ରାୟଗଡ଼ା ୧୦/୧୧: ସର୍ଭେକୁ ଏ ଭିତରେ ଦୀର୍ଘ  ୧୨ ବର୍ଷ ବିତିଯାଇଛି । ଆଜି ପର୍ଯ୍ୟନ୍ତ ବଜେଟ୍‌ରେ  ମଞ୍ଜୁର ହୋଇପାରୁନି ଅର୍ଥ ।ରେଳ ମନ୍ତ୍ରାଳୟ  ପାଖରେ ଅଟକିଛି ଫାଇଛି । ଏଥିଯୋଗୁ ଦୋ-ଛକିରେ ଝୁଲୁଛି ରାୟଗଡ଼ା-ଗୋପାଳପୁର ରେଳପଥ  ପ୍ରକଳ୍ପ । ରେଳ ବିଭାଗର ଦୃଷ୍ଟି ଆଢୁଆଳ ଥିବାରୁ  ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡ଼ୋଶୀ  କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାବାସୀଙ୍କ ଆର୍ଥିକ  ଅଭିବୃଦ୍ଧି ଓ ପ୍ରଗତି ହୋଇପାରୁନି ।   

ପଛୁଆ ଅଞ୍ଚଳ ଭାବେ ଜିଲ୍ଲାର ନାଁ ରହିଛି ।  ଗମନାଗମନ କ୍ଷେତ୍ରରେ ଏହା ବହୁ ପଛରେ ।  ରେଳବାଇ କ୍ଷେତ୍ରରେ ଜିଲ୍ଲାର ବିକାଶ ଯେତିକି  ହେବା କଥା ତାହା ହୋଇନାହିଁ । ଏଠାରେ ନୂଆ  ରେଳ ପ୍ରକଳ୍ପ ନିର୍ମାଣ ଦିଗରେ କୌଣସି ଯୋଜନା  ଠିକ୍‌ଭାବେ କାର୍ଯ୍ୟକାରୀ ହେଉନି । ରାୟଗଡ଼ା-ଗୋପାଳପୁର ରେଳ ପ୍ରକଳ୍ପରେ ଏହାର ତୀବ୍ର  ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହା ହେଉଛି ଏକ  ବଡ଼ ପ୍ରକଳ୍ପ । ଏଠାରୁ ଗୋପାଳପୁର ବନ୍ଦରକୁ  ରେଳପଥ ସଂଯୋଗ କରିବା ଲାଗି ୨୦୦୬- ୦୭ରେ ରାୟଗଡ଼ା-ଗୋପାଳପୁର ପ୍ରକଳ୍ପ ପାଇଁ  ରେଳବାଇ ବୋର୍ଡରୁ ମଞ୍ଜୁରି ମିଳିଥିଲା । ୨୮୫  କିଲୋମିଟର ଲମ୍ବ ଏହି ରେଳପଥରେ ୨୫ଟି  ଷ୍ଟେସନ ନିର୍ମାଣ ଲାଗି ନିଷ୍ପତ୍ତି ନିଆଯାଇଥିଲା ।  ଏହାପରେ ୨୦୧୧-୧୨ ଆର୍ଥିକ ବର୍ଷରେ  ସର୍ଭେ କରାଯାଇଥିଲା । ୨୦୧୫ ଜାନୁୟାରୀ ୧୯  ତାରିଖରେ ରେଳବାଇ ବୋର୍ଡକୁ ଭୁବନେଶ୍ୱର  ଡେପୁଟି ଚିଫ୍‌ ଇଞ୍ଜିନିୟର କାର୍ଯ୍ୟାଳୟ ପକ୍ଷରୁ  ସର୍ଭେ ରିପୋର୍ଟ ପଠାଯାଇଥିଲା । 

ଏହି ପ୍ରକଳ୍ପ  ଲାଗି ୧୧ ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ  ହେବ ବୋଲି ସେତେବେଳେ ରିପୋର୍ଟରେ  ଦର୍ଶାଯାଇଥିଲା । ବର୍ତ୍ତମାନ ଏହି ଖର୍ଚ୍ଚର ପରିମାଣ  ଦୁଇଗୁଣ ହେବ । ଏହି ରେଳପଥରେ ଯେଉଁ  ଷ୍ଟେସନଗୁଡ଼ିକ ନିର୍ମାଣ ହେବ ସେଗୁଡ଼ିକ ହେଲା  ଗୁମୁଡ଼ା, କୁରୁପୁଙ୍କା, ମେରିଗୁଡ଼ା, ଗାତଲାଭଦ୍ରା,  ଗୁଣପୁର, ଚିନ୍ତଲାଗୁଡ଼ା, ଚାଲଖମ୍ବା, ପଦ୍ମପୁର  ଏବଂ ଗଜପତି ଜିଲ୍ଲାର ନୂଆଗଡ଼, ଲେଡ଼ିଗୁଡ଼ା,  ଅନ୍ତରବା, ଚାନ୍ଦିପୁଟ ଓ ଗୁମ୍ଫା ଏବଂ ଗଞ୍ଜାମ  ଜିଲ୍ଲାର ଭୀଷ୍ମଗିରି, ଦିଗପହଣ୍ଡି, ବାଲିପଡ଼ା,  ଗୁଲୁଣ୍ଠି, ଜଗନ୍ନାଥପୁର ଓ ଗୋପାଳପୁର ।   ଏହି ପ୍ରକଳ୍ପ ନିର୍ମାଣ ହେଲେ ମାଲ୍‌ ଓ ଯାତ୍ରୀ  ପରିବହନ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ  ଘଟିବ । ରାୟଗଡ଼ା ଜିଲ୍ଲାରେ ରହିଛି ଉତ୍କଳ  ଆଲୁମିନା ଓ ଜେକେ କାଗଜକଳ ସମେତ  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ବେଦାନ୍ତ ଆଲୁମିନା,  କୋରାପୁଟର ନବରତ୍ନ କମ୍ପାନି ନାଲ୍‌କୋ ଏବଂ  ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌(ହାଲ)  ଭଳି ବହୁ କାରଖାନା । 

ଏସବୁ କାରଖାନାକୁ  ମାଲ୍‌ ପରିବହନର ମୁଖ୍ୟ ଜଙ୍କସନ ପାଲଟିଛି  ରାୟଗଡ଼ା । ରାଜସ୍ୱ ଆଦାୟ କ୍ଷେତ୍ରରେ "ସି'  କାଟାଗୋରିରେ ରହିଛି ଏହି ଅଞ୍ଚଳ । ତେଣୁ  ରେଳ ବିଭାଗ ଏଭଳି ଏକ ଗୁରୁତ୍ୱପୂର୍ଣ ପ୍ରକଳ୍ପ  ପ୍ରତି ଦୃଷ୍ଟି ଦେଲେ ଆଦିବାସୀ ଅଧ୍ୟୁଷିତ  ରାୟଗଡ଼ା ସମେତ କୋରାପୁଟ, ମାଲକାନଗିରି,  ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର  ଲୋକେ ବେଶ୍‌ ଉପକୃତ ହୋଇପାରିବେ । ଏଥିସହ  ଏସବୁ ଜିଲ୍ଲାଗୁଡ଼ିକ ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରଗତି  ହୋଇପାରିବ । ଏବେ ଦେଖିବାର କଥା, ଆଉ  କେତେ ବର୍ଷ ପରେ ରେଳ ବିଭାଗର ଶୁଭଦୃଷ୍ଟି  ଏହି ପ୍ରକଳ୍ପ ଉପରେ ପଡୁଛି । ଆଉ କେବେ ଏସୁବ  ଜିଲ୍ଲାର ଭାଗ୍ୟ ପରିବର୍ତ୍ତନ ହେଉଛି