ପୁରୀ,୧୫/୦୫: ବୁଧବାର ତିନି ରଥର ଦୁଇଟି  ଲେଖାଏଁ ମୋଟ ୬ଟି ନାହାକା ଚକ ନିର୍ମାଣ ଶେଷ ହୋଇଛି ।  ଭଉଁରୀରେ ୨ଟି ନାହାକା ଚକ ସହିତ ନାହାକା  ଅଖ ସଂଯୁକ୍ତ ହେବ । ଏଣୁ ଅଖ ନିର୍ମାଣ ପାଇଁ  ବୁଧବାର ଭୋଇ ସେବକମାନେ ୪୦ ଫୁଟିଆ କାଠ ଅଖ କାଠ  ଯଥା ସ୍ଥାନରେ ପକାଇଛନ୍ତି । ପ୍ରତି ରଥର ଗୋଟିଏ ଲେଖା ଅଖ  ନିର୍ମାଣ ହେଲେ ନାହାକା ଚକ ସହ ଅଖ ସଂଯୋଗ ହେବ । ଗୁରୁବାର ବିଶ୍ୱକର୍ମାମାନେ ଅଖ କାର୍ଯ୍ୟ ଅନୁକୂଳ କରିବେ । 

ତାଳଧ୍ୱଜ ରଥର ଦୁଇଟି ନାହାକା ଚକ ନିର୍ମାଣ ସରି ଆଉ ୨  ଚକ ନିର୍ମାଣ ଚାଲିଥିବା କହିଛନ୍ତି ବିଶ୍ୱକର୍ମା ବାଳକୃଷ୍ଣ ମହାରଣା ।  ଚକରେ ପହି ପିନ୍ଧା ପରେ କଳସା ହୋଇଛି । ପ୍ରାୟତଃ ତିନି  ରଥର କାର୍ଯ୍ୟ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଆଗଉଛି ।  ଦେବଦଳନ ରଥର ୪ଟି ନାହାକା ଚକରୁ ଦୁଇଟି ନାହାକା ଚକ ନିର୍ମାଣ ଶେଷ ହୋଇଛି । ଅନ୍ୟ  ଦୁଇ ନାହାକା ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ । 

ନନ୍ଦିଘୋଷ  ରଥର ମୋଟ ୪ଟି ନାହାକା ଚକରୁ ୨ଟି ଶେଷ ହୋଇ ଆଉ ଦୁଇଟି  ଚକ କାର୍ଯ୍ୟ ଶେଷ ହେବା ଉପରେ । ଅନ୍ୟ ଚକ ପାଇଁ ପହିରେ  ବିନ୍ଧ ଚାଲିଛି । ଏଥିସହ ଯନ୍ତାଗାଡ଼ରେ ପଡ଼ି ସିଙ୍ଗଡ଼ା (ତୁମ୍ବରେ  ଅର ସଂଯୋଗ) ପ୍ରସ୍ତୁତ କରୁଛନ୍ତି ଭୋଇସେବକ । ରୂପକାର ସେବକମାନେ ଗୁଜରେ ସିଂହ ବିରାଳ ମୂର୍ତ୍ତି ନିର୍ମାଣ କରୁଛନ୍ତି ।

ମେସିନ୍‌ରେ ବଳା ତିଆରି ପ୍ରଥମ

 

ପ୍ରଥମ କରି ମେସିନ୍‌ରେ ପ୍ରସ୍ତୁତ ହେଉଛି ରଥର ବଳା । ମହାପ୍ରଭୁଙ୍କ  କମାର ସେବକମାନେ ଏହି ମେସିନ୍‌ ତିଆରି ବଳା ଠାକୁରଙ୍କ  କାର୍ଯ୍ୟରେ ଲଗାଇଛନ୍ତି ।  ରଥ ଚକର ତୁମ୍ବର ବାହାର  ପାଶ୍ୱର୍ରେ ଲାଗିଥାଏ ଲୁହା  ବଳା । ଏହି ମେସିନ୍‌ର  ଓଜନ ପ୍ରାୟ ୪ କିଲୋ ।  ଗୋଟିଏ ଲୁହା ରିଙ୍ଗ୍‌ରେ  ଏହି ମେସିନ୍‌ ତିଆରି  ହୋଇ ଚାଳିର ଖୁମ୍ବରେ  ଓଲ୍ଡିଂ କରାଯାଇ ବେସ୍‌  ପ୍ରସ୍ତୁତ ହୋଇଛି । ସେଥିରେ ବୋଲ୍ଟ ସାହାଯ୍ୟରେ ଜାମ୍‌ ଦିଆଯାଇ  ଧିରେ ବୁଲାଇ ମାପ ଅନୁସାରେ ନିର୍ଦ୍ଦିଷ୍ଟ ଆକାରର ବଳା ତିଆରି  ହେଉଛି । ଆବଶ୍ୟକ ସାଇଜ୍‌ରେ ବଳା ତିଆରି ରିପିଟ୍‌ ମାରି ବଳା  ପ୍ରସ୍ତୁତ ହେଉଛି । ମେସିନ୍‌ରେ ୧୫ଟି ବଳା ତିଆରି ସରିଛି । ଆଗକୁ  ପନ୍ଦାରି ପାଇଁ ମଧ୍ୟ ମେସିନ୍‌ ତିଆରି ହେବ ବୋଲି ନନ୍ଦିଘୋଷର ମୁଖ୍ୟ  କମାର ସେବକ ଦାଶରଥି ମହାରଣା କହିଛନ୍ତି