ପୁରୀ,୦୩/୧୧: ସମଗ୍ର ବିଶ୍ୱରେ ଗୋଟିଏ  ତିଥିରେ ପାଳନ ହେବ ରଥଯାତ୍ରା । ପୁରୀ ଜଗନ୍ନାଥ  ମନ୍ଦିରର ନିୟମାବଳିକୁ ସମସ୍ତଙ୍କୁ ମାନିବାକୁ ହେବ ।  ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ  ଦେବଙ୍କ ଅଧ୍ୟକ୍ଷତାରେ ସୋମବାର ଶ୍ରୀନଅରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ ହୋଇଛି । ଏହି ବୈଠକରେ ଇସ୍କନ ଇଣ୍ଟରନ୍ୟାସନାଲ ଫୋରମ୍‌ ଗଭର୍ଣ୍ଣିଂ ବଡ଼ି ଜେନେରାଲର ଚେୟାରମ୍ୟାନ ଗୁରୁପ୍ରସାଦ ସ୍ୱାମୀ ମହାରାଜ, ଓଡ଼ିଶା ଇସ୍କନ ଡାଇରେକ୍ଟର ପ୍ରେମାନନ୍ଦ  ଦାସମହାରାଜ ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଭୁବନେଶ୍ୱର  ବନମାଳି ଚନ୍ଦ୍ର ଦାସ ସାମିଲ ହୋଇଥିଲେ । ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ  ପାଢ଼ୀ ଓ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ବୈଠକରେ  ଉପସ୍ଥିତ ଥିଲେ । 

ବୈଠକରେ, ଶ୍ରୀମନ୍ଦିର ତରଫରୁ  ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ, ଆଷାଢ଼ ଶୁକ୍ଳ  ଦ୍ୱିତୀୟା ଠାରୁ ଦଶମୀ ମଧ୍ୟରେ ହିଁ ମହାପ୍ରଭୁଙ୍କ ରଥଯାତ୍ରାର  ଶାସ୍ତ୍ର ସମ୍ମତ ବିଧି ରହିଛି । ତେଣୁ ଏହି ସମୟରେ ହିଁ  ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ କରାଯାଇପାରିବ । ଏଥିରେ ବ୍ୟତିକ୍ରମ ହୋଇପାରିବ ନାହିଁ । ଏନେଇ ଉଭୟ  ପକ୍ଷର ଗବେଷକମାନେ ଶୀଘ୍ର ଆଲୋଚନା କରିବେ ବୋଲି  ବୈଠକରେ ନିଷ୍ପତ୍ତି ହେଲା । ଇସ୍କନ କର୍ତ୍ତୃପକ୍ଷ ଆଗାମୀ  ଫେବ୍ରୁଆରି ମାସରେ ହେବାକୁ ଥିବା ତାଙ୍କ ଗଭର୍ଣ୍ଣିଂ ବଡି  ବୈଠକରେ ଏସମ୍ବନ୍ଧରେ ପ୍ରସ୍ତାବ ଆଗତ କରିବେ ବୋଲି  କହିଥିଲେ । 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ  ପାଢ଼ୀ ଏନେଇ ସୂଚନା ଦେଇ କହିଛନ୍ତି, ଅନ୍ୟ ଦିନରେ  ରଥଯାତ୍ରା କରିବା ପାଇଁ ଇସ୍କନ କହିଥିଲା । ହେଲେ  ଶ୍ରୀମନ୍ଦିର ପ୍ରଶାସନ ଏଭଳି ନ କରିବାକୁ ଅନୁରୋଧ  କରିଛି । ଇସ୍କନର ଗଭର୍ଣ୍ଣିଂ ବଡ଼ି କମିଶନ ବୈଠକରେ  ଏହି ପ୍ରସଙ୍ଗ ଉପସ୍ଥାପିତ କରି ପଲିସୀ ଆଣିବାକୁ ଇସ୍କନକୁ  କୁହାଯାଇଛି ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । 

ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ଇସ୍କନକୁ ସୂଚନା ଦିଆଯାଇଛି ଯେ,  ଶ୍ରୀମନ୍ଦିର ପରମ୍ପରାକୁ କ୍ଷୁଣ୍ଣ କଲା ଭଳି କୌଣସି ଜିନିଷ  କରିବା କଥା ନୁହେଁ । ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ,  ବାମଦେବ ସଂହିତା, ନୀଳାଦ୍ରି ମହୋଦୟ ସବୁ ପୁରାଣରେ  ବର୍ଣ୍ଣିତ ଅଛି ଗୁଣ୍ଡିଚା ଯାତ୍ରା ଅନ୍ୟ ତିଥିରେ ହୋଇପାରିବନି ।  ଏଣୁ ଏହି ପରମ୍ପରା ବଜାୟ ରହିବା ଆବଶ୍ୟକ ।