ପୁରୀ,୧୯/୦୫: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟକୁ ସମସ୍ତ ରଥ ନିର୍ମାଣ କାରୀ ସେବକ ମାନେ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି। ପୁରୀ ଶ୍ରୀନଅର ସମ୍ମୁଖ ରଥଖଳା ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇପଡିଛି। ତିନି ରଥର ସମସ୍ତ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଚକ ନିର୍ମାଣ ପାଇଁ ସମସ୍ତ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଯନ୍ତା ଗାଡରେ ଶେଷ ହେବା ପରେ ଯନ୍ତା ଗାଡ ମୂଜା ଶେଷ କରିଛନ୍ତି ଭୋଇ ସେବକ। ତିନି ରଥର ପାଞ୍ଚଟି ଲେଖାଏ ଜଗତପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ସହିତ ଦୁଇଟି ଲେଖାଏଁ ଧୂଳିଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ରଥଖଳାରେ ମହାରଣା ମାନେ ଚାର ପରଛାର ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି। ତାଳଧ୍ଵଜ ରଥର ପୋଲ ଗୟଳ ଚିରଟ ପାଇଁ ରଥ ଅମିନ ଭୋଇ ସେବକଙ୍କ ସହାୟତାରେ ୪୦ ଫୁଟିଆ ଧଉରା କାଠ କରତି ସେବକଙ୍କୁ ଯୋଗା ଯାଇଛି। ପୋଲ ଗୟଳ କାଠ ଚିରଟ ପୂର୍ବରୁ ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି। ରୂପକାର ସେବକ ମାନେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି। ରଥର ନିର୍ମାଣ ସରିଥିବା ସମସ୍ତ ଚକ ଏବଂ ଅନ୍ୟ ଅଂଶ ଗୁଡ଼ିକୁ ପ୍ରବଳ ଖରା ଦାଉରୁ ରକ୍ଷା ପାଇବା ପାଇଁ ସ୍ବତନ୍ତ୍ର ସ୍ଥାନରେ ଶ୍ରୀମନ୍ଦିର ପ୍ରଶାସନ ରଖିଛି।

ଭଉଁରୀ ଉତ୍ସବରେ ପ୍ରତି ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୁକ୍ତ ହୋଇଥିଲା । ମୋଟ ୨୧ ଅଖ ଭିତରୁ ନାହାକା ଅଖ ତିନୋଟି ପ୍ରସ୍ତୁତ ହୋଇ ଚକ ସଂଯୁକ୍ତ ସରିଛି । ଏବେ ଆଉ ୧୮ଟି ଅଖ ତିଆରି ଶେଷ ହେଲେ ବାକି ୩୬ ଚକ ସହ ଯୋଡ଼ା ହେଲେ ରଥ କାର୍ଯ୍ୟ ଉପରକୁ ଉଠିବ।

ରଥର ଧୂଳିଦଣ୍ଡା ଓ ଜଗତପୃଷ୍ଠ ଶେଣି ତିଆରି ଚାଲିଛି । ଶେଷ ୩ଟି ସିଙ୍ଗଡ଼ା ଚାଳିକୁ ଆସିବା ପରେ ବିଲେଇ ବାଡ଼ିଆ ପଦ୍ଧତିରେ ଶେଷ ଚକ ପ୍ରସ୍ତୁତ ହେଉଛି । ରଥ ଅମିନଙ୍କ ତତ୍ତା୍ୱବଧାନରେ ରଥ ଖଳାକୁ ଅଖ କାଠ ଓ ଦଣ୍ଡା କାଠ ଯୋଗାଇ ଦିଆଯାଇଛି । ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥର ୯ ଲେଖାଏଁ ଦଣ୍ଡା ରହିଥିବା ବେଳେ ଦେବଦଳନ ରଥର ୭ ଦଣ୍ଡା । ଅଖ ଉପରେ ଦଣ୍ଡା ରହିବ । ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଚାଲିଛି ।

ରୂପକାର ସେବକମାନେ ତିନି ରଥର କୋଣଗୁଜରେ ରୂପ ଖୋଦେଇ ସାରି ତୀଖ ଗୁଜରେ ସିଂହବିରାଳ ମୂର୍ତ୍ତି ତିଆରୁଛନ୍ତି । ଦୋଳବେଦି ପରିସରରେ ଓଝା ସେବକମାନେ ରଥ ପାଇଁ ଦରକାର ଲୁହା କଣ୍ଟା ତିଆରୁଛନ୍ତି । ସିଙ୍ଗଡ଼ା ବାଡ଼ିଆ ଶେଷ ପରେ ଯନ୍ତା ଗାଡ଼ ବୁଜାଯାଇଛି । 

ଅଧିକ ପଢ଼ନ୍ତୁ :-  Iskcon Ratha Yatra: ହାପୁରରେ ଅଦିନିଆ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି, ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ରଥଖଳା ଭଳି ଦୋଳବେଦୀ ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇପଡିଛି। ପବିତ୍ର ସ୍ନାନଯାତ୍ରା ଏବଂ ରଥଯାତ୍ରା ନିମନ୍ତେ ଠାକୁରଙ୍କ ପୂଜା ନୀତି ପାଇଁ ପାହି ମହାରଣା ବିଭିନ୍ନ ପ୍ରକାରର ସରଞ୍ଜାମ ନିର୍ମାଣ କରୁଛନ୍ତି। ଠାକୁରଙ୍କ ପୂଜା ନୀତି ପାଇଁ କୁରୁମ ପିଢ଼ା, ମହାପ୍ରଭୁଙ୍କ ବିଜେ ଡୋରି, ଶ୍ରୀଅଙ୍ଗ ପଇତା ପ୍ରସ୍ତୁତି ସହ ପାଟରା ସେବକ ମାନଙ୍କ ପାଇଁ ବାଉଁଶ କାଠି ସରଞ୍ଜାମ ନିର୍ମାଣ କରୁଛନ୍ତି।