ମୁମ୍ବାଇ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଆଜି ଖେଳାଯାଉଛି । ଏହି ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ତୃତୀୟ ମ୍ୟାଚ୍ ମୁମ୍ବାଇରେ ଖେଳାଯାଉଛି । ଗତ ଦୁଇଟି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପରାସ୍ତ ହୋଇଥିବା ବେଳେ ତୃତୀୟ ତଥା ଶେଷ ମ୍ୟାଚ୍‌ରେ କମବ୍ୟାକ୍‌ କରିଛି । ତୃତୀୟ ମ୍ୟାଚ୍‌ର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡକୁ ୨୩୫ ରନ୍‌ରେ ଅଲଆଉଟ୍‌ କରିଛି ଭାରତୀୟ ଦଳ । ସବୁଠୁ ଅଧିକ ଓ୍ବିକେଟ ନେଇଛନ୍ତି ରବୀନ୍ଦ୍ର ଜାଡେଜା । ସେ ୨୨ ଓଭରରେ ୬୫ ରନ୍‌ ଦେଇ ୫ ଓ୍ବିକେଟ ନେଇଛନ୍ତି । ଏହା ସହ ରବୀନ୍ଦ୍ର ଜାଡେଜା ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । 

ଜାଡେଜାଙ୍କ କମାଲ

ଭାରତୀୟ ଟିମ୍‌ ଲାଗି ଦୀର୍ଘ ବର୍ଷ ହେଲା ଟେଷ୍ଟ କ୍ରିକେଟ ଖେଳିଆସୁଛନ୍ତି ଜାଡେଜା । ତାଙ୍କର ଦମଦାର ବୋଲିଂ ପାଇଁ ଦଳ ଅନେକ ଥର ମ୍ୟାଚ୍‌ ଜିତିପାରିଛି । ଆଜି ୫ ଓ୍ବିକେଟ ନେଇଥିବା ଜାଡେଜା ଟେଷ୍ଟ କ୍ରିକେଟର ଖାସ ବୋଲର ତାଲିକାରେ ସାମିଲ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଓ୍ବିକେଟ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ରବୀନ୍ଦ୍ର ଜାଡେଜା । ସେ ମୋଟ ୩୧୪ଟି ଓ୍ବିକେଟ ନେଇଛନ୍ତି । ମୁମ୍ବାଇ ଟେଷ୍ଟ ପୂର୍ବରୁ ସେ ସପ୍ତମ ସ୍ଥାନରେ ଥିଲେ । ଆଜି ୫ଟି ଓ୍ବିକେଟ ନେବା ସହ ଜାଡେଜା ଇଶାନ୍ତ ଶର୍ମା ଏବଂ ଜାହିର ଖାନଙ୍କୁ ପଛରେ ପକାଇ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଇଶାନ୍ତ ଶର୍ମା ଏବଂ ଜାହିର ଖାନ ଟେଷ୍ଟ କ୍ରିକେଟରେ ୩୧୧ଟି ଲେଖାଏଁ ଓ୍ବିକେଟ ନେଇଥିଲେ । 

ଟେଷ୍ଟରେ ସବୁଠୁ ଅଧିକ ଓ୍ବିକେଟ ଟେକର

୧. ଅନୀଲ କୁମ୍ବଲେ- ୬୧୯ ଓ୍ବିକେଟ

୨. ଆର ଅଶ୍ବିନ-୫୩୩ ଓ୍ବିକେଟ

୩. କପିଳ ଦେବ- ୪୩୪ ଓ୍ବିକେଟ

୪. ହରଭଜନ ସିଂହ-୪୧୭ ଓ୍ବିକେଟ

୫. ରବୀନ୍ଦ୍ର ଜାଡେଜା- ୩୧୪ ଓ୍ବିକେଟ

ଜାଡେଜାଙ୍କ ଟେଷ୍ଟ କ୍ୟାରିୟର

ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ କ୍ୟାରିୟର ଉପରେ ନଜର ପକାଇଲେ, ଜଣେ ଅଲରାଉଣ୍ଡର ଭାବରେ ସେ ବହୁତ କମାଲ ପ୍ରଦର୍ଶନ କରିଛନ୍ତି । ୭୬ଟି ମ୍ୟାଚ୍‌ର ୧୪୪ ପାଳିରେ ୨୩.୯୬ ଆଭରେଜ୍‌ରେ ୩୧୪ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ୭୬ ମ୍ୟାଚ୍‌ର ୧୧୧ ପାଳିରେ ବ୍ୟାଟିଂ କରି ଜାଡେଜା ୩୫.୭୨ ଆଭରେଜ୍‌ରେ ୩୨୧୫ ରନ୍‌ କରିଛନ୍ତି । ଏହି ସମୟରେ ତାଙ୍କର ସବୁଠୁ ଭଲ ସ୍କୋର ଥିଲା ୧୭୫ ରନ୍‌ । ତେବେ ଟେଷ୍ଟ କ୍ରିକେଟରେ ରବୀନ୍ଦ୍ର ଜାଡେଜା ଭାରତୀୟ ଦଳ ପାଇଁ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି ।