ଭୁବନେଶ୍ୱର,୨୫/୦୧: ଦିନକପରେ ସାଧାରଣତନ୍ତ୍ର ଦିବସ । ସେଥିପାଇଁ ରାଜଧାନୀର ରାସ୍ତାକଡ଼, ବଜାର, ହାଟ, ସୋ ରୁମ୍ଗୁଡ଼ିକରେ ସଜେଇ ହେଲାଣି ତ୍ରିରଙ୍ଗାର । ପତାକା, ବ୍ୟାଜ୍, ଝାଲେରି, ପେନ୍‌ଷ୍ଟାଣ୍ଡ, ଶାଢି, ବ୍ୟାଣ୍ଡ୍ ଭଳି ସାମଗ୍ରୀ ଦୋକାନରେ ଖୁନ୍ଦି ହୋଇଯାଇଛି । କିଏ ଜାତୀୟ ପତାକା କିଣୁଛନ୍ତି ତ କିଏ ଜାତୀୟ ପତାକା ରଙ୍ଗ ଥିବା ଓଢଣୀ । ଦେଶର ଏହି ପର୍ବକୁ ପାଳିବା ପାଇଁ ସମସ୍ତଙ୍କ ମନରେ ଭରିଗଲାଣି ଉତ୍ସାହ, ଉତ୍କଣ୍ଠା । ସେଥପାଇଁ ପୂରା ରାଜଧାନୀ ତ୍ରିରଙ୍ଗାମୟ ହୋଇଗଲାଣି ।

ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବ ଆଣୁଥିବା ଏହି ପର୍ବକୁ ପାଳିବା ପାଇଁ ରାଜଧାନୀବାସୀ କିଣାକିଣି ପର୍ବ ଆରମ୍ଭ କରିଦେଇଛନ୍ତି । ଚଳିତବର୍ଷ ଦୋକାନରେ ପିଲାମାନଙ୍କ ନିମନ୍ତେ ଛୋଟ ଏବଂ ସୁନ୍ଦର ସାମଗ୍ରୀ ଆସିଛି । ଯେଉଁଥିରେ ରହିଛି ଛୋଟ ହେଡ୍‌କ୍ଲିପ୍, ବ୍ୟାଣ୍ଡ୍, ବ୍ୟାଜ୍, ରଙ୍ଗୀନ୍ କଲମ, ଛୋଟ ପତାକା, ପେନ୍ ଷ୍ଟାଣ୍ଡ୍, ଟୋପି, ହାତ ବ୍ୟାଣ୍ଡ୍, ବେଲୁନ, ଚକ୍ରି । ଯାହାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ବିଶେଷକରି ୫ବର୍ଷ ରୁ ୧୦ ବର୍ଷର ଛୋଟ ପିଲାମାନଙ୍କ ପାଇଁ ଧଳାରଙ୍ଗର କୁର୍ତ୍ତା, ଧୋତି ପ୍ୟାଣ୍ଟ ସହିତ ତ୍ରିରଙ୍ଗା ଓଢଣୀ ସେଟ୍କରି ଦୋକାନୀ ରଖୁଛନ୍ତି । ଯାହାର ମୂଲ୍ୟ ସାଢେ ୫ଶହ ଟଙ୍କାରୁ ଆରମ୍ଭ ହୋଇଯାଉଛି । ଏହାବାଦ୍ ମହିଳାମାନଙ୍କ ପାଇଁ ବଜାରକୁ ଆସିଛି ତ୍ରିରଙ୍ଗା ଶାଢି, କୁର୍ତ୍ତି ଓଢଣୀ ଏବଂ ଅଳଙ୍କାର । ଯାହାକୁ କିଣିବା ପାଇଁ ସେମାନଙ୍କ ଭିତରେ ଦେଖାଯାଉଛି ବେଶ୍ ଆଗ୍ରହ । ଏହାବାଦ୍ ସ୍କୁଲ ପିଲାମାନେ ମଧ୍ୟ ସେମାନଙ୍କ ଅଭିଭାବକଙ୍କ ସହିତ ବଜାରକୁ ଆସି ସାଧାରଣତନ୍ତ୍ର ଦିବସ ନିମନ୍ତେ କିଣାକିଣି କରୁଛନ୍ତି । ଜାତୀୟ ପତାକା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ ଶରତ କୁହନ୍ତି, ଦିନକ ପରେ ଉତ୍ସବ । ନିଜ ନିଜ ଅନୁଯାୟୀ ସମସ୍ତେ ସାମଗ୍ରୀ କିଣୁଛନ୍ତି । ବିଶେଷକରି ସ୍କୁଲ ପିଲାମାନଙ୍କ ଭିତରେ ଏହି ସାମଗ୍ରୀ କିଣିବା ପାଇଁ ଅଧିକ ଆଗ୍ରହ ରହୁଛି ।

ଆହୁରି ପଢ଼ନ୍ତୁ: - ସାଧାରଣତନ୍ତ୍ର ଦିବସ ୨୦୨୬: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ