ଅଯୋଧ୍ୟା,୧୬/୧୨: ରାମମନ୍ଦିର ଆନ୍ଦୋଳନର ପ୍ରମୁଖ ସୂତ୍ରଧର ତଥା ଅଯୋଧ୍ୟାର ପୂର୍ବତନ ଲୋକସଭା ସାଂସଦ ତଥା ସନ୍ଥ ଡା. ରାମବିଳାସ ଦାସ ବେଦାନ୍ତିଙ୍କ ସୋମବାର ପରଲୋକ ହୋଇଛି । ତାଙ୍କୁ ୬୭ ବର୍ଷ ହୋଇଥିଲା । ସେ ମଧ୍ୟପ୍ରଦେଶର ରିବାରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରବାରେ ତାଙ୍କର ରାମକଥା ଚାଲିଥିବାବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ହସ୍ପିଟାଲରେ ଦୁଇ ଦିନ ଧରି ତାଙ୍କ ଚିକିତ୍ସା ଚାଲିଥିଲା ।
ସୋମବାର ସକାଳେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୋପାଳ ଏମ୍ସ ନିଆଯିବାକୁ ପ୍ରସ୍ତୁତି ହୋଇଥିଲା । କିନ୍ତୁ ଏହା ପୂର୍ବରୁ ସେ ଆଖି ବୁଜିଥିଲେ। ତାଙ୍କ ପାର୍ଥିବ ଶରୀରକୁ ଅଯୋଧ୍ୟା ଅଣାଯାଇଥିଲା । ସେଠାରେ ତାଙ୍କ ଅନ୍ତିମ ଦର୍ଶନ ଏବଂ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ବେଦାନ୍ତିଙ୍କ ପରଲୋକରେ ବହୁ ସନ୍ଥ, ଜନପ୍ରତିନିଧି, ସାମାଜିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୋକ ପ୍ରକାଶ କରି ଏକ୍ସରେ ଲେଖିଛନ୍ତି, ରାମବିଳାସ ବେଦାନ୍ତିଙ୍କ ପରଲୋକ ଆଧ୍ୟାତ୍ମିକ ଜଗତ ଏବଂ ସନାତନ ସଂସ୍କୃତି ପାଇଁ ଅପୂରଣୀୟ କ୍ଷତି । ତାଙ୍କ ତ୍ୟାଗମୟ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ । ରିବାରେ ଜନ୍ମିତ ବେଦାନ୍ତି ୧୨ ବର୍ଷ ବୟସରେ ଅଯୋଧ୍ୟା ଯାଇଥିଲେ । ସେବେଠୋରୁ ତାଙ୍କ ଜୀବନ ଅଯୋଧ୍ୟାରେ ହିଁ ବିତିଥିଲା । ସେ ଉତ୍ତରପ୍ରଦେଶର ପ୍ରତାପଗଡ଼ ଏବଂ ଜୌନପୁରର ମଛଲିଶହର ଆସନରୁ ଦୁଇ ଥର ବିଜେପି ଟିକଟରୁ ସାଂସଦ ରହିଥିଲେ ।