ପୁରୀ, ୨୮/୦୫: ଚାଲିଛି ଦାରୁବ୍ରହ୍ମଙ୍କ ତିନି ରଥ ନିର୍ମାଣ ।  ରଥର ଦଣ୍ଡା କାମ ଜାରି ରହିଛି । ବିଶ୍ୱକର୍ମାମାନେ ବଡ଼ଦାଣ୍ଡରେ କାଠରେ ବାରିସି ଚଳାଇ ଦଣ୍ଡା ତିଆରୁଛନ୍ତି । ୫ ଦଣ୍ଡା କାର୍ଯ୍ୟ ଜାରି ରହିଛି । ଭୋଇସେବକମାନେ ବିଶ୍ୱକର୍ମାଙ୍କ ପରାମର୍ଶ ଅନୁସାରେ ସହଯୋଗ କରୁଛନ୍ତି । କାଠ ବୁଲାଇ ସଜାଡ଼ିବା ପରେ ଉଭୟ ପାର୍ଶ୍ୱର  ସାଲ(ମାପ ଅନୁସାରେ କାଟିବା) କରାଯାଉଛି । ପାଶ୍ୱର୍ ଦଣ୍ଡା ହଣା ଚାଲିଛି । ପୂର୍ବରୁ ମୁହାଁଟି ତିଆରି ରଥ ଖଳାରେ ସାଇତା ରହିଛି । ୫ ଦଣ୍ଡା ହଣା ସରିଲେ ବଡ଼ଦାଣ୍ଡରେ ନିର୍ମାଣକାରୀ ଦଣ୍ଡା ଫ୍ରେମ୍ ତିଆରିବେ ।

ପାଞ୍ଚ ଦଣ୍ଡାରେ ଲାଗିବ ଆଗ-ପଛ ମୁହାଁଟି । ମୁହାଁଟିରେ ୫ଟି ବିନ୍ଧ ହୋଇ ଦଣ୍ଡାରେ ଫିଟିଂ ହେବ । ମୁଖ୍ୟ ପାଞ୍ଚ ଦଣ୍ଡାରେ ଲାଗିବ ମୁହାଁଟି । ଆଗ ଓ ପଛ ମୁହାଁଟିରେ ପୋତା ହେବ ଗୁଜ । ୫ ଗୁଜ ଉପରେ ନିରାଡ଼ି ଉଠିବ । ଏହାପରେ ଚତୁଃପାଶ୍ୱର୍ରେ କୁଡ଼ୁକା ଲାଗିବ । ପାଶ୍ୱର୍ ଦଣ୍ଡା ଲାଗିବ । ପାଶ୍ୱର୍ ମୁହାଁଟି ସ୍ଥାପନ ହେବ । ପାଶ୍ୱର୍ ମୁହାଁଟିରେ କୋଣ ଗୁଜ ଓ ଜଳଯନ୍ତ୍ର ସ୍ଥାପନ ହୋଇ ପାଶ୍ୱର୍ ନିରାଡ଼ି ସ୍ଥାପନ ହେବ । ବଡ଼ଦାଣ୍ଡରେ ଫ୍ରେମ୍ ପ୍ରସ୍ତୁତ ହେଲା ପରେ ରଥରେ ଫିଟିଂ ହେବ । ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ରଥତ୍ରୟର ମୋଟ ୪୨ ଚକ ଓ ୨୧ ଅଖ କାମ ଶେଷ ହୋଇଥିବା ସ୍ଥଳେ ଆଗକୁ ସଂଯୋଗ ହେବ । ଚକ ଓ ଅଖ ଗୁଡିକ ମାପଚୁପ ହେଲେ ରଥର ମୂଳଦୁଆ ପ୍ରସ୍ତୁତ ହେବ ।