• ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
  • କଂଗ୍ରେସ ଆଣିଲା ୩ ସେଟ୍ ଫର୍ମ, ଭକ୍ତ ଗଲେ ଦିଲ୍ଲୀ
  • ହେଲାନି ବିଜେଡି ବୈଠକ, ଆଜି ବିଧାୟକ-ନବୀନ ଆଲୋଚନା

ଭୁବନେଶ୍ୱର,୨୮/୦୨: ସସ୍‌ପେନ୍ସ ବଳବତ୍ତର । କ’ଣ ହେବ ରାଜ୍ୟସଭା ଅଙ୍କ? ବିଜେପି ୩-୧ ନା କଂଗ୍ରେସ ସହ ମିଶି ବିଜେଡି ୨-୨ ସ୍କୋର କରିବ? ବିଜେପି-ବିଜେଡି ଅଲଗା ରାସ୍ତାରେ ଯିବେ ନା ଚତୁର୍ଥ ଆସନ ପାଇଁ ହାତ ମିଳାଇବେ? ଚତୁର୍ଥ ଆସନ ପାଇଁ ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀ ଦେବେ ନା ବିଜେପିକୁ ବାଟ ଛାଡ଼ି ଦେବେ?

ରାଜ୍ୟସଭାର ୪ ଆସନ ପାଇଁ କିଛି ବି ସ୍ପଷ୍ଟ ହୋଇନାହିଁ । ଗୁରୁବାର ବିଜେଡି ୬ ସେଟ୍ ନାମାଙ୍କନ ଫର୍ମ ନେଇଥିଲା । ଆଜି କଂଗ୍ରେସ ପାଇଁ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ୩ ସେଟ୍ ଫର୍ମ କିଣିଛନ୍ତି । ଇତିମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଦିଲ୍ଲୀ ଯାଇଛନ୍ତି ହାଇକମାଣ୍ଡଙ୍କୁ ଭେଟିବାକୁ ।

ବିଜେପି ଏଯାଏଁ ଫର୍ମ ନ କିଣି ସସ୍‌ପେନ୍ସ ବଢ଼ାଇଛି । ସୂତ୍ର ଅନୁସାରେ ଶୁକ୍ରବାର ବିଜେପି ପକ୍ଷରୁ ନାମାଙ୍କନ ଫର୍ମ ଅଣାଯିବାର ଥିଲା । ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ କାର୍ଯ୍ୟାଳୟରେ କୁଆଡ଼େ ଦଳର ୪/୫ ଜଣ ବିଧାୟକ ଏକାଠି ହୋଇଥିଲେ । ମାତ୍ର କୌଣସି କାରଣରୁ ଫର୍ମ କିଣାଯାଇନଥିଲା । ଆସନ୍ତା ଦୁଇଦିନ (ଶନିବାର, ରବିବାର) ସରକାରୀ ଛୁଟି । ସୋମବାର ହିଁ ଦଳ ପକ୍ଷରୁ ଫର୍ମ କିଣାଯିବ ବୋଲି କୁହାଯାଉଛି ।

ଅପରପକ୍ଷରେ ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସାକ୍ଷାତ ସମୟରେ ରାଜ୍ୟସଭାକୁ ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ବିଜେଡିର ଗତିବିଧି ଏଯାଏଁ କେହି ଠଉରାଇପାରୁନାହାନ୍ତି । ବିଜେଡି ଗୋଟିଏ ଆସନରେ ପ୍ରାର୍ଥୀ ଦେବ ନା ଆଉ ଗୋଟିଏ ଆସନ ପାଇଁ ଲଢ଼ିବ, କିଛି ଜଣାପଡ଼ୁନି । ସବୁଠାରୁ ବଡ଼ ପ୍ରଶ୍ନ-ବିଜେଡିରୁ ପ୍ରାର୍ଥୀ କିଏ ହେବ? ଦଳ ଚତୁର୍ଥ ଆସନ ପାଇଁ ବିଜେପି ନା କଂଗ୍ରେସ ସହ ହାତ ମିଳାଇବ? ନା ଚିରାଚରିତ ସମଦୂରତ୍ୱ କାର୍ଡ ଖେଳି ବିଜେପିର ଟାର୍ଗେଟକୁ ସହଜ କରିଦେବ ।

କଂଗ୍ରେସର ଶୀର୍ଷ ନେତୃତ୍ୱ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା ମଧ୍ୟ ଶୁଣିବାକୁ ମିଳୁଛି । ହେଲେ ନବୀନ ତାଙ୍କ କାର୍ଡ ଖୋଲୁନାହାନ୍ତି । ଗୁରୁବାର ବିଜେଡି ପିଏସି ବୈଠକ ବସିଥିଲା । ସନ୍ଧ୍ୟାରେ ନବୀନ ନିବାସକୁ ବିଧାୟକ ଦଳ ବୈଠକ ଡକାଯାଇଥିଲା । ୩୦ରୁ ଅଧିକ ବିଧାୟକ ପହଞ୍ଚିଥିଲେ । ସୂତ୍ର ଅନୁସାରେ ଏହି ବୈଠକ ହୋଇପାରିନାହିଁ । ଶନିବାର ପୂର୍ବାହ୍ନରେ ନବୀନ ଦଳର ବିଧାୟକମାନଙ୍କ ସହ ଆଲୋଚନା କରିବେ । ଆଜ ବୈଠକରେ ନାମାଙ୍କନ ଫର୍ମରେ ପ୍ରସ୍ତାବକ ଓ ସମର୍ଥକ ପାଇଁ ତାଲିକାଭୁକ୍ତ ହୋଇଥିବା ବିଧାୟକମାନଙ୍କ ଦସ୍ତଖତ ସଂଗ୍ରହ ହୋଇପାରେ ।

ଅଧିକ ପଢ଼ନ୍ତୁ:- ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ଅମିତ ଶାହ, ବିଭିନ୍ନ ବିଭାଗର ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ

ଆବଶ୍ୟକ ସଂଖ୍ୟାଠାରୁ ବହୁ ଦୂରରେ ଥିଲେ ମଧ୍ୟ କଂଗ୍ରେସରେ ସକ୍ରିୟତା ବେଶି ବଢ଼ିଯାଇଛି । ଦଳ ପାଇଁ ଫର୍ମ ଆଣିଥିବା ବିଧାୟକ ସତ୍ୟଜିତ କହିଛନ୍ତି, କଂଗ୍ରେସ ପ୍ରାର୍ଥୀ ଦେବ ଓ ବିଜୟୀ ହେବ । ପିସିସି ସଭାପତି ଭକ୍ତ କହିଛନ୍ତି, ଘୋଡ଼ା ବେପାର ରାଜନୀତି ବନ୍ଦ କରିବାକୁ ପଡ଼ିବ । ରାଜ୍ୟର କୌଣସି ସୁନାମଧନ୍ୟ ବ୍ୟକ୍ତି ସ୍ୱାଧୀନ ପ୍ରାର୍ଥୀ ହୋଇ କଂଗ୍ରେସ ଓ ବିଜେଡି ସମର୍ଥନରେ ନିର୍ବାଚିତ ହେଲେ ରାଜ୍ୟ ପାଇଁ ଭଲ । ଅର୍ଥନୀତିଜ୍ଞ ପ୍ରଭାସ ପଟ୍ଟନାୟକ, ପ୍ରତିଷ୍ଠିତ ଆଇନଜୀବୀ ପି.କେ.ରାୟ, ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂ, ସୁନାମଧନ୍ୟ ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟରୁ କେହି ବି ପ୍ରାର୍ଥୀ ହେଲେ ଭଲ ହୁଅନ୍ତା । ହାଇକମାଣ୍ଡଙ୍କ ସହ ଆଲୋଚନା ପରେ କଂଗ୍ରେସ ନିଷ୍ପତ୍ତି ନେବ ।