ନୂଆଦିଲ୍ଲୀ,୦୨/୦୮: କର୍ଣ୍ଣାଟକ ମାଙ୍ଗାଲୁରୁର ରେମୋନା ଏବେଟ୍‌ ପେରିଆ ଜଣେ ଯୁବତୀ  ଏବେ ଚର୍ଚ୍ଚାରେ । ୧୭୦ ଘଣ୍ଟା ଧରି ଭାରତନାଟ୍ୟମ ନୃତ୍ୟ କରି ସେ ‘ଗୋଲ୍ଡେନ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ’ରେ ସ୍ଥାନ ହାସଲ କରିଛନ୍ତି । ତାଙ୍କର ଏହି ନୃତ୍ୟ ପ୍ରଦର୍ଶନର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ରେମୋନା ମାଙ୍ଗାଲୁରୁର ସେଣ୍ଟ୍‌ ଏଲୋୟସିୟସ୍‌ କଲେଜରେ ବିଏ ତୃତୀୟ ବର୍ଷର ଛାତ୍ରୀ । 

ଜୁଲାଇ ୨୧ ତାରିଖରେ ସେହି କଲେଜର ଏକ ହଲ୍‌ରେ ରେକର୍ଡ ଉଦ୍ଦେଶ୍ୟରେ ରେମୋନାଙ୍କର ଏହି ଭାରତନାଟ୍ୟମ ନୃତ୍ୟ ଆରମ୍ଭ ହୋଇଥିଲା । ଏକ ସପ୍ତାହ ପରେ ଜୁଲାଇ ୨୮ରେ ତାହା ସରିଥିଲା । ଏହି ଅବଧି ସମୟରେ ସେ ମୋଟ ୧୭୦ ଘଣ୍ଟା ନୃତ୍ୟ କରିଥିଲେ । ପ୍ରତି ୩ ଘଣ୍ଟାରେ ମାତ୍ର ୧୫ ମିନିଟ୍‌ର ବ୍ରେକ୍‌ ନେଇଥିଲେ । ନୃତ୍ୟ ପ୍ରଦର୍ଶନ ଶେଷ ହେବା ପରେ ଗୋଲ୍ଡେନ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସର ମୁଖ୍ୟ ମନୀଷ ବିଷ୍ଣୋଇ ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ରେମୋନାଙ୍କ ପୂର୍ବରୁ ସବୁଠୁ ଦୀର୍ଘ ସମୟ ଧରି ଭାରତନାଟ୍ୟମ ନୃତ୍ୟ କରିବାର ରେକର୍ଡ ସୁଧୀର ଜଗତାପଙ୍କ ନାମରେ ଥିଲା । ସେ ୧୨୭ ଘଣ୍ଟା ଧରି ନୃତ୍ୟ କରିଥିଲେ । ତାଙ୍କଠାରୁ ଆଉ ୪୦ ଘଣ୍ଟା ଅଧିକ ନୃତ୍ୟ କରି ରେମୋନା ଏହି ରେକର୍ଡ କରିଛନ୍ତି । ଏହାପୂର୍ବରୁ ରେମୋନା ୨୦୨୩ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିଲେ । ସେ ମାତ୍ର ୩ ବର୍ଷ ବୟସରୁ ନୃତ୍ୟୁ କରୁଥିବା ତାଙ୍କର ଗୁରୁ ଶ୍ରୀବିଦ୍ୟା ମୂରଲୀଧର କହିଛନ୍ତି ।