ପୁରୀ,୦୫/୦୬: ଗୁରୁବାର ୩ ରଥରେ ଚାରି ନାହାକା ଉଠିଲା । ରଥ ଉପର ଭାଗ ନିର୍ମାଣ ପୂର୍ବରୁ ଏହା ପ୍ରାଥମିକ କାର୍ଯ୍ୟ । ସ୍ନାନ ପୂର୍ଣ୍ଣମୀର ଯଥେଷ୍ଟ ପୂର୍ବରୁ ଚାରି ନାହାକା ଉଠାଯିବା ରଥ ନିର୍ମାଣର ଅଗ୍ରଗତି ସୂଚାଉଛି । ଚାରି ନାହାକା ଉଠାଇ ସାରି ଭୋଇସେବକମାନେ ହରିବୋଲ ଧ୍ୱନି ଦେଇଥିଲେ । ରଥ ନିର୍ମାଣ ପରମ୍ପରାରେ ଏହା ହେଉଛି ତୃତୀୟ ହରିବୋଲ ଡ଼ାକ । ଏଥିସହ ଦୁଇ ଗୋଟି ଲେଖାଏଁ ପାଶ୍ୱର୍ ନିରାଡ଼ି ରଥରେ ଲାଗିଯାଇଛି ।

ଗରଗରା କଣ୍ଟା ପଡ଼ିଗୟଳ ମୋଡ଼ାଯିବାପରେ ଚାରି ନାହାକା ଉଠିବା ପାଇଁ ପ୍ରସ୍ତୁତି ହୋଇଥିଲା । ଆଗେ ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନେ ଅନୁକୂଳ କରିଥିଲେ । ଏହାପରେ ରଥରେ ୪ଟି ଫାଳିକୁ ଭୋଇ ସେବକମାନେ ବାନ୍ଧିଥିଲେ । ଚାରି ନାହାକର ତଳପଟେ ପନିକିପଟା ଓ ଉପରେ ସାଲ ହୋଇଥିଲା । ଭୋଇ ସେବକମାନେ ଫାଳି କାଠ ଉପରେ ଚଢ଼ି ଚାରି ନାହାକା ପୋତିଥିଲେ । ଗରଗରାର ବିନ୍ଧରେ ଚାରି ନାହାକା କାଠ ୪ଟିର ପନିକିପଟା ପାଶ୍ୱର୍କୁ ଭର୍ତ୍ତି କରାଯାଇଥିଲା । ଏହାପରେ ୩ୟ ଥର ପାଇଁ ଭୋଇ ସେବକମାନେ ହରିବୋଲ ପକାଇଥିଲେ । ପରେ ତିନିଟି ଲେଖାଏଁ ଜଳଯନ୍ତ୍ର ଓ ୨ଟି ଲେଖାଏଁ ଗୁଜ ସ୍ଥାପନ କରାଯାଇ ତିନି ରଥର ପାଶ୍ୱର୍ ନିରାଡି ଉଠିଥିଲା ।

ଅଧିକ ପଢ଼ନ୍ତୁ :- Rapid Urban Growth : କଂକ୍ରିଟ୍ ଜଙ୍ଗଲ ଭିତରେ ଅଣନିଶ୍ୱାସୀ ହୋଇଗଲେଣି ଭୁବନେଶ୍ୱରବାସୀ, କାନ୍ଦୁଛି ଖଣ୍ଡଗିରି-ଉଦୟଗିରି, ଭରତପୁର ଡାକୁଛି ବଞ୍ଚାଅ

ଦଣ୍ଡା ସହିତ ଗୟଳକୁ ଢେରି ରଖିବା ପାଇଁ ଟାଣ ଦିଆଗଲା । ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୭ଟି ଲେଖାଏଁ ଟାଣ ଓ ଦେବଦଳନ ରଥରେ ୫ଟି ଟାଣ ଦିଆଯାଇଛି । ସେହିଭଳି ପ୍ରତ୍ୟେକ ରଥରେ ୪ଟି ଲେଖାଏଁ ଅଶୁଂଆରି ଲାଗିଛି । ତିନି ରଥରେ ୨ଟି ଲେଖାଏଁ ଗୟଳକୁ ଭୋଇ ସେବକମାନେ ଟେକି ଆଣି ଆଗ ପଛ ନିରାଡି ଉପରେ ରଖିଥିଲେ । ମୁଖ୍ୟ ବିଶ୍ୱକର୍ମାମାନଙ୍କ ତତ୍ତ୍ୱ।ବଧାନରେ ଭୋଇ ସେବକମାନେ ଏହି କାମ ସମ୍ପନ୍ନ କରିଛନ୍ତି । କରତି ସେବକ, ଓଝା ଓ ରୁପକାର ସେବକମାନେ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଆଗକୁ ଚାରି ନାହାକା ଉପରେ ଛଅ କାଠ ଉଠିବ । ଉତ୍ତମ ସମନ୍ୱୟ ମଧ୍ୟରେ ତିନି ରଥର ନିର୍ମାଣକାର୍ଯ୍ୟ ଚାଲିଛି ।