ନୂଆଦିଲ୍ଲୀ,୩୧/୦୮: ରାମସେତୁକୁ ରାଷ୍ଟ୍ରୀୟ ସ୍ମାରକ ଘୋଷଣା କରିବା ଦାବି ସହ ଜଡ଼ିତ ଆବେଦନକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରି ଜବାବ ମାଗିଲେ ସୁପ୍ରିମକକୋର୍ଟ । ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କ ଆବେଦନ ପ୍ରସଙ୍ଗରେ ଏହି ନୋଟିସ୍‌ ଜାରି ହୋଇଛି । ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ୍‌ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ସ୍ୱାମୀଙ୍କ ପିଟିସନ୍‌କୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି। ଏଥିସହ ୪ ସପ୍ତାହ ମଧ୍ୟରେ ସେଥିନେଇ ଜବାବ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । 

ନିଜର ଆବେଦନରେ ସ୍ୱାମୀ ୨୦୨୩  ମସିହା ଜାନୁଆରୀ ୧୯ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ଦର୍ଶାଇଥିଲେ। ସେତେବେଳେ ସ୍ୱାମୀଙ୍କ ଆବେଦନ ଉପରେ କେନ୍ଦ୍ର ସରକାର କୋର୍ଟରେ କହିଥିଲେ ଯେ, ରାମସେତୁକୁ ରାଷ୍ଟ୍ରୀୟ ସ୍ମାରକ ଘୋଷଣା କରିବା ପ୍ରସଙ୍ଗରେ ବିଚାର ଚାଲିଛି । ଏପରି ସ୍ଥଳେ କୋର୍ଟ ଏହି ପ୍ରସଙ୍ଗରେ ନିର୍ଣ୍ଣୟ ନେବାକୁ କେନ୍ଦ୍ରକୁ କହିଥିଲେ । ନିର୍ଣ୍ଣୟରେ ସନ୍ତୁଷ୍ଟ ନ ହେଲେ ସୁଭ୍ରମଣ୍ୟମ୍ ସ୍ୱାମୀ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ସ୍ୱତନ୍ତ୍ରତା ବି ଦେଇଥିଲେ । ସେହି ଭିତ୍ତିରେ ସ୍ୱାମୀ ଏହି  ନୂଆ ଆବେଦନ କରିଥିଲେ । 

ସେଥିରେ ସେ କହିଛନ୍ତି, ୨୦୨୩  ଜାନୁଆରୀର ସୁପ୍ରିମକୋର୍ଟଙ୍କ ରାୟ ପରେ  ତାଙ୍କୁ କିମ୍ବା ମାନବ୍ୟର ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ନିର୍ଣ୍ଣୟ ବାବଦରେ କୌଣସି ଜବାବ ଦେଇନାହାନ୍ତି ।  ରାମସେତୁ ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳ ହେବା ସହ କୋଟି କୋଟି ଲୋକଙ୍କ ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ମଧ୍ୟ । ବୈଜ୍ଞାନିକ  ଓ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନରୁ ଏହା ମାନବ ନିର୍ମିତ ସଂରଚନା ବୋଲି  ଜଣାପଡ଼ିଛି ଯାହାକୁ ଶ୍ରଦ୍ଧାଳୁମାନେ ତୀର୍ଥସ୍ଥଳ ବୋଲି ମନେ କରୁଛନ୍ତି । ଏପରିସ୍ଥଳରେ ରାମସେତୁକୁ କୌଣସି  ପ୍ରକାର ଦୁରୁପଯୋଗ, ପ୍ରଦୂଷଣ କିମ୍ବା  ଅପବିତ୍ରତାରୁ ରକ୍ଷା କରିବା କେନ୍ଦ୍ର  ସରକାରଙ୍କ ଦାୟିତ୍ୱ । ସେ ମଧ୍ୟ ଭୂତତ୍ତ୍ୱବିଦ୍‌  ଓ ପୁରାତତ୍ତ୍ୱବିଦ୍‌ଙ୍କ ଦ୍ୱାରା ସେତୁର  ଏକ ସର୍ଭେ କରିବାକୁ ଦାବି କରିଛନ୍ତି । 

ସୂଚନାଥାଉକି, ରାମସେତୁକୁ ରାଷ୍ଟ୍ରୀୟ  ସ୍ମାରକ ଘୋଷଣା କରିବା ଦାବି ଅନେକ ବର୍ଷ  ହେଲା ଉଠୁଛି । ୨୦୦୭ରେ ସୁବ୍ରମଣ୍ୟମ  ସ୍ୱାମୀ ସୁପ୍ରିମକୋର୍ଟରେ ଏଥିନେଇ  ପ୍ରଥମ ଆବେଦନ ଦାଖଲ କରିଥିଲେ ।