ନୂଆଦିଲ୍ଲୀ: ବିବାଦରେ ଧୁରନ୍ଧର ଅଭିନେତା ରଣବୀର ସିଂହ। "କାନ୍ତାରା ଚାପ୍ଟର ୧" ଚାମୁଣ୍ଡି ଦୈବା ମିମିକ୍ରି ବିବାଦରେ ଏବେ କୋର୍ଟରେ କ୍ଷମା ପ୍ରାର୍ଥନା କରିବେ ଅଭିନେତା। ଏହା ବ୍ୟତୀତ ସେ ଚାମୁଣ୍ଡି ଦୈବା ମନ୍ଦିର ମଧ୍ୟ ଦର୍ଶନ କରିବେ। ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟରେ ଏକ ଶୁଣାଣି ସମୟରେ ରଣବୀର ସିଂହଙ୍କ ଓକିଲ ଏହି ବୟାନ ଦେଇଛନ୍ତି। ମିମିକ୍ରି ବିବାଦରେ ଦାୟର ହୋଇଥିବା ଏକ ଏଫଆଇଆର ଏବଂ ଏକ ବ୍ୟକ୍ତିଗତ ଅଭିଯୋଗକୁ ରଦ୍ଦ କରିବା ପାଇଁ ରଣବୀର କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଶୁଣାଣି ସମୟରେ କୋର୍ଟ ରଣବୀର ସିଂହଙ୍କ ବିଷୟରେ କଠୋର ମନ୍ତବ୍ୟ ମଧ୍ୟ ଦେଇଛନ୍ତି।
ଗତ ବର୍ଷ ଗୋଆରେ ଅନୁଷ୍ଠିତ ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ରଣବୀର ସିଂହ "କାନ୍ତାରା ଚାପ୍ଟର ୧" ରେ ଚିତ୍ରିତ ଦୈବାକୁ "ମହିଳା ଭୂତ" ବୋଲି କହି ପରିହାସ କରିଥିଲେ। ଫିଲ୍ମରେ ଦୈବା ଭୂମିକାରେ ଅଭିନୟ କରିଥିବା ଅଭିନେତା ରିଷଭ ସେଟ୍ଟୀ ମଧ୍ୟ ଉପସ୍ଥିତ ଥିଲେ। ଏହା ଏକ ବଡ଼ ହଙ୍ଗାମା ସୃଷ୍ଟି କରିଥିଲା ଏବଂ ରଣବୀର ସିଂହ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କ୍ଷମା ମାଗିଥିଲେ।
"ରଣବୀର ହୃଦୟରୁ କ୍ଷମା ମାଗି ନଥିଲେ"
ଲାଇଭ୍ ଲ ରିପୋର୍ଟ ଅନୁଯାୟୀ ଶୁଣାଣି ସମୟରେ, ଅଭିଯୋଗକାରୀ ଏବଂ ଓକିଲ ପ୍ରଶାନ୍ତ ମିତ୍ତଲ କହିଛନ୍ତି ଯେ, ରଣବୀର ସିଂହଙ୍କ କ୍ଷମା ପ୍ରାର୍ଥନା ହୃଦୟରୁ ନଥିଲା। ସେ କହିଛନ୍ତି,"ରଣବୀରଙ୍କ କ୍ଷମା ପ୍ରାର୍ଥନା ହୃଦୟରୁ ନଥିଲା, କାରଣ ସେ ତାଙ୍କ ହ୍ୟାଣ୍ଡେଲରେ କ୍ଷମା ପ୍ରାର୍ଥନା ଟ୍ୱିଟ୍ କରିଥିଲେ, ଯାହା ତାଙ୍କ ଟିମ୍ ଦ୍ୱାରା ପରିଚାଳିତ।"
"ଅଭିନେତା ଠିକ୍ କାମ କରି ନଥିଲେ"
ଏହାର ଜବାବରେ, ରଣବୀର ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କହିଛନ୍ତି,"ଆମେ କୋର୍ଟରେ ଏକ ଶପଥପତ୍ର ଦାଖଲ କରିବୁ। ଆମେ ଏହି ପ୍ରସ୍ତାବ ଦେଉଛୁ।" କୋର୍ଟ କହିଛନ୍ତି ଯେ ଅଭିନେତା ଯାହା କରିଛନ୍ତି ତାହା ଠିକ୍ ନୁହେଁ।
ଶୁଣାଣି ସମୟରେ, ଆବେଦନକାରୀ ଓକିଲ ମିତାଲ ଜିଦ୍ ଧରି କହିଥିଲେ,"ଯଦି ରଣବୀର ସିଂହ ଦୈବାଙ୍କୁ 'ମହିଳା ଭୂତ' ବୋଲି କହିଥିଲେ, ତେବେ ତାଙ୍କୁ ଏଥିପାଇଁ କ୍ଷମା ମାଗିବା ଉଚିତ।" ଏଥିରେ ରଣବୀରଙ୍କ ଓକିଲ କୋର୍ଟକୁ କହିଥିଲେ,"ମାଇଁ ଲର୍ଡ, ଆମେ କ୍ଷମା ପ୍ରାର୍ଥନା କରି ଏକ ଶପଥପତ୍ର ଦାଖଲ କରିବୁ।"
ଶୁଣାଣି ସମୟରେ ଜଷ୍ଟିସ୍ ଏମ. ନାଗପ୍ରସନ୍ନା କହିଥିଲେ,"କ୍ଷମା ମାଗିବା ଆବଶ୍ୟକ। ଏହା ଏକ ଭୁଲ ହୋଇଛି। ତାଙ୍କୁ ସର୍ବଦା ଏଥିପାଇଁ ଅନୁତାପ କରିବା ଉଚିତ।" ଯେତେବେଳେ ଅଭିଯୋଗକାରୀ ରଣବୀର ସିଂହଙ୍କୁ କୋର୍ଟକୁ ଆସି କ୍ଷମା ମାଗିବାକୁ ପରାମର୍ଶ ଦେଇଥିଲେ, ଅଭିନେତାଙ୍କ ଓକିଲ କହିଥିଲେ, "ମାଇ ଲର୍ଡ, ମୁଁ କୋର୍ଟ ସମ୍ମୁଖରେ କ୍ଷମା ମାଗିବାକୁ ଚେଷ୍ଟା କରିବି। ଏହା ଶୁଣିବା ପରେ, କୋର୍ଟ ମାମଲାକୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ଏହା ସହ ପଢନ୍ତୁ : ଆମେରିକା-ଇରାନ ଯୁଦ୍ଧ ଭିତରେ ପ୍ରଥମଥର ପାଇଁ କଥାହେଲେ ମୋଦୀ-ଟ୍ରମ୍ପ, ହର୍ମୁଜ ପ୍ରଣାଳୀକୁ ନେଇ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା…