ପୁରୀ ୦୭/୦୬: ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥ ଖଳା। ଜୋର୍ସୋର ଆଗେଇ ଚାଲିଛି ବିଶ୍ବ ନିଅନ୍ତାଙ୍କ ରଥ ନିର୍ମାଣ। ସ୍ନାନ ପୂର୍ଣ୍ଣିମା ୪ ଦିନ ପୂର୍ବରୁ ଉଠିଲା ଚାରିନାହାକ। ମୁଖ୍ୟ ବିଶ୍ବକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବାୟତମାନେ ତିନି ରଥର ଚାରିନାହାକ ଉପରକୁ ଉଠାଇଛନ୍ତି। ଏହା ପରେ ପରମ୍ପରା ଅନୁଯାୟୀ ରଥ ଉପରେ ରହି ତୃତୀୟ ହରି ବୋଲ ପକାଇଛନ୍ତି। ପରେ ରଥର ଉପରି ଅଂଶ କାମ ଆରମ୍ଭ ହେବ ବୋଲି ଜଣାପଡିଛି।
ଆଜି ସକାଳୁ ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲ ଗୟଳ ଆଗ ଏବଂ ପଛ ନିରାଡି ସହ ସଂଯୁକ୍ତ ହୋଇ ମୋଡ଼ାଯାଇଥିଲ। ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ସାତ ଗୋଟି ଟାଣ ବା ଖମ୍ବି ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଛି। ତିନିରଥ ଚାରି ନାହାକା ଉଠିବା ସହଜ ହେବାପାଇଁ ଭୋଇ ସେବକ ମାନେ ପୋଲା ଗୟଳ ଉପରେ ଭାରା ବାନ୍ଧି ଫାଳୀ ବଟନ କାଠ ପକାଇଥିଲେ। ପରେ ଆଜି ତିନି ରଥ ଚାରିନାହାକା ଉପରକୁ ଉଠାଯାଇଥିଲା।
ତିନି ରଥର ଗାରେଡ଼ି ଏବଂ ଅଁଳା ନିର୍ମାଣ ପାଇଁ ରଥ ଅମୀନ ତିନି ରଥ ଚାଳିକୁ ୪ ଗୋଟି ଲେଖାଏଁ ୬ ଫୁଟ ଲମ୍ବ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇଥିଲେ। ଯାହାକି ତିନିରଥ ମହାରଣା ସେବକ ମାନେ ତାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ତିନିରଥର ଶେଷ ଦୁଇଟି ଲେଖାଏଁ ଗୟଳ ର ଚଉପଟ କାର୍ଯ୍ୟ ତିନିରଥ ର ମହାରଣା ସେବକ ମାନେ ଶେଷ କରିଛନ୍ତି।
ସେପଟେ ରୂପକାର ସେବକ ମାନେ ତିନିରଥର ନାଟ ଗୋଡ଼ରେ ରହୁରୁପ ବା ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ଏବଂ ଗୟଳ ପାଇଁ ତାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।