ଫୁଲବାଣୀ,୧୨/୧୨ : ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ଜନୈକ ଶିକ୍ଷକଙ୍କୁ ୪ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହିତ ଅଭିଯୁକ୍ତଙ୍କୁ ୨୦ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୪ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲ୍ଲା ବୁଢୀବାଳନ୍ଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ମଲ୍ଲିକ। ସୂଚନା ଅନୁଯାୟୀ, ୨୦୧୭ ମସିହାରେ ଶ୍ରୀ ମଲ୍ଲିକ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ବେଳେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ଆସିଥିଲା। ସେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରି ଏହି ଅନୁଦାନରୁ

୨ ଲକ୍ଷ ୪୮ ହଜାର ୭୯୧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୩୫/୧୭ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୋଗର ସତ୍ୟତା ଜଣାପଡିବା ପରେ ପ୍ରଧାନ ଶିକ୍ଷକ ଓ ସ୍କୁଲ ସଭାପତି କଂଗ୍ରେସ ମଲ୍ଲିକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣୀ  କରି ଉପରୋକ୍ତ ରାୟ ଶୁଣାଇଛନ୍ତି ଭିଜିଲାନ୍ସ ଅଦାଲତ। ତେବେ ଇତି ମଧ୍ୟରେ ଅନ୍ୟତମ ଅଭିଯୁକ୍ତ କଂଗ୍ରେସଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ତାଙ୍କୁ ଦଣ୍ଡାଦେଶରୁ ବାଦ ଦିଆଯାଇଛି। ଅଭିଯୁକ୍ତ ବର୍ତ୍ତମାନ ଗୁନ୍ଦୁଲିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।  ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପିଭିଭି ରାମଦାସ ପରିଚାଳନା କରୁଥିଲେ।