ପୁରୀ ୧୯/୦୫: ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ଆଜି ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଟିମ୍ । ମୋଟ ଉପରେ ଏକାଦଶ ଦିନରେ ଓ ଭିତର ଭଣ୍ଡାରରେ ଷଷ୍ଠ ଦିନରେ ହେବ ରତ୍ନ ଗଣତି । ଦିନତମାମ ବାହାର କାଠରୁ ଦର୍ଶନ ସାନିଧ୍ୟ ନେବେ ଶ୍ରଦ୍ଧାଳୁ । ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ନିଷ୍ପତ୍ତି । କେବଳ ରତ୍ନ ଗଣତି ଦିନ ମାନଙ୍କରେ ବନ୍ଦ ରହିବ ଭିତର କାଠ ଦର୍ଶନ । ଚଳିତ ମାସରେ ଆହୁରି ୭ ଦିନ ଅର୍ଥାତ ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ହେବ ଭିତର ଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ ।

ପୂର୍ବରୁ ଦଶ ଦିନର ଗଣତିରେ ମୋଟ ୬୦ ଘଣ୍ଟାର ଗଣତି ପ୍ରକ୍ରିୟା ସରିଛି । ଚଳନ୍ତି ଭଣ୍ଡାରରେ କେବଳ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଥିବା ଦୁଇ ଅଳଙ୍କାରକୁ ଛାଡ଼ି ଅନ୍ୟ ଅଳଙ୍କାର ଗଣତି ଶେଷ ହୋଇଛି । ବାହାର ଭଣ୍ଡାରରେ ୩ଟି ଅଳଙ୍କାର ଚିହ୍ନଟ ହୋଇ ପାରିନଥିବା ବେଳେ ୧୯୭୮ ତାଲିକା ସହ ମେଳକ ଅନୁଯାୟୀ ଅଳଙ୍କାର ସଂଖ୍ୟା ବଢ଼ିଛି । ସେହିପରି ଭିତର ଭଣ୍ଡାରରେ ପାଞ୍ଚ ଦିନ ଗଣତିରେ ପ୍ରାୟ ୧୩୦ ଅଳଙ୍କାର ଅର୍ଥାତ୍ ୨୫% ଗଣତି ସରିଛି ।

ଅଧିକ ପଢ଼ନ୍ତୁ :- illegal parking : ଖଣ୍ଡଗିରି ପଛ ରାସ୍ତାରେ ବେଆଇନ୍‌ ପାର୍କିଂ, ପିସିଆର୍‌ ନେଉଛି ବସ୍‌ ପିଛା ୧୦୦, ବଟି ଆଦାୟ କରୁଛି ଲୋକାଲ ଦାଦା
​​​​​​​

୧୯୭୮ ତାଲିକା ଅନୁଯାୟୀ ଭିତର ରତ୍ନ ଭଣ୍ଡାରରେ ୪୩୬୪ ଭରିର ୩୬୭ ପ୍ରକାର ସୁନା ଓ ୧୪୮୭୮ ଭରିର ୨୩୧ ପ୍ରକାର ରୁପା ଅଳଙ୍କାର ରହିଛି । ସବୁ ଅଳଙ୍କାରର ୧୯୭୮ ତାଲିକା ଅନୁଯାୟୀ ମେଳକ ସହ ଚିହ୍ନଟ ହୋଇନଥିବା ବେଳେ ଅଧିକ ଅଳଙ୍କାରକୁ ୨୦୨୬ର ନୂଆ ତାଲିକା ସହ ଯୋଗ କରାଯାଉଛି । ମେଳକ ସମୟରେ ସମସ୍ତ ଅଳଙ୍କାରଗୁଡ଼ିକର ୩ଡି ମ୍ୟାପିଙ୍ଗ ଓ ଫଟୋଗ୍ରାଫି, ଭିଡିଓଗ୍ରାଫି କରାଯାଉଛି । ସୁନାକୁ ହଳଦିଆ କପଡ଼ା, ରୁପାକୁ ଧଳା କପଡ଼ା ଓ ଅନ୍ୟ ଅଳଙ୍କାର ସବୁକୁ ନାଲି କପଡ଼ାରେ ରଖି ତାକୁ ଛୋଟ ଷ୍ଟିଲ୍ ବାକ୍ସରେ ରଖିବା ପରେ ନୂଆ ସିନ୍ଦୁକରେ ରଖାଯାଉଛି ।