ନୂଆଦିଲ୍ଲୀ,୦୮/୦୪: କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ୫ କେଜି ଯୁକ୍ତ ଫ୍ରୀ ଟ୍ରେଡ୍ ଏଲ୍ପିଜି(ଏଫ୍ଟିଏଲ୍) ସିଲିଣ୍ଡରଗୁଡ଼ିକର ଦୈନିକ କୋଟାକୁ ଦୁଇ ଗୁଣା କରିଦେଇଛନ୍ତି । ବର୍ଦ୍ଧିତ କୋଟା ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସଂରକ୍ଷିତ ରହିବ । ସରକାର ମାର୍ଚ୍ଚ ୨-୩ର ହାରାହାରି ବିକ୍ରି ଆଧାରରେ ୫ କେଜି ଏଲ୍ପିଜି ସିଲିଣ୍ଡରର ଅତିରିକ୍ତ ଯୋଗାଣର ନିଷ୍ପତ୍ତି ନେଇଛନ୍ତି, ଯାହା ପୂର୍ବରୁ ଧାର୍ଯ୍ୟ ୨୦% ସୀମାଠାରୁ ଭିନ୍ନ ହେବ । ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଏଲ୍ପିଜି ଯୋଗାଣ ପ୍ରଭାବିତ ହୋଇଛି ।

ଏଥିପାଇଁ ପ୍ରବାସୀ ଶ୍ରମିକ ଏବଂ କମ୍ ଆୟକାରୀ ବର୍ଗଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ଦିନକ ପୂର୍ବରୁ ହିଁ ୫ କେଜି ଏଲ୍ପିଜି ସିଲିଣ୍ଡରର ବିକ୍ରି ନିୟମକୁ ସହଜ କରିଥିଲେ । ଏବେ କୌଣସି ବ୍ୟକ୍ତି ବିନା କୌଣସି ଆଡ୍ରେସ ପ୍ରୁଫ୍ରେ ଗ୍ୟାସ୍ ସିଲିଣ୍ଡର କିଣିପାରିବେ । ଏହି ସିଲିଣ୍ଡର କିଣିବା ପାଇଁ କୌଣସି ସିକ୍ୟୁରିଟି ରାଶି ପ୍ରଦାନ କରିବାର ଆବଶ୍ୟକତା ନାହିଁ । ପେଟ୍ରୋଲିୟମ ମନ୍ତ୍ରାଳୟ ଅନୁସାରେ, ଏ ପଦକ୍ଷେପ ପ୍ରବାସୀ ଶ୍ରମିକ ଏବଂ ଉକ୍ତ ବ୍ୟକ୍ତିମାନଙ୍କ ପାଇଁ ନିଆଯାଇଛି, ଯେଉଁମାନଙ୍କ ପାଖରେ ସହରରେ କୌଣସି ସ୍ଥାୟୀ ଠିକଣା ନାହିଁ । ଏବେ ଗ୍ରାହକଙ୍କୁ ପ୍ରାଧୀକୃତ ବିତରକଙ୍କ ପାଖକୁ ଯାଇ କେବଳ ନିଜର କୌଣସି ଏକ ଫଟୋ-ପରିଚୟପତ୍ର ଦେଖାଇବାକୁ ପଡ଼ିବ ଏବଂ ଏହା ପରେ ତାଙ୍କୁ ତୁରନ୍ତ ସିଲିଣ୍ଡର ମିଳିଯିବ ।

ଆହୁରି ପଢନ୍ତୁ-ସମସ୍ୟା ବଳୟରେ ବିମାନ ଶିଳ୍ପ, କମ୍ପାନିଗୁଡ଼ିକରୁ ବଡ଼ ମୁଣ୍ଡିଆଙ୍କ ଏକ୍ଜିଟ୍

ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ୫ କିଲୋ ସିଲିଣ୍ଡର ପାଇଁ ଏବେ ଗୁଡ଼ାଏ କାଗଜପତ୍ରର ଆବଶ୍ୟକତା ନାହିଁ । ଗ୍ରାହକ ଆଧାର କାର୍ଡ, ପାନ୍ କାର୍ଡ ଏବଂ ଭୋଟର ଆଇଡି ଭଳି ଦସ୍ତାବିଜ ଦେଖାଇ ସିଲିଣ୍ଡର ନେଇପାରିବେ । ବର୍ଷରେ ଯେତେ ଥର ଚାହିଁବେ ଏହାକୁ ରିଫିଲ୍ କରିପାରିବେ । ପ୍ରକାଶଯୋଗ୍ୟ, ମଧ୍ୟପ୍ରାଚ୍ୟରେ ବଢୁଥିବା ଅଶାନ୍ତି ଯୋଗୁ ଶକ୍ତି ପରିବହନ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଛୋଟ ସିଲିଣ୍ଡରର ଉପଲବ୍ଧତା ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ତଥ୍ୟ ଅନୁସାରେ, ମାର୍ଚ୍ଚ ୨୩ରୁ ଏଯାବତ ପ୍ରାୟ ୬.୬ ଲକ୍ଷ ଛୋଟ ସିଲିଣ୍ଡର ବିକ୍ରି ହୋଇସାରିଛି । କେବଳ ଏପ୍ରିଲ ୪ରେ ୯୦,୦୦୦ ୟୁନିଟ୍ ବିକ୍ରି ହୋଇଛି । ଅଧିକାରୀମାନଙ୍କ କହିବାନୁସାରେ, ବିତରକଙ୍କ ପାଖରେ ଷ୍ଟକ୍ର କୌଣସି ଅଭାବ ନାହିଁ ।