ନୂଆଦିଲ୍ଲୀ; ୫/୧ - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଜାତୀୟ ଉର୍ଦ୍ଦୁ ଭାଷା ବିକାଶ ପରିଷଦ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଖୁତବାତ୍-ଏ-ମୋଦୀ’କୁ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ୱାଧୀନତା ଦିବସ ଅଭିଭାଷଣ ଗୁଡ଼ିକର ଏକ ସଂକଳନ । ପୁସ୍ତକ ଉନ୍ମୋଚନ ଅବସରରେ ଧର୍ମେନ୍ଦ୍ର କହିଛନ୍ତି କି, ଏହି ପୁସ୍ତକଟି ନାଗରିକମାନଙ୍କୁ ଦେଶର ଆଶା, ଆକାଂକ୍ଷା ଏବଂ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ବିଚାରଧାରା ସହିତ ଯୋଡ଼ିବାରେ ଏକ ସେତୁ ସଦୃଶ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସ୍ଥାନ ପାଉଥିବା ଅନ୍ତ୍ୟୋଦୟ, ଗରିବ କଲ୍ୟାଣ, ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା ଯୋଜନା ସମେତ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଏହି ପୁସ୍ତକ ମାଧ୍ୟମରେ ପାଠକମାନଙ୍କ ନିକଟରେ ପହଞ୍ଚିପାରିବ ।
ଏହି ପୁସ୍ତକ ଦେଶର ପ୍ରତ୍ୟେକ ଲାଇବ୍ରେରୀରେ ପହଞ୍ଚିବା ଉଚିତ, ଯଦ୍ୱାରା ସମାଜରେ ‘ବିକଶିତ ଭାରତ’ର ଲକ୍ଷ୍ୟକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇପାରିବ । ଭାରତର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଏବଂ ଜ୍ଞାନ ପରମ୍ପରାକୁ ଉର୍ଦ୍ଦୁ ଭାଷାରେ ଅଧିକରୁ ଅଧିକ ପ୍ରକାଶ କରିବା ପାଇଁ ଧର୍ମେନ୍ଦେ୍ର ଜାତୀୟ ଉର୍ଦ୍ଦୁ ଭାଷା ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି । ‘ଖୁତବାତ୍-ଏ-ମୋଦୀ’ ଭଳି ଏକ ପ୍ରଶଂସନୀୟ ପୁସ୍ତକର ପ୍ରକାଶନ ପାଇଁ ସେ ପରିଷଦକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।