ନୂଆଦିଲ୍ଲୀ,୦୭/୦୪: ନୂଆ  ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର ପ୍ରଥମ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ  ସୋମବାର ଠାରୁ ଆରମ୍ଭ ହେଉଛି । ଏହି  ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ୦.୨୫%  ସୁଧହାର ହ୍ରାସ କରିପାରେ ବୋଲି  ଅନୁମାନ କରାଯାଉଛି । ଏହା ହେଲେ ଆଗାମୀ ଦିନରେ ଋଣ ଶସ୍ତା ହେବ । ୯ ଏପ୍ରିଲ ସକାଳ ୧୦ରେ ଆର୍‌ବିଆଇ  ଗଭର୍ଣ୍ଣର ସଞ୍ଚୟ ମାଲହୋତ୍ରା ଏମ୍‌ପିସି  ବୈଠକ ସମ୍ପର୍କରେ ସୂଚନା ଦେବେ ।

ମୁଦ୍ରାନୀତି କମିଟିରେ ୬ ସଦସ୍ୟ  ରହିଥିବା ବେଳେ ୩ ଜଣ ଆର୍‌ବିଆଇ  ଏବଂ ଅନ୍ୟ ୩ ଜଣଙ୍କୁ କେନ୍ଦ୍ର ସରକାର  ନିଯୁକ୍ତ କରିଥାନ୍ତି । ଆର୍ଥିକ ବର୍ଷ ୨୦୨୪- ୨୫ର ଶେଷ ଏମ୍‌ପିସି ବୈଠକରେ  ଆର୍‌ବିଆଇ ରେପୋ ରେଟ୍‌ରେ ୦.୨୫%  ହ୍ରାସ କରିଥିଲା । ଫେବ୍ରୁଆରିରେ ହୋଇଥିବା ଏହି ବୈଠକରେ ସୁଧହାର  ୬.୫୦%ରୁ ୬.୨୫%କୁ ଖସିଥିଲା ।  ଦୀର୍ଘ ୫ ବର୍ଷ ପରେ ସୁଧହାରରେ  ଏଭଳି ପରିବର୍ତ୍ତନ ହୋଇଥିଲା ।  ରେପୋ ରେଟ୍‌ କମିଲେ ବ୍ୟାଙ୍କଗୁଡ଼ିକ  ବାସଗୃହ ଏବଂ ଅଟୋମୋବାଇଲ ଭଳି  ଋଣ କ୍ଷେତ୍ରରେ ସୁଧ କମାଇଥାନ୍ତି । ଋଣ ଶସ୍ତା ହେବା ସହ ଇଏମ୍‌ଆଇ ମଧ୍ୟ  କମିଥାଏ । ବାସଗୃହ ଚାହିଦା ବଢ଼ିବା  ସହ ରିୟଲ ଇଷ୍ଟେଟ ନିବେଶ ବଢ଼ିଥାଏ ।