ପୁରୀ,୧୮/୬ : ରାଜ୍ୟର ଅନ୍ୟ ମେଡିକାଲ କଲେଜ ଓ ହସ୍ପିଟାଲ ଭଳି ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରମାନେ ନିଯୁକ୍ତି ପାଇଛନ୍ତି । ମଞ୍ଜୁରି ପଦବି ମଧ୍ୟରୁ ଅଧିକାଂଶ ପୂରଣ ହୋଇଛି । ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ସହ ମିଳିତ ହୋଇ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଏଠାରେ ଚିକିତ୍ସା ସୁବିଧା ଦେବାକୁ ଅନୁବନ୍ଧିତ । ମାତ୍ର ଦୁର୍ଭାଗ୍ୟର ବିଷୟ ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ଏବଂ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ମିଳିତ ଭାବେ ଏଠାରେ ରୋଗୀ ଚିକିତ୍ସା ଦେଉଥିଲେ ହେଁ ଏଠାରେ ଆବଶ୍ୟକ ରୋଗୀ ସେବା ମିଳୁନି । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ନିଜସ୍ୱ ଟିଚିଂ ହସ୍ପିଟାଲ ଖୋଲିବାକୁ ପ୍ରୟାସ ହେଉନି। ନିଜ କ୍ୟାମ୍ପସରେ ଟିଚିଂ ହସ୍ପିଟାଲ କରିବା ନିମନ୍ତେ କୋଠା ନିର୍ମାଣ ସରିଥିଲେ ହେଁ ଏଠାରେ ହସ୍ପିଟାଲ ସେବା ଆରମ୍ଭ କରିବାକୁ ସରକାର ମନଯୋଗ ଦେଉନାହାନ୍ତି।
ସେପଟେ ସଦର ମୁଖ୍ୟ ଚିକିତ୍ସାଳୟ ଉପରୁ ରେଫରାଲ ହସ୍ପିଟାଲର କଳଙ୍କ ହଟୁନାହିଁ । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପକ୍ଷରୁ ସଦର ମୁଖ୍ୟ ଚିକିତ୍ସାଳୟରେ ଖୋଲିଥିବା ଚର୍ମ ବିଭାଗ ଆଉଟ୍ଡୋର ପ୍ରାୟ ମାସେ ହେବ ତାଲା ପଡ଼ିଛି । ଏହି ବିଭାଗରେ ଚିକିତ୍ସା ଦେବା ପାଇଁ ଡାକ୍ତର ପଦବି ପୂରଣ ହୋଇଥିଲେ ହେଁ ସେମାନେ କାମକୁ ଆସୁନାହାନ୍ତି । ଆସୋସିଏଟ୍ ପଦବିରେ କାର୍ଯ୍ୟ କରୁଥିବା ଏକମାତ୍ର ଡାକ୍ତର ପଦୋନ୍ନତି ପାଇ ଚାଲି ଯିବା ପରେ ଏହି ସ୍ଥାନ ଖାଲି ପଡ଼ିଛି । ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରଫେସର ମଞ୍ଜୁର ପଦବି ସଂଖ୍ୟା ୨୧ ହୋଇଥିବା ବେଳେ ୧୮ ପଦବି ପୂରଣ ହୋଇଛି । ସେହିପରି ଆସୋସିଏଟ୍ ପ୍ରଫେସର ମଞ୍ଜୁରି ପଦବି ସଂଖ୍ୟା ୨୮ ହୋଇଥିବା ବେଳେ ୧୩ ପଦବି ପୂରଣ ହୋଇଛି । ପ୍ରାୟ ୧୫ ପଦବି ଖାଲି ରହିଛି । ଆସିଷ୍ଟାଣ୍ଟ ପ୍ରଫେସର ମଞ୍ଜୁର ପଦବି ସଂଖ୍ୟା ୪୫ ହୋଇଥିବା ବେଳେ ୪୪ ପଦବି ପୂରଣ ଅଛି । ସେହିପରି ସିନିୟର ରେସିଡେଣ୍ଟ ମଞ୍ଜୁରି ପଦବି ସଂଖ୍ୟା ୩୯ ଥିବା ବେଳେ ୧୯ ପଦବି ପୂରଣ ହୋଇଛି । ପ୍ରାୟ ୨୦ ପଦବି ଖାଲି ପଡ଼ିଛି । ସେହିପରି ଟ୍ୟୁଟର ମଞ୍ଜୁରି ପଦବି ସଂଖ୍ୟା ୨୭ ହୋଇଥିବା ବେଳେ ୨୦ ପଦବି ପୂରଣ ହୋଇଛି । ୭ଟି ପଦବି ଖାଲି ରହିଛି । ଜୁନିଅର ରେସିଡେଣ୍ଟ ମଞ୍ଜୁରି ପଦବି ୩୮ ଥିବା ବେଳେ ୨୭ ପଦବି ପୂରଣ ହୋଇଛି । ୧୧ ପଦବି ଖାଲି ପଡ଼ିଥିଲା । ୨୯ଟି କନିଷ୍ଠ ସହାୟକ କିରାଣି ପଦବୀ ମଞ୍ଜୁର ହୋଇଥିବା ବେଳେ ସବୁ ଖାଲି ପଡ଼ିଛି । ଏପର୍ଯ୍ୟନ୍ତ କୌଣସି ପଦବି ପୂରଣ ପ୍ରତି ସରକାରୀ ପଦକ୍ଷେପ ନିଆଯାଇନି ।
ସେହିପରି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ନିଜସ୍ୱ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇନଥିବାରୁ କନିଷ୍ଠ ଲ୍ୟାବ୍ ଟେକ୍ନିସିଆନ, ଲ୍ୟାବ୍ ଟେକନିସିଆନ, ନର୍ସିଂ ଅଫିସର, ଫାର୍ମାସିଷ୍ଟ, ରେଡିଓଗ୍ରାଫର ପଦବୀକୁ ଏପର୍ଯ୍ୟନ୍ତ ମଂଜୁରୀ ମିଳିନି । ସେହିପରି ଅନ୍ୟାନ୍ୟ ଚତୁର୍ଥ ଶ୍ରେଣୀ ୯୬ ମଞ୍ଜୁରି ପଦବି ମଧ୍ୟରୁ ୯୪ ଖାଲି ପଡ଼ିଛି । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପକ୍ଷରୁ ଟିଚିଂ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାରୀ ଉଦ୍ୟମ ଶୂନ । ଯାହା ଫଳରେ ଉତ୍ତମମାନର ଚିକିତ୍ସା ଲୋକେ ପାଇପାରୁନାହାନ୍ତି । ଆବଶ୍ୟକ ଚିକିତ୍ସା ସୁବିଧା ଓ ସେବା ନଥିବା ଦର୍ଶାଇ ରୋଗୀଙ୍କୁ ଭୁବନେଶ୍ୱର, କଟକ କିମ୍ବା ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ଅନ୍ୟ ହସ୍ପିଟାଲକୁ ରେଫର ହେବା ବେଳେ ବାଟରେ ଅନେକ ରୋଗୀଙ୍କ ଜୀବନ ଯାଉଛି । ସେମାନେ କଲବଲ ହେଉଛନ୍ତି । ଆଗକୁ ରଥଯାତ୍ରା । ତେଣୁ ବହୁ ବର୍ଷ ଧରି ମେଡିକାଲ ଚିକିତ୍ସା ଦେବାରେ ଫେଲ ମାରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଟବି ଆଣ୍ଡ୍ ଆଡିଏଚ୍ ହସ୍ପିଟାଲ ସମେତ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର କିପରି ଆବଶ୍ୟକତା ପୂରଣ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ସରକାର ତୁରନ୍ତ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ହସ୍ପିଟାଲ ସେବା ନିଜସ୍ୱ କ୍ୟାମ୍ପସରେ ଆରମ୍ଭ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି । ଏନେଇ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଡାକ୍ତର କୌଶିକ ମିଶ୍ର କହିଛନ୍ତି, ରଥଯାତ୍ରା ନିମନ୍ତେ ନିଜସ୍ୱ ହସ୍ପିଟାଲ ଖୋଲିବା ନିମନ୍ତେ କୌଣସି ସରକାରୀ ପଦକ୍ଷେପ ନିଆଯାଇନି । ତେବେ ସଦର ମୁଖ୍ୟ ଚିକିତ୍ସାଳୟର ଚର୍ମ ବିଭାଗରେ ଖାଲିଥିବା ପଦବି ପୂରଣ ନିମନ୍ତେ ସରକାରଙ୍କୁ ଲିଖିତ ଜଣାଇ ଦିଆଯାଇଛି । ଶ୍ରୀଜଗନ୍ନାଥ ମେଡିକାଲ କଲେଜର ନିଜସ୍ୱ ହସ୍ପିଟାଲ କୋଠା ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇନି ।