ମୁମ୍ୱାଇ, ୧୪/୧୧: ଗତ ୭ ତାରିଖରେ ରିଲିଜ ହୋଇଛି ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଦ ଗର୍ଲଫ୍ରେଣ୍ଡ୍’। ଫିଲ୍ମକୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି । ନିକଟରେ ଏହି ଖୁସିରେ ଏକ ପାର୍ଟି ଆୟୋଜିତ ହୋଇଥିଲା, ଯେଉଁଥିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ଅଭିନେତା ବିଜୟ ଦେବରକୋଣ୍ଡା ମଧ୍ୟ ପାର୍ଟିରେ ସାମିଲ ହୋଇଥିଲେ । ଯେଉଁଥିରେ ରଶ୍ମିକା ଓ ବିଜୟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏଥିରେ ବିଜୟ ରଶ୍ମିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ପରେ ତାଙ୍କ ହାତକୁ ଚୁମ୍ବନ ଦେଇଛନ୍ତି । ଏହା ଦେଖି ଲୋକେ କହୁଛନ୍ତି, ରଶ୍ମିକାଙ୍କ ସହ ସମ୍ପର୍କକୁ ସେ ସାର୍ବଜନୀନ କରିଛନ୍ତି । ଗତ ଅକ୍ଟୋବରରେ ଏକ ଗଣମାଧ୍ୟମ ବିଜୟ ଓ ରଶ୍ମିକାଙ୍କ ନିର୍ବନ୍ଧ ବିଷୟରେ ଦାବି କରିଥିଲା । ଏଥିରେ ଉଭୟଙ୍କ ପରିବାର ଓ ପରିଜନ ଉପସ୍ଥିତ ଥିଲେ । ନିକଟରେ ଏକ ଗଣମାଧ୍ୟମକୁ ବିଜୟଙ୍କର ଘନିଷ୍ଠ ଜଣେ ବ୍ୟକ୍ତି କହିଥିଲେ, ଦୁହେଁ ଆସନ୍ତା ବର୍ଷ ବିବାହ କରିବେ । ନିର୍ବନ୍ଧ ପରେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ନିଜ ନିଜର ନିର୍ବନ୍ଧ ମୁଦି ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି । ଦୀର୍ଘ ସମୟ ହେଲା ବିଜୟ-ରଶ୍ମିକାଙ୍କ ଡେଟିଂ ଚର୍ଚ୍ଚାରେ ରହିଛି, କିନ୍ତୁ ଉଭୟ ଏହାକୁ କେବେ ସାର୍ବଜନୀନ କରିନାହାନ୍ତି ।