ପୁରୀ,୨୩/୦୪: ରଥ ନିର୍ମାଣ ପାଇଁ ଆବଶ୍ୟକ ହୁଏ ପ୍ରାୟ ୭୫ ପ୍ରକାର ଲୌହ ସାମଗ୍ରୀ । ୪ ଟନ୍ ଭଳି ଓଜନର ଲୁହାରେ ରଥତ୍ରୟ ପାଇଁ ପ୍ରସ୍ତୁତ ହୁଏ କଣ୍ଟା, ବଳା ଓ ପନ୍ଦାରି । ବୁଧବାର ଦୋଳବେଦୀରେ ଶାଳ ଅନୁକୂଳ କରି କମାର ତଥା ଓଝା ସେବକମାନେ ଅର କଣ୍ଟା ତିଆରି ଆରମ୍ଭ କରିଛନ୍ତି । ଚକରେ ଲାଗିବ ଅର କଣ୍ଟା । ବିଶ୍ୱକର୍ମାଙ୍କ ବରାଦ ଅନୁସାରେ ଓଝା ସେବକମାନେ ଲୌହ ଜିନିଷ ଯୋଗାଇବେ । ଏପଟେ ରଥ ଖଳାରେ ତୁମ୍ବ ତିଆରିରେ ଲାଗିଛନ୍ତି ନିର୍ମାଣକାରୀ । ମର୍ଦ୍ଦଳାକୃତିର ତୁମ୍ବ ପ୍ରସ୍ତୁତ ହେଉଛି । ରଥଖଳା ଓ ଶାଳ ମଧ୍ୟରେ ସମନ୍ୱୟ ରହି ରଥ ନିର୍ମାଣ କାର୍ଯ୍ୟ ଚାଲିବ ।
ଦୋଳବେଦୀରେ ମାଟି ଓ ଇଟା ସାହାଯ୍ୟରେ ୪ଟି ଅସ୍ଥାୟୀ ଶାଳ ନିର୍ମାଣ ହୋଇଛି । ଠାକୁରଙ୍କ ଅନବସର ନୀତି ପାଇଁ ଗୋଟିଏ ଶାଳ ସମେତ ୩ ରଥ ପାଇଁ ତିନି ସ୍ୱତନ୍ତ୍ର ଶାଳ । ମହାପ୍ରସାଦ, ଶ୍ରୀଫଳ ଆଦି ଦେଇ ମହାପ୍ରଭୁଙ୍କୁ ସ୍ମରଣ କରି ଶାଳରେ ଅଗ୍ନି ସଂଯୋଗ କରାଯାଇଥିଲା । ପରମ୍ପରା ଅନୁସାରେ ଆଗେ ବଡ଼ବାଡ଼ ପରେ ମହାପ୍ରଭୁଙ୍କ ଓ ଦେବୀ ସୁଭଦ୍ରାଙ୍କ ଶାଳରେ ଅନୁକୂଳ ହୋଇଥିଲା । ଶାଳରେ ଆଗେ ପଡ଼ିଲା ଅର କଣ୍ଟା । ଗୋଟିଏ ଚକରେ ୩୨ଟି ଅର କଣ୍ଟା ଲାଗିବ । ରଥ ପାଇଁ ଆବଶ୍ୟକ ସବୁଠାରୁ ଛୋଟ ଗୋଡ଼ିଛାଲ କଣ୍ଟାର ଉଚ୍ଚତା ୨ରୁ ଅଢ଼େଇ ଇଞ୍ଚ । ସବୁଠାରୁ ବଡ଼ ହେଉଛି ଜଙ୍ଘା କଣ୍ଟା ଯାହାର ଉଚ୍ଚତା ସାଢ଼େ ୪ଫୁଟ । ଏହା ରଥର ପୋଟଳ ପ୍ରସ୍ତୁତିରେ ଲାଗେ । ପୋଟଳ ହେଉଛି ରଥର ଉପରଭାଗ ।
ଅଧିକ ପଢ଼ନ୍ତୁ :- ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି: ଏଣିକି ପରିବହନ-ଟ୍ରାଫିକ୍ର ନୂଆ କ୍ୟାଡର୍ ରୁଲ
ବଡ଼ବାଡ଼ର ଶାଢ଼ିବନ୍ଧା କମାର ସେବକ ଅର୍ଜୁନ ମହାରଣା କୁହନ୍ତି, ଏତେ ସବୁ କଣ୍ଟାର ନାମ ଅନ୍ୟ ଦିନରେ ମନେ ପଡ଼େନି । ରଥ ଆସିଗଲେ ପ୍ରଭୁ ସବୁ ସ୍ମରଣ କରାଇ ଦିଅନ୍ତି । ଅକ୍ଷୟତୃତୀୟାରେ ଠାକୁରଙ୍କ ଆଗମନ ପ୍ରସ୍ତୁତି ଠାରୁ ନୀଳାଦ୍ରି ବିଜେରେ ଦିଅଁ ବଡ଼ଦେଉଳକୁ ଫେରିବା ପର୍ଯ୍ୟନ୍ତ ହବିଷ୍ୟ ପାଳି ନିର୍ମାଣକାରୀ ନିହାତି ଶୁଦ୍ଧପୂତରେ ରହିଥାନ୍ତି । ଏହି ସମୟରେ ସେ ଖାଲି ପାଦରେ ରହିଥାନ୍ତି । ବୈଶାଖ କି ଜ୍ୟେଷ୍ଠ ଖରା କିମ୍ବା ନିଆଁର ତାତି ବାଧେନି । ଏସବୁ ମହାପ୍ରଭୁଙ୍କ କୃପା ବିନା ସମ୍ଭବ ନୁହେଁ । ତାଙ୍କ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କୁ ସେ ନିଜେ ହିଁ ବାହୁ ଛାୟାରେ ଆଶ୍ରୟ ଦେଇଥାନ୍ତି ।
ଏପଟେ ଶ୍ରୀନହର ସମ୍ମୁଖ ରଥଖଳାରେ ତୁମ୍ବ ତିଆରିରେ ଲାଗିଛନ୍ତି ନିର୍ମାଣକାରୀ । ମର୍ଦଳ ଆକାରରେ ତିଆରି ହେଉଛି ତୁମ୍ବ । ଗୋଳାକୃତି ତୁମ୍ବ ମଝିରୁ ଶେଷ ପଟକୁ କ୍ରମଶଃ ଅପେକ୍ଷାକୃତ ସରୁ । ସନ୍ଧ୍ୟା ସୁଦ୍ଧା ରଥ ତ୍ରୟର ୬ଟି ତୁମ୍ବ ତିଆରି ହୋଇଥିବା ସୂଚନା ରହିଛି । ବିଶ୍ୱକର୍ମାଙ୍କ ଦାଗ ଅନୁସାରେ କରତି ସେବକମାନେ ଫାସୀ କାଠ କାଟୁଛନ୍ତି । ଉକ୍ତ କାଠକୁ ଭୋଇ ସେବକମାନେ ବୋହି ନେଇ ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି । ନିପୁଣ ବିଶ୍ୱକର୍ମାମାନେ ବାରିସି ଚଳାଇ ତୁମ୍ବ ସାଇଜ୍ କରୁଛନ୍ତି । ଏହାପରେ ଚକର ମଝି ଅଂଶ ତୁମ୍ବରେ ସୂତା ବାଡ଼ିଆ ହେବ । ଅର୍ଥାତ୍ ଦାଗ ଦିଆଯିବ । ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହେବ । ବିନ୍ଧରେ ଅର ଖଞ୍ଜାଯିବ । ସେଥିରେ ପହି ଯୋଡ଼ାଯାଇ ଚକ ତିଆରି ହେବ ।