ଭୁବନେଶ୍ଵର, ୧୭/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ଵ ଦେଇଆସିଛନ୍ତି । ନିରନ୍ତର ପ୍ରୟାସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ବାବଧାନରେ ଏଥର ଓଡ଼ିଶାରେ ଏଆଇ ସମ୍ମିଳନୀ ୨୦୨୫ ଅନୁଷ୍ଠିତ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି । ମନ୍ତ୍ରୀ ଏଆଇର ମୂଳ ସିଦ୍ଧାନ୍ତ ତିନୋଟି ସୂତ୍ର ଏବଂ ସାତଟି ଚକ୍ର ବିଷୟରେ ସମ୍ବୋଧିତ କରି କହିଥିଲେ ଯେ, ଫେବୃଆରୀ ମାସରେ ଭାରତ ଇମ୍ପାକ୍ଟ ଏଆଇ ସମ୍ମିଳନୀ ହେବା ପୂର୍ବରୁ ୮ ଟି ରାଜ୍ୟରେ ଆଞ୍ଚଳିକ ଇମ୍ପାକ୍ଟ ଏଆଇ ସମ୍ମିଳନୀ ଅନୁଷ୍ଠିତ ହେବ । ମଧ୍ୟପ୍ରଦେଶ, କେରଳ, ଗୁଜୁରାଟ, ରାଜସ୍ଥାନ, ମେଘାଳୟ, ଉତ୍ତର ପ୍ରଦେଶ, ତେଲେଙ୍ଗାନା ସହ ଓଡ଼ିଶାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ତେଣୁ ଓଡ଼ିଶାକୁ ଭାରତରେ କୁତ୍ରିମ ବୁଦ୍ଧିମତ୍ତା ହବ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭିଜନରେ ଗୁରୁତ୍ଵ ଦେଇଛନ୍ତି । ଓଡ଼ିଶା ଓଡ଼ିଆ ଅସ୍ମିତାକୁ ପ୍ରାଧ୍ୟାନ୍ୟ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ କୁତ୍ରିମ ବୁଦ୍ଧିମତାରେ ଭାଷା ଦାନ କାର୍ଯ୍ୟକ୍ରମ କରାଯିବ ଯେଉଁଥିରେ ଓଡ଼ିଆ ଲେଖାକୁ ସରଳ ଭାବେ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରାଯିବ ବୋଲି ସେ କହିଥିଲେ ।
ଏହି ଅବସରରେ ସେ କହିଥିଲେ ଯେ, ଓଡ଼ିଶା ଆଗାମୀ ଭବିଷ୍ୟତ ନିମନ୍ତେ ପ୍ରଯୁକ୍ତିଭିତ୍ତିକ ଅଭିବୃଦ୍ଧି ପାଇଁ ଏକ ଆଭିମୁଖ୍ୟ ଗ୍ରହଣ କରୁଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଆଇ ନୀତି ୨୦୨୫ ସହିତ, ଫିନଟେକ୍, ଗ୍ଲୋବାଲ କାପାବିଲିଟି ସେଣ୍ଟର ଏବଂ ଉନ୍ନତ ଇଲେକ୍ଟ୍ରୋନିକ୍ସ ପାଇଁ ପ୍ରଗତିଶୀଳ ନୀତି ସହିତ ଜନସଂଖ୍ୟା ପରିମାପ ଏଆଇ ଗ୍ରହଣ ପାଇଁ ଏକ ସ୍ପଷ୍ଟ, ଦାୟିତ୍ୱବାନ ଏବଂ ନିବେଶକ-ଅନୁକୂଳ ଢାଞ୍ଚା ନିର୍ମାଣ କରାଯାଉଛି । ସେହିପରି ଏଆଇ ନିମନ୍ତେ ୨୦କୋଟି ଟଙ୍କାର ବଜେଟ ପ୍ରାବଧାନ ମଧ୍ୟ ରାଜ୍ୟ ତରଫରୁ କରାଯାଇଛି । ଏଆଇ ଦ୍ୱାରା ଉତ୍କର୍ଷ ଓଡିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ସ୍ବପ୍ନ ସଫଳ ହୋଇପାରିବ ବୋଲି ମନ୍ତ୍ରୀ ଉଦବୋଧନ ଦେଇଛନ୍ତି।
ଆଜି ଲୋକସଭା ଭବନ ସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ଆଗାମୀ ୧୯ ରୁ ୨୦ଡିସେମ୍ବର ପର୍ଯ୍ୟନ୍ତ ଓଡ଼ିଶା ଏଆଇ (କୁତ୍ରିମ ବୁଦ୍ଧିମତ୍ତା) ସମ୍ମିଳନୀ ୨୦୨୫ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଡ. ମୁକେଶ ମହାଲିଙ୍ଗ, ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ସ୍ଵତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ । ସ୍ଵତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ସ୍ଵାଗତ ଭାଷଣ ଦେଇଥିବାବେଳେ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ସମ୍ମିଳନୀର ଉଦ୍ଦେଶ୍ୟ ବାବଦରେ ସମ୍ବୋଧନ କରିଥିଲେ ।