ଭୁବନେଶ୍ବର, ୨୩/୦୪: ବିଜୁ ଜନତା ଦଳ ରତ୍ନଭଣ୍ଡାର ଚାବି ପ୍ରସଂଗ ନଉଠେଇବା ଭଲ । ସୋସିଆଲ୍ ମିଡିଆରେ ସେମାନେ ଯେଉଁ ସାହସ କରୁଛନ୍ତି ତାଙ୍କ ସାହସ ଗୋଟିଏ ଦିନରେ ଛଡ଼େଇ ଦେବୁ । ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ପ୍ରଶ୍ନ ଯଦି ପଚାରିବୁ କେବଳ ନେତା ନୁହେଁ ସମ୍ପୂର୍ଣ୍ଣ ବିଜେଡି ପାରାଲିସିସରେ ପଳେଇବ । ଗତକାଲି ପ୍ରଣବ ପ୍ରକାଶ ଦାସ ରତ୍ନଭଣ୍ଡାର ଚାବିକୁ ନେଇ ସୋସିଆଲ୍ ମିଡିଆରେ ଯେଉଁ ପୋଷ୍ଟ କରିଥିଲେ, ତା’ର ଏଭଳି ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ବିଜେଡି ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାଶ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଥିଲେ, “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଯେଉଁ ସ୍ତରର ଅପପ୍ରଚାର କରାଗଲା, ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ ବରଂ ଓଡ଼ିଶାବାସୀଙ୍କ ଭାବନା ସହ ଏକ କ୍ରୁର ପରିହାସ । ରାଜନୈତିକ ଫାଇଦା ପାଇଁ କିଭଳି ଗୁଜବକୁ ଅସ୍ତ୍ର କରି ଜନମାନସରେ ଭୟ ଓ ସନ୍ଦେହ ସୃଷ୍ଟି କରାଯାଇ ପାରେ ତାହା ଓଡ଼ିଶା ଦେଖିଲା। ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର। ଏହା କେବଳ ଏକ ସମ୍ପତ୍ତି ନୁହେଁ, ବରଂ କୋଟି କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଯେଉଁମାନେ ମିଥ୍ୟା ପ୍ରଚାର କରିଥିଲେ, ସେମାନଙ୍କର ନୈତିକତାର ସହ ଭୁଲ୍ ସ୍ୱୀକାର କରି କ୍ଷମା ମାଗନ୍ତୁ । ଧର୍ମ ଏବଂ ଭକ୍ତିକୁ ନେଇ ରାଜନୀତି କରୁଥିବା ବ୍ୟକ୍ତିମାନେ ମନେ ରଖିବା ଉଚିତ୍ ଯେ ସତ୍ୟକୁ କିଛି ସମୟ ପାଇଁ ଲୁଚାଇ ରଖାଯାଇପାରେ, କିନ୍ତୁ ସବୁଦିନ ପାଇଁ ନୁହେଁ” ବୋଲି ପ୍ରଣବ ପ୍ରକାଶ ଦାଶ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଯେଉଁସ୍ତରର ଅପପ୍ରଚାର କରାଗଲା, ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ ବରଂ ଓଡ଼ିଶାବାସୀଙ୍କ ଭାବନା ସହ ଏକ କ୍ରୂର ପରିହାସ। ରାଜନୈତିକ ଫାଇଦା ପାଇଁ କିଭଳି ଗୁଜବକୁ ଅସ୍ତ୍ର କରି ଜନମାନସରେ ଭୟ ଓ ସନ୍ଦେହ ସୃଷ୍ଟି କରାଯାଇ ପାରେ ତାହା ଓଡ଼ିଶା ଦେଖିଲା। pic.twitter.com/gA9dAlULFn
— Pranab Prakash Das (@pranabpdas) April 22, 2026
ତେବେ ଏହାର ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ବିଜେଡି ଭଳି ବିଜେପି ମିଥ୍ୟାଚାର କରେ ନାହିଁ । ଯେହେତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କଥା ଆସୁଛି, ସେକଥାକୁ ନେଇ ଆମେ ରାଜନୀତି କରିବାକୁ ଚାହିଁନଥିଲୁ । ରାତ୍ନଭଣ୍ଡାର ଚାବି କେଉଁଠି ଅଛି ପ୍ରଶ୍ନର ଉତ୍ତର ଚାହିଁ ଥିଲେ ଆଜି ବିଜୁ ଜନତା ଦଳ ଏବଂ ବିରୋଧୀ ଦଳ ନେତାଙ୍କୁ ପଚାରିଥାନ୍ତୁ । ସେ ବାବଦରେ ବିଜେପି ମୁହଁ ଖୋଲିନି କାରଣ ମହାପ୍ରଭୁ ଜଗନ୍ନାଥଙ୍କ କଥା ଆସୁଛି । ବିଶେଷ କରି ଏହି ପ୍ରସଂଗକୁ ନେଇ ବାହାରେ କୌଣସି ଆଲୋଚନା ନହେଉ । କିନ୍ତୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା କଥା ସମ୍ପୂର୍ଣ୍ଣ ସତ୍ୟ । ବିଜେଡି ସରକାର ସମୟରେ ଚାବି ଥିଲା ତ ସେମାନେ ଚେଷ୍ଟା କରି କାହିଁକି ରତ୍ନଭଣ୍ଡାର ଖୋଲି ପାରିଲେ ନାହିଁ । ଦ୍ବିତୀୟତଃ ଡୁପ୍ଲିକେଟ୍ ଚାବି ଆଣି କି ଯେଉଁ ଭଳି ଭାବେ ପ୍ରଦର୍ଶନ କରିଥିଲେ, ସେ ଚାବି ସମ୍ପୂର୍ଣ୍ଣ ଏକ ମିଛ ଚାବି ଥିଲା । ରତ୍ନଭଣ୍ଡାର ତାଲା ସହିତ ସେ ଚାବିର କୌଣସି ସାମଞ୍ଜସ୍ୟ ନାହିଁ । ତୃତୀୟତଃ ଯେହେତୁ କୌଣସି ଚାବି ଟ୍ରେଜେରୀରେ ମିଳିଲା ନାହିଁ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାଜ୍ୟ ସରକାର ତାଲାକୁ କାଟିବାକୁ ବାଧ୍ୟ ହେଲେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସେ ବିଜେଡିକୁ ଆହୁରି ଟାର୍ଗେଟ୍ କରିଛନ୍ତି , ଭିତର ରତ୍ନଭଣ୍ଡାରରେ ତାଲା ପଡ଼ିବା ପରେ ସେଥିରେ ଚଉମୁଦ ଦିଆଯାଏ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲ୍ଲା ଟ୍ରେଜେରୀରେ ଚାବି ରଖାଯାଏ । ମାତ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ଯେତେବେଳେ ରାଜ୍ୟ ସରକାର ଅଣ୍ଟାଭିଡ଼ିଲେ ସେତେବେଳେ ଟ୍ରେଜେରୀରେ ଚାବି ମିଳିଲା ନାହିଁ । ସେ ଚାବି କିଏ ନେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଭାରତୀୟ ଜନତା ପାର୍ଟି ନେତାଙ୍କୁ ସୋସିଆଲ୍ ମିଡିଆରେ ଟାର୍ଗେଟ୍ କରିବାକୁ ବିଜୁ ଜନତା ଦଳ ସାହସ କରୁଛି, ତାଙ୍କ ସାହସ ଆମେ ଗୋଟିଏ ଦିନରେ ଛଡ଼େଇ ଦେବୁ । ଚାବି କୁଆଡ଼େ ଯାଇଥିଲା ? ତମ ସରକାର ସମୟରେ କାହିଁକି ରତ୍ନଭଣ୍ଡାର ଖୋଲିଲ ନାହିଁ ? ରତ୍ନଭଣ୍ଡାରର ସେ ମିଛ ଚାବି କେଉଁଠୁ ଆସିଲା ? ଏଭଳି ବହୁ ପ୍ରଶ୍ନର ଅସମାହିତ ଉତ୍ତର ଅଛି । ଯଦି ପ୍ରଶ୍ନ ପଚାରିବୁ ସମ୍ପୂର୍ଣ୍ଣ ବିଜୁ ଜନତା ଦଳ ପାରାଲିସିସ ହୋଇଯିବ । ତେଣୁ କରି ସେ ବ୍ୟବସ୍ଥା ଭିତରକୁ ନଯିବା ଭଲ । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସଂଗ, ତାଙ୍କ କରୁଣାରେ ରତ୍ନଭଣ୍ଡାରର ଗଣତିମଣତି ସୁରୁଖୁରୁରେ ଚାଲିଛି । ତେଣୁ ଏହାକୁ ରାଜନୀତିକରଣ ନକରିବା ଭଲ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଅଧିକ ପଢନ୍ତୁ- ରଥଖଳା ହାଲ୍ଚାଲ୍: ଶାଳରେ ଅନୁକୂଳ ପରେ ଅର କଣ୍ଟା ନିର୍ମାଣ, ୭୫ ଲୌହ ସାମଗ୍ରୀ ପାଇଁ ୪ ଟନ୍ ଲୁହା