ପୁରୀ,୨୫/୦୫: ଶନିବାର ରଥର  ଚଉଦନାହାକା କାମ ଆରମ୍ଭ ହୋଇଛି । ବିଶ୍ୱକର୍ମାମାନେ ବାରିସିରେ ହାଣି ଏହି ଚଉଦଟି  କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ ।  ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ଚଉଦନାହାକା ବୁଲିବ । ଦଣ୍ଡା ଉପରେ ଗରଗରା  ଓ ସେଥିରେ ରହିବ ଚାରିନାହାକା । ରଥରେ ଚଉଦନାହାକା ବୁଲିଲେ ପ୍ରଥମ ଭୂଇଁ ଟୁଙ୍ଗୁରା  ହେବ । ରଥରେ ତିନୋଟି ଭୂଇଁ ନିର୍ମାଣ ହେବ । 

ଚଉତା କାଠରେ ସୂତା ମରା ଶେଷ ହୋଇ  ବିନ୍ଧ ଅନୁକୂଳ ପାଇଁ ପ୍ରସ୍ତୁତି ସରିଛି । ମୁଖ୍ୟ  ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ସୂତାର ମହାରଣାଙ୍କ ଦ୍ୱାରା ସୂତାମରା ଯାଇଛି । ତିନି ରଥର ୧୨ଟି କରି  ମୋଟ ୩୬ଟି ଚଉତା କାଠ । ଏହା ହେଉଛି  ରଥର ଉପରିଭାଗ କାର୍ଯ୍ୟ । ଏଥିସହ ରଥର  ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି  ରଥର ୪୨ ଚକ ମଧ୍ୟରୁ ୩୬ ଚକ ପ୍ରାୟ ଶେଷ ।  ତାଳଧ୍ୱଜ ରଥର ୧୨ ନମ୍ବର ଚକ ଶେଷ  ହୋଇଛି । ନନ୍ଦିଘୋଷର ୧୪ନମ୍ବର ଓ ଦେବଦଳନ  ରଥ ୧୦ ନମ୍ବର ଶେଷ । ଏବେ ଶେଷ ଚକ  ଗୁଡ଼ିକର ପହିରେ ବିନ୍ଧ ଖୋଦେଇ ଜାରି ରହିଛି ।  ରଥର ଯୋକା ନିର୍ମାଣ ଶେଷ ପର୍ଯ୍ୟାୟରେ । ରଥ  ଚତୁଃପାଶ୍ୱର୍ରେ ଯୋକା ସ୍ଥାପନ ହେବ । ତିନିର  ରଥର ମୋଟ ୪୪ଟି ଯୋକା ରହିଛି ।  

ଶନିବାର ଚାରପରିଛା ତିଆରିଛନ୍ତି ବିଶ୍ୱକର୍ମା । ରୂପକାର ଏଥିରେ ଖୋଦେଇ ଆରମ୍ଭ କରିବେ ।  ଦଣ୍ଡା, ଗୟଳ ଓ ଅଖ ନିର୍ମାଣ ପାଇଁ ଆବଶ୍ୟକ  କାଠ ରଥ ଖଳାରେ ପହଞ୍ଚିନି । ରଥର ଏହି  ତିନି ଅଂଶ ତିଆରି ପାଇଁ ଆବଶ୍ୟକ ହୁଏ  ୪୦ ଫୁଟିଆ କାଠ । ଏହି ସବୁ କାଠ ଶୀଘ୍ର  ପହଞ୍ଚିଲେ ରଥ କାର୍ଯ୍ୟ ସ୍ୱାଭାବିକ ଆଗେଇବ  ବୋଲି କୁହନ୍ତି ନିର୍ମାଣକାରୀ । ଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର । କମାର ସେବକମାନେ ଅସ୍ଥାୟୀ ଶାଳରେ ରଥ  ପାଇଁ ଦଣ୍ଡା ବିଡ଼ିଆ ଓ ଚଉରସ କଣ୍ଟା ନିର୍ମାଣ  କରୁଛନ୍ତି । ଦୋଳବେଦି ପରିସରରେ ପାହି ମହାରଣାଙ୍କ ଦ୍ୱାରା ଠାକୁରଙ୍କ ସ୍ନାନଯାତ୍ରା ଓ  ରଥ ଯାତ୍ରା ପାଇଁ ଆବଶ୍ୟକ ଉପକରଣ ପ୍ରସ୍ତୁତ  ହେଉଥିବା ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ  ଜିତେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।