟ୍ ପ୍ରଶ୍ନପତ୍ର ପାଇଁ ବାପା ଦେଇଥିଲେ ୧୦ ଲକ୍ଷ ଟଙ୍କା, ତଥାପି ୭୨୦ରୁ ୧୦୭ ରଖିଲା ପୁଅ