ନୂଆଦିଲ୍ଲୀ,୩୧/୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ଓ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ବୁଧବାର ସନ୍ଧ୍ୟାରେ ଆସାମର ତେଜପୁରରେ ଯବାନଙ୍କ ସହ ଦୀପାବଳି  ପାଳନ କରିଛନ୍ତି । ଏଲଓସି ଓ ଅଟ୍ଟାରୀ ସୀମାରେ ମହିଳା ଓ ପୁରୁଷ ଯବାନମାନେ ମିଠା ବାଣ୍ଟି ଖୁସି ମନାଇଛନ୍ତି । ମହମବତି  ଜଳାଇବା ସହ ଆତସବାଜି ବି କରିଛନ୍ତି । ଏଲଓସିରେ ଯବାନମାନେ ଦୀପାବଳି ପାଳିବା ସହ ନାଚିଥିବା ଦେଖିବାକୁ  ମିଳିଛି । ସେପଟେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଏ ପି ସିଂହ ଜମ୍ମୁ-କାଶ୍ମୀରରେ ପହଞ୍ଚି କିଛି ଯବାନଙ୍କୁ ସାକ୍ଷାତ କରିବା ସହ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ସେମାନଙ୍କ ସହ ଜଳଖିଆ  କରିଛନ୍ତି । 

ସେହିଭଳି ସିଡିଏସ୍‌ ଜେନେରାଲ ଅନିଲ ଚୌହାନ ପୋର୍ଟ ବ୍ଲେୟାର, ଆଣ୍ଡାମାନ-ନିକୋବରରେ ମୁତୟନ ସୈନିକଙ୍କ  ସହ ଦୀପାବଳି ପାଳିଛନ୍ତି । ନୌସେନା ମୁଖ୍ୟ ଦିନେଶ ତ୍ରିପାଠୀ ଗୁଜରାଟର ପୋରବନ୍ଦରରେ ନୌ ସୈନିକଙ୍କ ସହ ଦୀପାବଳି  ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବର୍ଷ ସେନା  ସହ ଦୀପାବଳି ମନାଇଥାନ୍ତି । ଏଥର ସେ ଗୁଜରାଟ ଗସ୍ତରେ  ଥିବାରୁ ତିନି ସେନା ମୁଖ୍ୟ ବିଭିନ୍ନ ସ୍ଥାନରେ ପହଞ୍ଚି ଯବାନଙ୍କ  ସହ ଦୀପାବଳି ପାଳନ କରିଛନ୍ତି।