ପୁରୀ, ୨।୧ : ଆସନ୍ତାକାଲି ଠାରୁ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ କରାଯିବ। ବଡଦିନ ଏବଂ ନବବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଡିସେମ୍ବର ୨୫ ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ସ୍ଥଗିତ ରହିଛି ମରାମତି କାର୍ଯ୍ୟ।ତେବେ ଆସନ୍ତାକାଲି ଠାରୁ ପୁନର୍ବାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଏନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।
ସେପଟେ ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟାକୁ ରତ୍ନଭଣ୍ଡାରରେ ରଖିବା ପାଇଁ ଜଗନ୍ନାଥ ପ୍ରେମୀ ଦାବି କରିଥିବା ବେଳେ ଏନେଇ କୋର୍ଟରେ ମାମଲା ଚାଲିଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ସହିତ ଏ ସମ୍ପର୍କିତ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେହିପରି ରତ୍ନଭଣ୍ଡାର ଭିତର କବାଟକୁ ସୁନା ଛାଉଣୀ କରିବା ପାଇଁ ଦାବି ଉଠିଥିବା ବେଳେ ଏସମ୍ପର୍କରେ ଏଏସଆଇ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ଯାହା କିଛି ନିଷ୍ପତ୍ତି ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।