ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ସରକାର ରୋଷେଇ ଗ୍ୟାସକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ନୂଆ ନିର୍ଦେଶ ଜାରି କରିଛନ୍ତି। ଏହା ଅନୁସାରେ, ଯେଉଁ ଅଞ୍ଚଳରେ ପାଇପଡ୍ ନାଚୁରାଲ ଗ୍ୟାସ୍ ଅର୍ଥାତ ପିଏନଜିର ସୁବିଧା ରହିଛି, ସେଠାରେ ଲୋକ ଯଦି ଏଲପିଜିରୁ ପିଏନଜିକୁ ସ୍ବିଚ୍ ନକରନ୍ତି ତେବେ ତାଙ୍କର ଏଲପିଜି ସପ୍ଲାଇ ବନ୍ଦ କରି ଦିଆଯିବ। ସରକାରଙ୍କ କହିବା ଅନୁସାରେ, ଏହି ପଦକ୍ଷେପ ଦ୍ବାରା ଦେଶରେ ଗ୍ୟାସ୍ ନେଟଓ୍ବର୍କ ଦୃତ ଗତିରେ ବଢୁଥିବା ଓ ଗୋଟିଏ ଇନ୍ଧନ ଉପରେ ନିର୍ଭରତାକୁ କମ୍ କରିବାକୁ ନିଆଯାଇଛି।
ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ କାରଣରୁ ଏଲପିଜି ସପ୍ଲାଇ ଉପରେ ପ୍ରଭାବ ପଡିଛି। ଯାହାଫଳରେ ଦେଶରେ ଏହାର ଅଭାବ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସରକାର ଏବେ ଲୋକଙ୍କୁ ପିଏନ୍ଜି ଗ୍ରହଣ କରିବାକୁ କହୁଛନ୍ତି, ଯାହାକି ପାଇପ ଜରିଆରେ ସିଧା ଘରକୁ ଲଗାତାର ମିଳିଥାଏ ଓ ସିଲିଣ୍ଡର ବୁକ୍ କରିବାର ମଧ୍ୟ ଚିନ୍ତା ରହିବନି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ବାରା ଜାରି ନିୟମ ଅନୁସାରେ, ଯଦି କେହି ଘରେ ପିଏନ୍ଜି ଥିବା ପରେ ବି ତିନି ମାସ ଭିତରେ କନେକ୍ସନ ନିଆଯାଏ ନାହିଁ, ତେବେ ଏଲପିଜି ସପ୍ଲାଇ ମଧ୍ୟ ବନ୍ଦ କରି ଦିଆଯିବ।
ସରକାରଙ୍କ ଏହି ନିଷ୍ପତ୍ତି ପଛର ମୁଖ୍ୟ ଉଦେଶ୍ୟ ହେଉଛି ଗ୍ୟାସ୍ ସପ୍ଲାଇ ସିଷ୍ଟମକୁ ଅଧିକ ସନ୍ତୁଳିତ ଓ ମଜବୁତ କରିବା। ଯେଉଁ ଅଞ୍ଚଳରେ ପିଏନ୍ଜି ସୁବିଧା ପୂର୍ବରୁ ରହିଛି,ସେଠାରେ ଏଲପିଜି ଉପଯୋଗ କମ୍ କରି ସେହି ଗ୍ୟାସକୁ ସେହି କ୍ଷେତ୍ର ପର୍ଯ୍ୟନ୍ତ ପହଁଞ୍ଚା ଯାଏ ଯେଉଁଠି ଏବେ ପାଇପଲାଇନ୍ ନେଟଓ୍ବର୍କ ନାହିଁ। ଏହା ସହ ସରକାର ‘ଫୁଏଲଡାଇଭର୍ସିଫିକେସନ୍’କୁ ପ୍ରୋତ୍ସାହନ ଦେବାକୁ ଚାହାନ୍ତି। ଫଳରେ ଦେଶରେ କୌଣସି ଗୋଟିଏ ସୋର୍ସ ଉପରେ ନିର୍ଭର କରିବାକୁ ପଡିବନି।
ସରକାର ପାଇପଡ୍ ନାଚୁରାଲ ଗ୍ୟାସ୍(ପିଏନ୍ଜି) ନେଟଓ୍ବାର୍କ ଦ୍ରୁତ ଗତିରେ ବ୍ୟାପିବାର ନିୟମକୁ ଖୁବ୍ ସହଜ କରିଛି। ଏବେ ପାଇପଲାଇନ୍ ବିଛାଇବା ପାଇଁ ଜରୁରୀ ମଞ୍ଜୁରିକୁ ସରଳ କରି ଦିଆଯାଇଛି ଓ ଅଲଗା ଅଲଗା ସ୍ଥାନରେ ଲାଗୁଥିବା ଚାର୍ଜେସକୁ ଷ୍ଟାଣ୍ଡାର୍ଡ କରାଯାଇଛି। ଫଳରେ କମ୍ପାନୀକୁ ଅନାବଶ୍ୟକୀୟ ବିଳମ୍ବ କିମ୍ବା ଅତିରିକ୍ତ ଖର୍ଚ୍ଚର ସାମନା କରିବାକୁ ପଡିବନି। ସବୁଠାରୁ ବଡ଼ ପରିବର୍ତ୍ତନ ଏହା ଯେ, ଯଦି ନିର୍ଦ୍ଧାରିତ ସମୟସୀମା ଭିତରେ କୌଣସି ସରକାରୀ ବିଭାଗ ଅନୁମତି ନଦିଏ,ତେବେ ତାକୁ ମଞ୍ଜୁରୀ ବୋଲି ମାନି ନିଆଯିବ।