ଆନନ୍ଦପୁର, ୨୫/୦୭ : ଭେଳା ବୁଡ଼ାଇଲା ଲଘୁଚାପ ବର୍ଷା। ଶହ ଶହ ଏକର ଧାନ ତଳି ନଷ୍ଟ। ରୁଆ ପୋତା ହେବ କେମିତି ? ଖାଇବୁ କଣ, ବଞ୍ଚିବୁ କେମିତି ? ଚିନ୍ତାରେ ଚାଷୀ... ଚଳିତ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦୁଇ ଦୁଇଟି ଲଘୁଚାପଜନିତ ବର୍ଷା ପ୍ରଭାବରେ ଦୀର୍ଘ ୧୦ ଦିନରୁ ଅଧିକ ସମୟ ଧରି ବର୍ଷା ଲାଗିରହିଛି। ଫଳରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି। 

ଚଳିତ ବର୍ଷ ରାଜ୍ୟରେ ବିଳମ୍ବିତ ମୌସୁମୀ ବର୍ଷା ପାଇଁ ଖରିପ୍ ଧାନ ଚାଷ ପଛାଇ ଯାଇଥିଲା। କିଛି ଚାଷୀ ନିଜ ଉଦ୍ୟମରେ ପାଣି ବ୍ୟବସ୍ଥା କରି ତଳି ପକାଇବା ଆରମ୍ଭ କରିଥିଲେ । ସେହି ସମୟରେ ହଠାତ୍ ଲଘୁଚାପ ବର୍ଷା ୫ ଦିନ ଲାଗି ର‌ହିବା ଯୋଗୁ ବିଲରେ ପାଣି ଜମିଯିବା ଫଳରେ ତଳି ନଷ୍ଟ ହେବା ଅବସ୍ଥାକୁ ଆସି ଯାଇଥିଲା। ହେଲେ ବର୍ଷା ଛାଡ଼ିଯିବାରୁ ଚାଷୀମାନଙ୍କୁ ଆଶ୍ଵସ୍ତି ମିଳିଥିଲା। ଆଉ କିଛି ଚାଷୀ ପୁଣି ଥରେ ତଳି ପକାଇଥିଲେ। ମାତ୍ର ତଳି ପକାଇବାର ୨ ରୁ ୩ ଦିନ ପରେ ପୁଣି ଲଘୁଚାପ ବର୍ଷା ଆରମ୍ଭ ହୋଇଛି। ୪ ଦିନ ଧରି ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧୁଛି। ଚାଷ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡ଼ି ମାରୁଛି। ଧାନ ତଳିକୁ ରକ୍ଷା କରିବାକୁ ଯେତେ ଛାଟିପିଟି ହେଲେ ବି ବର୍ଷା ବାଧକ ସାଜୁଛି। ଆଖି ଆଗରେ ବର୍ଷକର ଦାନା ପାଣି ନଷ୍ଟ ହେଉଥିବା ଦେଖି ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। 

ଆହୁରି ପଢନ୍ତୁ- Suna Besha crowd : ସୁନାବେଶ ପାଇଁ ଅସମ୍ଭାଳ ଭିଡ଼, ପିପିଲିରୁ ମାଳତୀପାଟପୁର ଯାଏଁ ଘୁଞ୍ଚୁନି ଗାଡି...