ଚେନ୍ନାଇ: ଚେପକରେ CSK ଏବଂ RCB ମଧ୍ୟରେ IPL ମ୍ୟାଚ୍ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୯୬ ରନ କରିଛି । ଅଧିନାୟକ ରଜତ ପାଟିଦାର ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ଟିମ୍ ଡେଭିଡ୍ ଶେଷ ଓଭରରେ ଲଗାତାର ୩ଟି ଛକା ମାରି ଦଳର ସ୍କୋରକୁ ୧୯୬ରେ ପହଞ୍ଚାଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ନୁର ଅହମ୍ମଦ ସର୍ବାଧିକ ୱିକେଟ୍ ନେଇଛନ୍ତି । ସେ ବିରାଟ କୋହଲିଙ୍କ ସମେତ ମୋଟ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି।

ଫିଲ୍ ସଲ୍ଟ ଏବଂ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ସଲ୍ଟ ଆକ୍ରମଣାତ୍ମକ ଭାବରେ ଖେଳୁଥିଲେ କିନ୍ତୁ ୫ମ ଓଭରର ଶେଷ ବଲରେ ଏମଏସ ଧୋନୀ ତାଙ୍କୁ ବୁଲେଟ୍ ଗତିରେ ଷ୍ଟମ୍ପିଂ କରି ପ୍ୟାଭିଲିୟନ ପଠାଇ ଦେଇଥିଲେ। ସଲ୍ଟ ୧୬ ବଲ୍‌ରେ ୩୨ ରନ୍ କରିଥିଲେ । ସେ ୧ ଛକା ଏବଂ ୫ ଚୌକା ମାରିଥିଲେ ।

 ତୃତୀୟ ନମ୍ବରରେ ଆସିଥିବା ଦେବଦତ୍ତ ପାଡିକ୍କଲ ଆକ୍ରମଣାତ୍ମକ ଖେଳିଥିଲେ କିନ୍ତୁ ୮ମ ଓଭରରେ ଅଶ୍ୱିନଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେ ୧୪ ବଲ୍‌ରେ ୨ଟି ଛକା ଏବଂ ୨ଟି ଚୌକା ସହାୟତାରେ ୨୭ ରନ୍ କରିଥିଲେ। ସେ କୋହଲିଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୩୧ ରନ ଯୋଡିଥିଲେ। ଏହା ପରେ, କୋହଲି ଅଧିନାୟକ ରଜତ ପାଟିଦାରଙ୍କ ସହିତ ମିଶି ୪୧ରନର ଭାଗୀଦାରି କରିଥିଲେ। କୋହଲି ୩୦ ବଲ୍‌ରେ ୩୧ରନ୍ କରିବା ପରେ ଆଉଟ୍ ହୋଇଥିଲେ । ତାଙ୍କ ୱିକେଟ୍ ନୁର ଅହମ୍ମଦ ନେଇଥିଲେ।




କୋହଲିଙ୍କ ଆଉଟ୍ ପରେ, ଲିଆମ୍ ଲିଭିଂଷ୍ଟୋନ୍‌ (୧୦) ମଧ୍ୟ ନୁର ଅହମ୍ମଦଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଜିତେଶ ଶର୍ମା ମଧ୍ୟ ୧୨ ରନ କରି ଆଉଟ ହୋଇଥିଲେ। ତଥାପି, ଅନ୍ୟ ପାର୍ଶ୍ୱରେ ରଜତ ପାଟିଦାର ଭଲ ସଟ୍ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୩୨ ବଲ୍‌ରେ ୫୧ ରନ୍ କରିଥିଲେ । ଏହି ଇନିଂସରେ ସେ ୩ଟି ଛକା ଏବଂ ୪ଟି ଚୌକା ମାରିଥିଲେ।