ଭୁବନେଶ୍ଵର, ୧୪/୧୨ : ବ୍ୟସ୍ତବହୁଳ ଜୀବନଶୈଳୀ, ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଉଚ୍ଚ ରକ୍ତଚାପକୁ ଜନ୍ମ ଦେଉଛି କହିଲେ ଭୁଲ ହେବନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ମୋଟ ଉଚ୍ଚ ରକ୍ତଚାପ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଭାରତରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ଉଚ୍ଚ ରକ୍ତଚାପ ଆକ୍ରାନ୍ତ ଥାଇ ମଧ୍ୟ ଏହାର ଭୟାବହତା ବିଷୟରେ ଅବଗତ ନଥାନ୍ତି । ହୃତ୍ପିଣ୍ଡର ସଂକୋଚନ-ପ୍ରସାରଣ ଦ୍ୱାରା ଆମ ଶରୀରର ବିଭିନ୍ନ ଅଙ୍ଗକୁ ଧମନୀ ମଧ୍ୟ ଦେଇ ରକ୍ତ ପ୍ରବାହିତ ହୋଇଥାଏ । ହୃତ୍ପିଣ୍ଡର ସଂକୋଚନ ସମୟରେ ଅନୁଭୂତ ଚାପକୁ ସିସ୍ଟୋଲିକ୍ ଏବଂ ହୃତ୍ପିଣ୍ଡର ପ୍ରସାରଣ ସମୟରେ ଅନୁଭୂତ ଚାପକୁ ଡାୟସ୍ଟୋଲିକ୍ ରକ୍ତଚାପ କୁହାଯାଏ । ସିସ୍ଟୋଲିକ୍ ରକ୍ତଚାପ ୧୪୦ କିମ୍ବା ତା’ଠାରୁ ଅଧିକ ଏବଂ ଡାୟସ୍ଟୋଲିକ୍ ରକ୍ତଚାପ ୯୦ କିମ୍ବା ତା’ଠାରୁ ଅଧିକ ହୋଇଥିଲେ ଏହାକୁ ଉଚ୍ଚ ରକ୍ତଚାପ ବୋଲି କୁହାଯାଇଥାଏ ।
� କାରଣ
ଅତ୍ୟଧିକ ଲୁଣଯୁକ୍ତ ଖାଦ୍ୟ ସେବନ, ମୋଟା ହେବା, ମଦ୍ୟପାନ, ଧୂମପାନ, ଅତ୍ୟଧିକ ମାନସିକ ଚାପ ତଥା ବୟସ ବୃଦ୍ଧି ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ହୋଇଥାଏ । ତା’ଛଡ଼ା କମ୍ ଶାରୀରିକ ପରିଶ୍ରମ, କମ୍ ମାତ୍ରାରେ କ୍ୟାଲ୍ସିୟମ୍ ଏବଂ ପୋଟାସିୟମ୍ ଯୁକ୍ତ ଖାଦ୍ୟ ଗ୍ରହଣ, ଅତ୍ୟଧିକ ପାମ୍ପଡ଼, ମିକ୍ସଚର ଆଦି ଛଣା ଖାଦ୍ୟ ଖାଇବା ଏବଂ ଫାଷ୍ଟଫୁଡ୍ ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ । ସେଥିଲାଗି ଆଜିକାଲି କମ୍ ବୟସର ଯୁବକମାନେ ମଧ୍ୟ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି ।
� ଲକ୍ଷଣ
ସାଧାରଣ ଭାବେ ଅଧିକାଂଶ ରକ୍ତଚାପ ପୀଡ଼ିତଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥାଏ । ତେଣୁ ଉଚ୍ଚ ରକ୍ତଚାପକୁ ନିରବ ଘାତକ କୁହାଯାଏ । ଏହା ସୁପ୍ତ ଭାବରେ ଶରୀରର ବିଭିନ୍ନ ମୁଖ୍ୟ ଅଙ୍ଗଗୁଡିକର କ୍ଷତି କରିଥାଏ । ଶେଷ ଅବସ୍ଥାରେ ଯେଉଁ ସବୁ ଲକ୍ଷଣ ଦେଖାଯାଏ ସେଗୁଡିକ ହେଲା- ଅତ୍ୟଧିକ ମୁଣ୍ଡବିନ୍ଧା, ନାକରୁ ରକ୍ତ ପଡ଼ିବା, ମୁଣ୍ଡ ବୁଲାଇବା, ଅଯଥାରେ ଚିଡ଼ିଚିଡ଼ି ହେବା ଇତ୍ୟାଦି । କ୍ରମାଗତ ଓ ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପ ଯୋଗୁଁ ହୃଦ୍ଘାତ, ମସ୍ତିଷ୍କରେ ରକ୍ତସ୍ରାବ ହୋଇ ପକ୍ଷାଘାତ ଓ ବୃକ୍କ ଅକାମୀ ହୋଇଯାଇଥାଏ । ବେଳେ ବେଳେ ରୋଗୀ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିଥାଏ ।
� ଉଚ୍ଚ ରକ୍ତଚାପ
ଜାଣିବେ କିପରି ଉଚ୍ଚ ରକ୍ତଚାପ ଅଛି କି ନାହିଁ ଜାଣିବାକୁ ଗୋଟିଏ ଦିନରେ ବିଭିନ୍ନ ସମୟରେ ତିନିଥର ରକ୍ତଚାପ ମପାଯାଇଥାଏ । ଯଦି ଏହା ବାରମ୍ବାର ୧୪୦/୯୦ ମିମି ପାରଦରୁ ଅଧିକ ହୋଇଥାଏ, ସେହି ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡ଼ିତ । ୩୦ ବର୍ଷରୁ କମ୍ ବୟସର ବ୍ୟକ୍ତିମାନେ ସେମାନଙ୍କର ରକ୍ତଚାପକୁ ନିୟମିତ ଯାଞ୍ଚ କରାଇବା ଆବଶ୍ୟକ । ଆରମ୍ଭରୁ ଚିକିତ୍ସା କରାଯାଇ ପାରିଲେ ଅନେକ ଜୀବନ ବଞ୍ଚିପାରିବ । ଯଦି ପରିବାରର ଅନ୍ୟ କୌଣସି ବ୍ୟକ୍ତି ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥାଥାନ୍ତି, ପରପିଢ଼ିର ଲୋକମାନେ ରକ୍ତଚାପ ନିଶ୍ଚିତ ଭାବରେ ଯାଞ୍ଚ କରାଇନେବା ଉଚିତ ।
� ଚିକିତ୍ସା, ନିରାକରଣ
ଜୀବନଶୈଳୀରେ ପରିବର୍ତ୍ତନ ଓ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ହିଁ ଏହି ରୋଗର ଅମୋଘ ଅସ୍ତ୍ର । ଦିନକୁ ୬ ଗ୍ରାମ୍ରୁ ଅଧିକ ଲୁଣ ଖାଇବା ଅନୁଚିତ । ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃପକ୍ଷେ ୧୫୦ ମିନିଟ୍ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ଏଥିପାଇଁ ପ୍ରତିଦିନ ୩୦ରୁ ୪୫ ମିନିଟ୍ କ୍ଷିପ୍ର ଗତିରେ ସପ୍ତାହରେ ଅତିକମ୍ରେ ୫ଦିନ ଚାଲିବା ଆବଶ୍ୟକ । ମଦ୍ୟପାନ ଓ ଧୂମପାନଠାରୁ ନିଜକୁ ଦୂରେଇ ରଖିବା ଉଚିତ । ନିୟମିତ ସବୁଜ ପନିପରିବା ଓ ଫଳ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ଏହାଛଡ଼ା ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ ଗଣମାଧ୍ୟମରୁ ଯଥା ସମ୍ଭବ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରିବେ । ପ୍ରଦୂଷଣ ତଥା ଆଧୁନିକ ଜୀବନଶୈଳୀ ଓ ରାତି ଅନିଦ୍ରା ରହି କାମ କରିବାଠାରୁ ଦୂରେଇ ରହିବେ ।
ପ୍ରଫେସର ଡା. ପ୍ରଦୀପ କୁମାର ମହାନ୍ତି ଅଧ୍ୟକ୍ଷ ଭିମ୍ସାର୍, ବୁର୍ଲା