ଗୋଷାଣି, ୨୮/୧୧ : ସିଙ୍ଗାପୁରର ଏକ ଡାକ୍ତରଖାନାରେ ପାରଳାଖେମୁଣ୍ଡିର ରାଜୀବଙ୍କ ସହ ସ୍ଲୋଭାକିଆର ଏନ୍ନାଙ୍କର ଭେଟ ହୋଇଥିଲା । ପ୍ରଥମ ଦେଖାରେ ବନ୍ଧୁତା, ପରେ ପ୍ରେମ । ଦୁଇ ମନ ମିଶିଲା, ମିଶିଲା ପ୍ରାଚ୍ୟ ଓ ପାଶ୍ଚାତ୍ୟ । ଉଭୟ ନିଷ୍ପତ୍ତି ନେଲେ ବିବାହ କରିବେ । ବୁଧବାର ପାରଳାଖେମୁଣ୍ଡିରେ ବୈଦିକ ରୀତିରେ ବେଦିରେ ବସି ରାଜୀବଙ୍କ ସହ ହାତଗଣ୍ଠି ପକାଇଛନ୍ତି ଏନ୍ନା ।
ରାଜୀବ ଦୁଇ ବର୍ଷ ହେଲା ସିଙ୍ଗାପୁରରେ କାମ କରୁଛନ୍ତି । ସେଠାରେ ସେ ଡାକ୍ତରଖାନାକୁ ଯିବା ସମୟରେ ଏନ୍ନାଙ୍କ ସହ ଦେଖା ହୋଇଥିଲା । ଏକାଧିକ ସାକ୍ଷାତ ପରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ସମ୍ପର୍କ ନିବିଡ଼ ହେଲା, ବିବାହ ବନ୍ଧନରେ ବାନ୍ଧି ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ରାଜୀବ ଚାହୁଁଥିଲେ ବିବାହ ହିନ୍ଦୁ ରୀତିନୀତିରେ ହେଉ । ଏଥିରେ ଏନ୍ନା ଓ ତାଙ୍କ ପରିବାର ମଧ୍ୟ ଖୁସି ପ୍ରକଟ କରିଥିବା କହନ୍ତି ରାଜୀବ । ଦୁଇ ପରିବାର ରାଜି ହେବା ପରେ ଏନ୍ନାଙ୍କ ପାସ୍ପୋର୍ଟ ଓ ଭିସା ଆଦି ପ୍ରସ୍ତୁତ ହୋଇଥିଲା । ଗୋଷାଣି ବ୍ଲକ୍ ରାମସାଗରସ୍ଥିତ ପ୍ରସିଦ୍ଧ ରାମଲିଙ୍ଗେଶ୍ୱର ମନ୍ଦିରରେ ବୁଧବାର ହିନ୍ଦୁ ରୀତିନୀତିରେ ଅଗ୍ନିକୁ ସାକ୍ଷୀ ରଖି ଉଭୟଙ୍କ ବିବାହ ହୋଇଥିଲା । ଏହି ନିଆରା ବିବାହ ଦେଖିବାକୁ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ । ଗୁରୁବାର ପାରଳାଖେମୁଣ୍ଡିସ୍ଥିତ ରାଜୀବଙ୍କ ଘରେ ଭୋଜି ହୋଇଥିଲା ।
ଏନ୍ନା ଭାରତୀୟ ସଂସ୍କୃତିକୁ ଆପଣାଇ ବହୁତ ଖୁସି ଥିବା ରାଜୀବ କହିଛନ୍ତି । ସେପଟେ ବେଦ ମନ୍ତ୍ରର ଉଚ୍ଚାରଣ ସହିତ ଠାକୁରଙ୍କ ସମ୍ମୁଖରେ ବିବାହ କରି ବହୁତ ଖୁସି ଥିବା ଏନ୍ନା ମଧ୍ୟ ପ୍ରକାଶ କରିଛନ୍ତି । ବିବାହରେ ପୂର୍ବତନ ନଗରପାଳ ବାବୁଲା ପଟ୍ଟନାୟକ, ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ, କାଉନ୍ସିଲର ବିଭୂତି ବେହେରା ପ୍ରମୁଖ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି ।