ଭୁବନେଶ୍ୱର,୧୩/୦୩: ରାଜ୍ୟସଭା ରେସ ନେଇ ବଢ଼ୁଛି ସସ୍‌ପେନ୍ସ । ସବୁ ଦଳରେ ପଶିଲାଣି ଛାନିଆ । ଖେଳ ହୋଇଯିବନି ତ?ସବୁ ଶିବିରରେ ଛକାପଞ୍ଝା ସ୍ଥିତି । ଏହା ଭିତରେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି- କଂଗ୍ରେସ ନିଜ ବିଧାୟକମାନଙ୍କୁ ନେଇ ଏକ ଗୁପ୍ତ ସ୍ଥାନକୁ ଚାଲିଯାଇଛି । ଦଳର ୮/୯ ଜଣ ବିଧାୟକଙ୍କୁ ନେଇ କଂଗ୍ରେସର ଏକ ଟିମ୍ ରାଜ୍ୟ ବାହାରକୁ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସ ବିଧାୟକମାନେ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି । କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପରେ ସିଧା କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକର ବାଙ୍ଗାଲୋର ଯିବେ । ୧୬ ତାରିଖ ଏହି ଟିମ୍ ସିଧା ବିଧାନସଭାରେ ଆସି ପହଞ୍ଚିବା ଯୋଜନା ରହିଛି ।

ରାଜ୍ୟସଭା ଭୋଟକୁ ନେଇ ଏଆଇସିସି ଓଡ଼ିଶା ଉପରେ କଡ଼ା ନଜର ରଖିଛି । ବଡ଼ କଥା ହେଲା ବିଧାୟକମାନଙ୍କୁ ରାଜ୍ୟ ବାହାରକୁ ନେବା ପୂର୍ବରୁ ସକାଳେ ଦଳ ପକ୍ଷରୁ ଏକ ହ୍ୱିପ ଜାରି କରାଯାଇଥିଲା । ଏଥିରେ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ସମସ୍ତ ବିଧାୟକ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହିଁ ରହିବେ । ମାତ୍ର ହ୍ୱିପ ପରେ ବି ଭରସା ପାଇଲାନି । ଆଜି ମଧ୍ୟାହ୍ନରେ ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପ୍ରଭାରୀ ଅଜୟ ଲଲ୍ଲୁଙ୍କ ଉପସ୍ଥିତିରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହାପରେ ନିଷ୍ପତ୍ତି ହେଲା, ଦଳ ଭୋଟ ସୁରକ୍ଷିତ ରଖିବାକୁ ହେଲେ ବିଧାୟକଙ୍କୁ ରାଜ୍ୟ ବାହାରକୁ ନିଆଯିବ ।

ଅନ୍ୟପଟେ ରାଜ୍ୟସଭା ଭୋଟକୁ ବେଶ୍ ଗୁରୁତର ସହ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ହ୍ୱିପ୍ ଜାରି କରାଯିବା ପରେ ଆଜି ନବୀନ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରିଛନ୍ତି । ସନ୍ଧ୍ୟାରେ ନବୀନ ନିବାସରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅରୁଣ କୁମାର ସାହୁ, ବଦ୍ରି ନାରାୟଣ ପାତ୍ର, ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ନବୀନ ପ୍ରାୟ ୪୫ ମିନିଟ ଧରି ଆଲୋଚନା କରିଥିଲେ । ବୈଠକରେ ନିଷ୍ପତ୍ତି ହେଲା- ଶୁକ୍ରବାର ଓ ଶନିବାର ବିଧାୟକମାନଙ୍କୁ ବିଜେଡିର ବରିଷ୍ଠ ନେତା ଓ କିଛି ସମ୍ବିଧାନ ବିଶେଷଜ୍ଞ ତାଲିମ ଦେବେ । ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ନବୀନ ନିବାସରେ ବିଧାୟକମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ଭୋଟ ପସନ୍ଦ ଓ ଦ୍ୱିତୀୟ ପସନ୍ଦ ଭୋଟ କେମିତି ଦିଆଯିବ ଓ କିଏ କାହାକୁ ଦେବେ, ସେ ବାବଦରେ ବିସ୍ତୃତ ସୂଚନା ଦିଆଯିବ । ଗୋଟିଏ ବି ଭୋଟ ଯେମିତି ନାକଚ ନ ହେବ, ସେଥିପ୍ରତି ଦଳ ବେଶ୍ ଗୁରୁତ୍ୱ ଦେଉଛି । କେଉଁ ବିଧାୟକ କେଉଁ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଓ କେଉଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ପସନ୍ଦ ଭାବେ ଭୋଟ କରିବେ, ତାହା ଆଜି ସେମାନଙ୍କୁ ଅବଗତ କରାଯିବ ।ସେହିପରି ନବୀନ ପଟ୍ଟନାୟକ ଅଜି ସମସ୍ତ ବିଧାୟକଙ୍କୁ ଚିଠି ଲେଖିଛନ୍ତି । ଦଳୀୟ ହ୍ୱିପ୍ ମାନିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ୧୫ ତାରିଖ ସନ୍ଧ୍ୟାରେ ଦଳୀୟ ବିଧାୟକଙ୍କ ବୈଠକରେ ଯୋଗ ଦେବାକୁ ସୂଚନା ଦେଇଛନ୍ତି ।

ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଗତକାଲି ବିଜେପିରେ ମିଶିଥିବାବେଳେ ଏବେ ସଭିଙ୍କ ନଜର ବିଜେଡିର ବସ୍ତା ବିଧାୟକ ତଥା ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀଙ୍କ ଉପରେ । ସୁବାସିନୀଙ୍କ ଭୋଟ କୁଆଡ଼େ ଯିବ, ତାହା ଆଲୋଚନାର ବିଷୟ ହୋଇଛି । ଏଭଳି ସ୍ଥିତିରେ ଆଜି ସନ୍ଧ୍ୟାରେ ବିଧାନସଭାରୁ ପ୍ରମିଳା ନିଜ କାରରେ ବସାଇ ସୁବାସିନୀଙ୍କୁ ନବୀନ ନିବାସ ଆଣିଥିଲେ । ସେ ମାତ୍ର ୫ ମିନିଟ ପାଇଁ ନବୀନ ନିବାସ ଭିତରକୁ ଯାଇଥିଲେ ।

ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନବୀନ ତାଙ୍କୁ କହିଥିଲେ । ଉତ୍ତରରେ ସୁବାସିନୀ ତାଙ୍କୁ କହିଥିଲେ, ପାର୍ଟିର ଲୋକ, ପାର୍ଟିକୁ ହିଁ ଭୋଟ ଦେବି । ଏହାପରେ ସେ ନବୀନ ନିବାସରୁ ଫେରି ଆସିଥିଲେ । ଗଣମାଧ୍ୟମକୁ ସୁବାସିନୀ କହିଥିଲେ, ମୁଁ ଦଳର ଶୃଙ୍ଖଳିତ କର୍ମୀ । ଦଳ ସହ ସବୁବେଳେ ରହିଛି । ମୋ ନେତା ଯାହା ନିର୍ଦ୍ଦେଶ ଦେବେ, ସେଇ ଅନୁସାରେ କାମ କରିବି । ସୁବାସିନୀଙ୍କ ଏଭଳି ବୟାନ ପରେ ବି ତାଙ୍କ ଭୋଟକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।

ବିଜେଡିର ଜଣେ ବରିଷ୍ଠ ବିଧାୟକ କହିଛନ୍ତି, ନବୀନ ବାବୁ ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନ ଅତି ଗୁରୁତର ସହ ନେଉଛନ୍ତି । ଆଜି ବିଧାନସଭା ପରିସରରେ ବି ନବୀନ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରୁଥିଲେ । ଏପରିକି ଗୃହ ମୁଲତବୀ ହେବା ପରେ ବିଧାୟକମାନଙ୍କ ସହ ବେଶ୍ କିଛି ସମୟ ଛିଡ଼ା ହୋଇ କଥା ହୋଇଥିବା ଦେଖିବାକୁ ମିଳିଥିଲା । ବିଧାନସଭା ପରିସରରେ ବିଜେଡି ବିଧାୟକ ଶାରଦା ପ୍ରସନ୍ନ ଜେନା ଦଳର ହ୍ୱିପ ନିର୍ଦ୍ଦେଶନାମା ଚିଠି ଧରି ସମସ୍ତ ବିଧାୟକଙ୍କୁ ପାଖ ଯାଇ ସେମାନଙ୍କୁ ଅବଗତ କରାଇଥିଲେ ।

ବିଜେପି ଦଳ ମଧ୍ୟ ରାଜ୍ୟସଭା ଭୋଟ ନେଇ ଆଜି ରୁଦ୍ଧଦ୍ୱାର ବୈଠକ ଚଳାଇଥିଲା । ସୂତ୍ର ଅନୁସାରେ ରାଜଧାନୀର ଏକ ତାରକା ହୋଟେଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ରାଜ୍ୟସଭା ନିର୍ବାଚନ ପାଇଁ ନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ବାବନକୁଲେଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଖବର ମିଳିଛି ।

ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଗଣମାଧ୍ୟମକୁ କହିଛନ୍ତି, ମୁଁ କାହାକୁ ଭୋଟ ଦେବି, ତାହା ୧୬ ତାରିଖରେ ସ୍ଥିର କରିବି । ଏଯାଏଁ ବିଜେଡି କିମ୍ବା ବିଜେପି, କେହି ମୋ’ ସହ ଯୋଗାଯୋଗ କରିନାହାନ୍ତି ।

ସିପିଆଇଏମର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗତ କିଛିଦିନ ଭୁବନେଶ୍ୱର କିମ୍ବା ବିଧାନସଭାରେ ଦେଖିବାକୁ ମିଳିନାହାନ୍ତି । ଏ ନେଇ ତାଙ୍କୁ ଯୋଗାଯୋଗ କରିବାରୁ ଲକ୍ଷ୍ମଣ କହିଛନ୍ତି, ଆଜି ରାତିରେ ସେ ଭୁବନେଶ୍ୱର ଆସିବେ । ସେ ସ୍ପଷ୍ଟ କରିଛନ୍ତି, ଦଳ ନିଷ୍ପତ୍ତି ଅନୁସାରେ ଡାକ୍ତର ଦତ୍ତେଶ୍ୱର ହୋତା ହିଁ ଆମ ପ୍ରାର୍ଥୀ । ତେଣୁ ଡାକ୍ତର ହୋତାଙ୍କୁ ହିଁ ଭୋଟ ଦେବେ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ :- ଗୋଳମାଳିଆ ହେବ କି ରାଜ୍ୟସଭା ଗଣିତ? ବିଧାୟକଙ୍କୁ ହ୍ବିପ୍ ଜାରି କଲା କଂଗ୍ରେସ, ଭୁବନେଶ୍ବର ନ ଛାଡ଼ିବାକୁ ଭକ୍ତଙ୍କ କଡ଼ା ନିର୍ଦ୍ଦେଶ