ନୂଆଦିଲ୍ଲୀ,୫।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା। ବାଚସ୍ପତି ଓ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ନେଇଛନ୍ତି ସନ୍ନ୍ୟାସ। ଏନେଇ ସେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି। ବୟସ ବଢିଯାଇଥିବାରୁ ରାଜନୀତିରୁ ସନ୍ୟାସ ନେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। 

ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍‌କୁ ଲାଗିଲା ଝଟକା। ବରିଷ୍ଠ ବିଧାୟକ ନେଲେ ସନ୍ୟାସ। ଦିଲ୍ଲୀ ବିଧାନସଭାର ବାଚସ୍ପତି ତଥା ଆପ୍‌ର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ଲଢିବେନି ନିର୍ବାଚନ।  ଏହା ସହ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦେଇଛନ୍ତି ଏକ  ଚିଠି। ଏଥିରେ ଗୋଏଲ କହିଛନ୍ତି ଯେ, 'ଗତ ୧୦ ବର୍ଷ ଧରି ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବରେ ମୋର ଦାୟିତ୍ୱକୁ ପାଳନ କରିଛି। ଆପଣ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛନ୍ତି, ଯାହା ପାଇଁ ମୁଁ ଆପଣଙ୍କ ପାଖରେ ସର୍ବଦା କୃତଜ୍ଞ ରହିବ। ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୋର ବୟସ ହେତୁ ମୁଁ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି। କିନ୍ତୁ ମୁଁ  ସବୁବେଳେ  ଆମ୍ ଆଦମୀ ପାର୍ଟିର ସେବା ଜାରି ରଖିବି। ଆପଣ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ କରିବାକୁ ଚେଷ୍ଟା କରିବି।'

ଗୋଏଲ ସନ୍ୟାନ ନେବାପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ୍ସରେ କରିଛନ୍ତି ଭାବୁକ ପୋଷ୍ଟ। ସେ କହିଛନ୍ତି, ଗୋଏଲଜୀ ନିର୍ବାଚନୀ ରାଜନୀତିରେ ଅଲଗା ହେବାର ନିଷ୍ପତ୍ତି ଆମ ପାଇଁ ଖୁବ୍ ଆବେଗର କ୍ଷଣ। ତାଙ୍କ ମାର୍ଗଦର୍ଶନ ଆମକୁ ଗୃହ ଭିତରେ ଓ ବାହାରେ ସଠିକ ମାର୍ଗଦର୍ଶନ କରିଛି। ତାଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଜଣାଉଛି। ଗୋଏଲଜୀ ଆମ ପରିବାରର ଅବିଭାବକ ଥିଲେ ଓ ସବୁବେଳେ ମଧ୍ୟ ରହିବେ। ଭବିଷ୍ୟତରେ ପାର୍ଟିକୁ ତାଙ୍କର ଅନୁଭବ ଓ ସେବାର ସବୁବେଳେ ଆବଶ୍ୟକତା ରହିବ।’