ପୁରୀ,୧୦/୦୬: ବେଶ୍‌ ତତ୍ପରତାର ସହ ଚାଲିଛି ଠାକୁରଙ୍କ ରଥ ନିର୍ମାଣ । ସୋମବାର ତିନି ରଥରେ ଯୋକା ଲାଗିବା କାର୍ଯ୍ୟ ଶେଷ ହେବା ସହ ଖଳାରେ ରଥର ପ୍ରଥମ ଭୂଇଁର ଫ୍ରେମ୍‌ ପ୍ରସ୍ତୁତ ହୋଇଛି । ପରେ ଏହାକୁ ନମ୍ବରିଂ କରି ଖୋଲାଯିବ । ମଙ୍ଗଳବାର ରଥରେ ଛଅ କାଠ ଉଠାଇ  ନମ୍ବରିଂ ଅନୁସାରେ ରଥରେ ସ୍ଥାପନ ହେବ ପ୍ରଥମ ଭୂଇଁ । ଏପଟେ ରଥରେ ଛଅ କାଠ ଉଠାଇବାକୁ ବିଶ୍ୱକର୍ମା ଓ ଭୋଇ ସେବକମାନେ  ସମସ୍ତ ପ୍ରସ୍ତୁତି ସାରିଛନ୍ତି । ଏଥିସହ ସୋମବାର ରଥ  ଗୁଣ୍ଡିଆ ସମ୍ପନ୍ନ ହୋଇଛି । ଅର୍ଥାତ୍‌ ରଥର ବଳକା ଅଂଶ  କାଟି ଭୂଇଁ ଉଠିବା ପାଇଁ ରଥକୁ ପ୍ରସ୍ତୁତ କରାଯାଇଛି । 

ରଥଖଳାରେ ପ୍ରଥମ ଭୂଇଁ ମୂଳଦୁଆ ପଡ଼ିଛି ।  ପ୍ରଥମେ ଚଉତା କାଠ ପଡ଼ିଥିଲା । ଖାପ ହୋଇ ୨ଗୋଟି କାଠ ଉପରେ ଆଉ ୨ଟି କାଠ ରହିଲା । ତା’ପରେ ରହିଥିଲା ୨ଟି  ଓରା କାଠ । ଓରା କାଠ ଉପରେ ୪ଟି ଖମ୍ୱି ଖଞ୍ଜାହେଲା । ଖମ୍ୱିରେ ଥିବା ସାଲକୁ ଓରାର ବିନ୍ଧରେ ଭୁଞ୍ଜାଗଲା । ପରେ ନମ୍ବରିଂ ହୋଇ ଫ୍ରେମ୍‌ ଖୋଲାଯିବ । ଭୂଇଁରେ ଥିବା କାଠରେ ବିନ୍ଧ ହୋଇ ପାଖୁଡ଼ା ଲାଗିବ । ଗୋଟିଏ ଭୂଇଁରେ ୧୬ଟି ପାଖୁଡ଼ା ଲାଗିବ । ପାଖୁଡ଼ାଗୁଡ଼ିକ ଦେହରେ ପଡ଼ିବ ମାଛପାତିଆ । ରଥରେ ଛ’ଅ କାଠ ଉଠି ଚଉଦ ନାହାକା ବୁଲିଲେ ଭୂଇଁ ସ୍ଥାପନ ହେବ । ଏହିଭଳି ପ୍ରତି ରଥରେ ତିନୋଟି ଭୂଇଁ ଉଠିବ ।   

ଛଅ କାଠ ଉଠାଇବାକୁ ଭୋଇ  ସେବକମାନେ ଚଣାକ ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିଶ୍ୱକର୍ମାଙ୍କ  ନିର୍ଦ୍ଦେଶରେ ଚାଲିଛି ରଥ ନିର୍ମାଣ । ଖଳାରେ ରଥର ଗାରେଡ଼ି  ଓ ଅଂଳା କାମ ଶେଷ ହୋଇଛି । ଏସବୁ ପ୍ରଭାର ଦୁଇ  ଅଂଶ । ପ୍ରତି ରଥରେ ୮ଟି ଲେଖାଏଁ ଗାରେଡ଼ି ଲାଗିଥାଏ । ନାଟଗୋଡ଼ରେ ଗାରେଡ଼ି ସଂଯୁକ୍ତ ହୁଏ । ସୋମବାର କଳସ  ତିଆରି ପାଇଁ ସିମିଳି କାଠ ଗଣ୍ଡି ବିଶ୍ୱକର୍ମାଙ୍କୁ ଯୋଗାଯାଇଛି ।  ରଥଖଳାରେ ରୂପକାରମାନେ ନାଟଗୋଡ଼ ଖୋଦେଇ କରୁଛନ୍ତି ।