ନୂଆଦିଲ୍ଲୀ,୨୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଆରମ୍ଭ ହେବା ପୂର୍ବରୁ ବିଫଳ ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୮ ଘଣ୍ଟାର ବିମାନ ଯାତ୍ରା କରିବାକୁ ଅକ୍ଷମତା ଦର୍ଶାଇ ଆମେରିକୀୟ ପ୍ରତିନିଧିମଣ୍ଡଳର ପାକିସ୍ତାନ ଗସ୍ତ ବାତିଲ କରିଥିବାବେଳେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ପାକିସ୍ତାନର ବରିଷ୍ଠ ସାମରିକ ଏବଂ ସରକାରୀ ଅଧିକାରୀଙ୍କ ସହ ସାକ୍ଷାତ କରିବା ପରେ ଇସଲାମାବାଦ ଗସ୍ତ ଶେଷ କରିଛନ୍ତି। ଏହି ସମୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କହିଛନ୍ତି, ଯେପର୍ଯ୍ୟନ୍ତ ଇରାନ ବନ୍ଦରଗୁଡିକ ଉପରେ ଅବରୋଧ ଜାରି ରହିବ ସେପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ।ହର୍ମୁଜ୍ ଉପରେ ଆମେରିକା ଏବଂ ଇରାନର ଆଭିମୁଖ୍ୟ ବିଫଳ ହେଉଥିବା ପରି ମନେ ହେଉଛି। ଏହି ଉତ୍ତେଜନା ମଧ୍ୟରେ, ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି, ପ୍ରତି ବ୍ୟାରେଲ ମୂଲ୍ୟ ୧୦୫ ଡଲାର ଉପରେ କାରବାର ହେଉଛି। ସେପଟେ ଶାନ୍ତି ଆଲୋଚନା ବାରମ୍ବାର ବିଫଳ ହେଉଛି।

ଇରାନ ଆର୍ଥିକ ଏବଂ ଲଜିଷ୍ଟିକ୍ ସମ୍ପର୍କିତ କଟକଣା ଲାଗୁ ରହିବା ପର୍ଯ୍ୟନ୍ତ ଆମେରିକା ସହିତ ନୂତନ ଆଲୋଚନା କରିବାକୁ ମନା କରିଦେଇଛି। ରିପୋର୍ଟ ଅନୁସାରେ, ମାସୁଦ ପେଜେସ୍କିଆନ ସ୍ପଷ୍ଟ ଭାବରେ କହିଛନ୍ତି ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକାର ଅବରୋଧ ହଟା ନଯିବା ପର୍ଯ୍ୟନ୍ତ ତେହେରାନ ଆଲୋଚନା ଟେବୁଲକୁ ଫେରିବ ନାହିଁ।ଇରାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପେଜେଶକିୟାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ଫୋନ୍‌ରେ ଆଲୋଚନା ବେଳେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆମେରିକା ସହିତ କୌଣସି ନୂତନ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବା ପୂର୍ବରୁ, ଏହାକୁ ଅବରୋଧ ସମେତ କଟକଣା ଉଠାଇବାକୁ ପଡିବ।

ରିପୋର୍ଟ ଅନୁଯାୟୀ, ଇରାନ ନେତୃତ୍ୱ ମଧ୍ୟରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏବଂ ଏକ ଗୁପ୍ତ ଚିଠି ବିଷୟରେ ଟ୍ରମ୍ପଙ୍କ ସାମ୍ପ୍ରତିକ ଦାବି ତେହେରାନରେ ଉତ୍ତେଜନାକୁ ବୃଦ୍ଧି କରିଛି। ଟ୍ରମ୍ପ କହିଛନ୍ତି ଯେ ଇରାନର ନେତୃତ୍ୱ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଲାଗି ରହିଛି। ଏଥିପାଇଁ କିଏ ଦାୟୀ ସେ ନିଜେ ବି ଜାଣିନାହାଁନ୍ତି । ମୋଜତାବା ଖାମେନେଇଙ୍କୁ ଲେଖାଯାଇଥିବା ଏକ ଚିଠିରେ ଇରାନର ଆର୍ଥିକ ପରିସ୍ଥିତିକୁ ଭୟଙ୍କର ଏବଂ ଅସହ୍ୟ ବୋଲି ବର୍ଣ୍ଣନା କରାଯାଇଛି, ଯେଉଁଥିରେ ଅଧିକାରୀ ଙ୍କୁ ପରମାଣୁ ପ୍ରସଙ୍ଗରେ ଆମେରିକା ସହିତ ଆଲୋଚନାକୁ ଗମ୍ଭୀରତାର ସହ ବିଚାର କରିବାକୁ ଅନୁରୋଧ କରାଯାଇଛି।

ଏଥିରୁ ଏହା ସଙ୍କେତ ମିଳୁଛି ଯେ ଫେବୃଆରୀ ଶେଷ ଭାଗରେ ଆମେରିକା ଏବଂ ଇସ୍ରାଏଲ ସହିତ ଆରମ୍ଭ ହୋଇଥିବା ସଂଘର୍ଷ ପରେ ବଢ଼ୁଥିବା ଆର୍ଥିକ ଚାପ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ଦେଶର ସ୍ଥିତି ପ୍ରତି ଚିନ୍ତିତ। ଏହି ଚିଠିରେ ମହମ୍ମଦ ବାଘେର ଗାଲିବାଫ, ପେଜେଶକିୟାନ, ଆରାଘଚି ଏବଂ ମୋସ୍ତଫା ପୁର୍ମୋହମାଦିଙ୍କ ସମେତ ଅନେକ ଟପ୍ ଲିଡର ସ୍ୱାକ୍ଷର କରିଥିବା ମଧ୍ୟ ଜଣାପଡ଼ିଛି। ଚିଠିଟିକୁ ସମ୍ପୂର୍ଣ୍ଣ ଗୋପନୀୟ ରଖିବାକୁ ପ୍ରୟାସ କରାଯାଇଥିଲା, କିନ୍ତୁ ଏହା ବାହାରେ ପ୍ରସାରିତ ହୋଇଥିବା ଜଣାପଡ଼ିଛି।