ପୁରୀ,୨୫/୦୫: ଶନିବାର ରଥର ଚଉଦନାହାକା କାମ ଆରମ୍ଭ ହୋଇଛି । ବିଶ୍ୱକର୍ମାମାନେ ବାରିସିରେ ହାଣି ଏହି ଚଉଦଟି କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ । ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ଚଉଦନାହାକା ବୁଲିବ । ଦଣ୍ଡା ଉପରେ ଗରଗରା ଓ ସେଥିରେ ରହିବ ଚାରିନାହାକା । ରଥରେ ଚଉଦନାହାକା ବୁଲିଲେ ପ୍ରଥମ ଭୂଇଁ ଟୁଙ୍ଗୁରା ହେବ । ରଥରେ ତିନୋଟି ଭୂଇଁ ନିର୍ମାଣ ହେବ ।
ଚଉତା କାଠରେ ସୂତା ମରା ଶେଷ ହୋଇ ବିନ୍ଧ ଅନୁକୂଳ ପାଇଁ ପ୍ରସ୍ତୁତି ସରିଛି । ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ସୂତାର ମହାରଣାଙ୍କ ଦ୍ୱାରା ସୂତାମରା ଯାଇଛି । ତିନି ରଥର ୧୨ଟି କରି ମୋଟ ୩୬ଟି ଚଉତା କାଠ । ଏହା ହେଉଛି ରଥର ଉପରିଭାଗ କାର୍ଯ୍ୟ । ଏଥିସହ ରଥର ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ୪୨ ଚକ ମଧ୍ୟରୁ ୩୬ ଚକ ପ୍ରାୟ ଶେଷ । ତାଳଧ୍ୱଜ ରଥର ୧୨ ନମ୍ବର ଚକ ଶେଷ ହୋଇଛି । ନନ୍ଦିଘୋଷର ୧୪ନମ୍ବର ଓ ଦେବଦଳନ ରଥ ୧୦ ନମ୍ବର ଶେଷ । ଏବେ ଶେଷ ଚକ ଗୁଡ଼ିକର ପହିରେ ବିନ୍ଧ ଖୋଦେଇ ଜାରି ରହିଛି । ରଥର ଯୋକା ନିର୍ମାଣ ଶେଷ ପର୍ଯ୍ୟାୟରେ । ରଥ ଚତୁଃପାଶ୍ୱର୍ରେ ଯୋକା ସ୍ଥାପନ ହେବ । ତିନିର ରଥର ମୋଟ ୪୪ଟି ଯୋକା ରହିଛି ।
ଶନିବାର ଚାରପରିଛା ତିଆରିଛନ୍ତି ବିଶ୍ୱକର୍ମା । ରୂପକାର ଏଥିରେ ଖୋଦେଇ ଆରମ୍ଭ କରିବେ । ଦଣ୍ଡା, ଗୟଳ ଓ ଅଖ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥ ଖଳାରେ ପହଞ୍ଚିନି । ରଥର ଏହି ତିନି ଅଂଶ ତିଆରି ପାଇଁ ଆବଶ୍ୟକ ହୁଏ ୪୦ ଫୁଟିଆ କାଠ । ଏହି ସବୁ କାଠ ଶୀଘ୍ର ପହଞ୍ଚିଲେ ରଥ କାର୍ଯ୍ୟ ସ୍ୱାଭାବିକ ଆଗେଇବ ବୋଲି କୁହନ୍ତି ନିର୍ମାଣକାରୀ । ଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର । କମାର ସେବକମାନେ ଅସ୍ଥାୟୀ ଶାଳରେ ରଥ ପାଇଁ ଦଣ୍ଡା ବିଡ଼ିଆ ଓ ଚଉରସ କଣ୍ଟା ନିର୍ମାଣ କରୁଛନ୍ତି । ଦୋଳବେଦି ପରିସରରେ ପାହି ମହାରଣାଙ୍କ ଦ୍ୱାରା ଠାକୁରଙ୍କ ସ୍ନାନଯାତ୍ରା ଓ ରଥ ଯାତ୍ରା ପାଇଁ ଆବଶ୍ୟକ ଉପକରଣ ପ୍ରସ୍ତୁତ ହେଉଥିବା ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।