ଭୁବନେଶ୍ୱର,୦୫/୧୨: ହସ୍ତୀପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ସଂରକ୍ଷଣ ହେବ ଦନ୍ତାହାତୀ ‘ରାମୁ’ର କଙ୍କାଳ। ଚନ୍ଦକା ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରିରେ ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ । ଏ ନେଇ ବନ ବିଭାଗର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । କଙ୍କାଳକୁ ସଂରକ୍ଷଣ କରିବା ପାଇଁ ସ୍କେଲିଟନ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଡ. ଶିବ ପ୍ରସାଦ ପରିଡ଼ା ଚନ୍ଦକା ଡିଏଫଓଙ୍କୁ ସହାୟତା କରିବେ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସଭିଙ୍କ ପ୍ରିୟ ଥିଲା ରାମୁ
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଭରତପୁରରେ ରାମୁ ଥିଲା ଏକ ବଳଶାଳୀ ହାତୀ । ପ୍ରାୟ ୩୫ବର୍ଷ ପୂର୍ବେ ଏହି ଜଙ୍ଗଲରେ ରାମୁ ଜନ୍ମ ନେଇଥିଲା । ଭରତପୁର, ଅନ୍ଧାରୁଆ, ମାଳିମ ଠାକୁରାଣୀ ରାସ୍ତା, ମଳିପଡ଼ା, ଶାମପୁର, ଗୋଠପାଟଣା ତଥା ଖୋର୍ଦ୍ଧା ଡିଭିଜନ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ଯିବା ଆସିବା କରୁଥିଲା। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଲୋକଙ୍କ ବାଡ଼ି ବଗିଚାରେ ପଶି ଫସଲ ନଷ୍ଟ କରୁଥିଲା। କେବଳ ପେଟ ପାଇଁ ଏହି ବିଶାଳକାୟ ପଶୁ ଏତକ ନାଟ କରୁଥିଲା। ଭରତପୁର ଜଙ୍ଗଲରୁ ବାହାରି ସେ ଲୋକଙ୍କ ପାଖ ଦେଇ ଯିବା ଆସିବା କରେ । ହେଲେ ଲୋକଙ୍କୁ କେବେ ଆକ୍ରମଣ ତ ଦୂରେ ଥାଉ, କେବେବି ଆଡ଼ ଆଖିରେ ଅନାଏ ନାହିଁ । ତେଣୁ ‘ରାମୁ’ ବନ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଭିଁଙ୍କ ପ୍ରିୟ ଥିଲା ।

ଅନ୍ଧାରୁଆ ଗାଁରେ ହୋଇଥିଲା ରାମୁର ପିଣ୍ଡ ଦାନ
ବାରାମ୍ବାର ଜନବସତି ମୁହାଁ ହେଉଥିବାରୁ ରାମୁକୁ କାବୁ କରି ତା’ବେକରେ ରେଡିଓକଲାର ବାନ୍ଧିବା ପାଇଁ ବନବିଭାଗ ବାରମ୍ବାର ଚେଷ୍ଟା କରି ଫେଲ୍ ମାରିଥିଲା। ଶେଷରେ ରାମୁ ହାତୀକୁ ଟ୍ରାଙ୍କୁଲାଇଜ୍ ମାଡ଼ କରି ବନବିଭାଗ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥିବା ହାତୀଙ୍କ ‘ପାଠଶାଳା’କୁ ଆଣିବାକୁ ଯୋଜନା କରିଥିଲା । ସେଠାରେ ତାକୁ ମାହୁନ୍ତମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆ ଯାଇଥାନ୍ତା । ପରେ ତାକୁ ଜଙ୍ଗଲ ଜଗିବାଠାରୁ ଆରମ୍ଭ କରି ପର୍ୟ୍ୟଟକଙ୍କୁ ପିଠିରେ ବସାଇ ଜଙ୍ଗଲ ବୁଲାଇବା କାମରେ ନିୟୋଜିତ କରାଯିବା ପାଇଁ ଚନ୍ଦକା ବନବିଭାଗ ଯୋଜନା କରିଥିଲା । ହେଲେ ଏହା ପୂର୍ବରୁ ଏହି ବିଶାଳକାୟ ରାମୁ ଗତବର୍ଷ ଅଗଷ୍ଟ ୧୯ରେ ଚୁନକୋଳି ବସ୍ତି ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲା । ରାମୁ ମରିଯିବା ପରେ ହାତୀପ୍ରେମୀମାନେ ଦୁଃଖରେ ଭାଙ୍ଗିପଡ଼ିଥିଲେ । ଏପରିକି ଅନ୍ଧାରୁଆ ଗାଁରେ ରାମୁ ପାଇଁ ପିଣ୍ଡ ଦାନ କରାଯାଇଥିଲା । ଚଳିତବର୍ଷ ରାମୁର କଙ୍କାଳ ସଂରକ୍ଷଣ କରିବାକୁ ହାତୀପ୍ରେମୀ ଦାବି କରିଆସୁଥିଲେ । ସ୍ନେକ୍ ହେଲ୍ପଲାଇନ୍ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ମଧ୍ୟ ଡିଏଫ୍ଓ ଏବଂ ପିସିସିଏଫ୍‌ଙ୍କ ଚିଠି ଲେଖି ରାମୁ ହାତୀର କଙ୍କାଳ ସଂରକ୍ଷଣ ପାଇଁ ଦାବି କରିଥିଲେ । ଏହାପରେ ବନ ବିଭାଗ ଯୋଜନା ଆରମ୍ଭ କରିଥିଲା ।

​​​​​​​

ଆଚାର୍ଯ୍ୟବିହାର ସଂଗ୍ରହାଳୟରେ ସଂଗୃହୀତ ‘ଶଙ୍କର’ର କଙ୍କାଳ
ଏହା ପୂର୍ବରୁ ଓଡ଼ିଶାରେ ପ୍ରଥମ ଥର ଆଚାର୍ଯ୍ୟବିହାରରେ ଥିବା ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ଦନ୍ତାହାତୀ ‘ଶଙ୍କର’ର କଙ୍କାଳ ବୈଜ୍ଞାନିକ ପ୍ରଣାଳୀରେ ସଂରକ୍ଷଣ କରାଯାଇଛି । ଏକ କାଚବାକ୍ସ ମଧ୍ୟରେ କଙ୍କାଳଟି ଥିବା ବେଳେ ପରିଦର୍ଶକମାନେ ତାକୁ ଦେଖୁଛନ୍ତି । ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଇଥିବା ଶଙ୍କର ହାତୀକୁ କେହି ଗୁଳିକରି ଆହତ କରିଥିଲା । କିଛିଦିନ ଗୁଳିବିଦ୍ଧ ଅବସ୍ଥାରେ ବୁଲିବା ପରେ ଶେଷରେ ମେଣ୍ଢାଶାଳ ଟୁବିବନ୍ଧ ନିକଟରେ ତା’ର ମୃତ୍ୟୁ ଘଟିଥିଲା । ଶଙ୍କର ମୃତ୍ୟୁ ପରେ ୨୦୦୬ ଅଗଷ୍ଟ ୧୦ରେ ତା’ର ଦେହାବଶେଷକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୋଚନ କରାଯାଇଥିଲା।