ନୂଆଦିଲ୍ଲୀ: ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିଲ୍ଲାର ଚାରଭୁଜା ଥାନା ଅଞ୍ଚଳରେ ନିୟନ୍ତ୍ରଣ ହରାଇ ଏକ ସ୍କୁଲ ବସ୍ ଓଲଟି ପଡ଼ିବାରୁ ୩ ଜଣ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଏଥିସହ ୨୫ ଜଣ ଆହତ ହୋଇଛନ୍ତି । ଆଜି (ରବିବାର) ସକାଳେ ଏହି ଘଟଣା ଘଟିଛି। ପୋଲିସର ସୂଚନାନୁସାରେ, ଆମେଟ ମହାତ୍ମା ଗାନ୍ଧୀ ସ୍କୁଲର ଛାତ୍ରମାନେ ପିକନିକ୍ ପାଇଁ ଦେଶୁରି (ପାଲି) ରେ ଅବସ୍ଥିତ ପର୍ଶୁରାମ ମହାଦେବ ମନ୍ଦିରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ବସ୍‌ରେ ସମୁଦାୟ ୬୨ ଜଣ ପିଲା ଏବଂ ୬ ଜଣ ଶିକ୍ଷକ ଥିଲେ। ବସ୍ ଦେସୁରୀ ନାଳ ନିକଟରେ ପହଞ୍ଚିବା ପରେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ତିନିଜଣ ବାଳିକାଙ୍କର ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରେ ୨୫ ଜଣ ଶିଶୁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହା ବ୍ୟତୀତ ବସ୍‌ରେ ଯାତ୍ରା କରୁଥିବା ଅନ୍ୟ ୩୭ ଜଣ ଶିଶୁ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଛି। 

ପୋଷ୍ଟମର୍ଟମ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି ଏବଂ ବସ୍ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଦୁର୍ଘଟଣାର ତଦନ୍ତ ଚାଲିଛି ଏବଂ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।