ନୂଆଦିଲ୍ଲୀ,୨୪/୦୯: ପ୍ରଥମ ଟାରିଫ୍ ଓ ପରେ ଏଚ-୧ବି ଭିସାକୁ ନେଇ ଭାରତ ଓ ଆମେରିକା ସମ୍ପର୍କରେ ତିକ୍ତତା ଆସିଛି । ଏବେ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିର ନେତାଙ୍କ ବିବାଦୀୟ ବୟାନ ଦେଇଛନ୍ତି । ତାହା ପୁଣି ଭଗବାନ ହନୁମାନଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି । ରିପବ୍ଲିକାନ ପାର୍ଟିର ନେତା ଆଲେକଜାଣ୍ଡର ଡଙ୍କନ ହନୁମାନଙ୍କ ପ୍ରତିମା ଉପରେ ବିବାଦୀୟ ବୟାନ କହିଛନ୍ତି ହନୁମାନ ମିଛ ଭଗବାନ । ଡଙ୍କନଙ୍କ ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଏକ୍ସରେ ଡଙ୍କନ ଲେଖିଛନ୍ତି, ''ଆମେ ଟେକ୍ସାସରେ ଏକ ମିଛ ଭଗବାନଙ୍କ ମୂର୍ତ୍ତି କାହିଁକି ଲଗାଇବାକୁ ଦେବୁ । ଆମେ ଏକ ଖ୍ରୀଷ୍ଟଆନ ଦେଶ । ତେଣୁ ଟେକ୍ସାସରେ ଜଣେ ହିନ୍ଦୁ ମିଥ୍ୟା ଭଗବାନଙ୍କ ମୂର୍ତ୍ତି ପ୍ରତିଷ୍ଠା ପାଇଁ କାହିଁକି ଅନୁମତି ଦେବୁ ।'' ଭଗବାନ ହନୁମାନଙ୍କୁ ନେଇ ଡଙ୍କନଙ୍କ ବୟାନକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ହିନ୍ଦୁ ଆମେରିକାନ ଫାଉଣ୍ଡେସନ (ଏଚ୍‌ଏଏଫ୍‌) ତାଙ୍କ ବୟାନକୁ ବିରୋଧ କରିବା ସହ ତାଙ୍କୁ ହିନ୍ଦୁ ବିରୋଧୀ କହିଛନ୍ତି । ସେହିପରି ଅନ୍ୟ ସଙ୍ଗଠନ ମଧ୍ୟ ଏହାକୁ ଧାର୍ମିକ ଆସ୍ଥା ଉପରେ ଆକ୍ରମଣ କହି ଡଙ୍କନ କ୍ଷମା ମାଗନ୍ତୁ ବୋଲି କହିଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ହିନ୍ଦୁ ଆମେରିକାନ ଫାଉଣ୍ଡେସନ ।

କହି ରଖୁଛୁ କି, ଆମେରିକାର ଟେକ୍ସାସ ରାଜ୍ୟର ସୁଗାର ଲ୍ୟାଣ୍ଡରେ ଥିବା ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିରରେ ହନୁମାନଙ୍କ ୯୦ ଫୁଟ ଉଚ୍ଚର ବ୍ରୋଞ୍ଜ ମୂର୍ତ୍ତି ରହିଛି । ତାହାକୁ ‘ଷ୍ଟାଚ୍ୟୁ ଅଫ୍‌ ୟୁନିୟନ’ ବି କୁହାଯାଏ । ଏହା ଭାରତ ବାହାରେ ଥିବା ହନୁମାନଙ୍କ ସବୁଠୁ ଉଚ୍ଚ ମୂର୍ତ୍ତି । ଏହାର ଓଜନ ୯୦ ଟନ୍‌ । ୫ ଧାତୁର ମିଶ୍ରଣରେ ଏହାକୁ ବନାଯାଇଛି । ମୂର୍ତ୍ତିରେ ହନୁମାନ ଅଭୟ ମୂଦ୍ରାରେ ହାତ ଆଗକୁ କରି ଗଦା ଧରି ଛିଡ଼ା ହୋଇଥିବା ଦେଖାଯାଇଛି । ପଦ୍ମ ପାଖୁଡ଼ା ଉପରେ ଏହି ମୂର୍ତ୍ତି ବିରାଜମାନ । ୨୦୨୪ରେ ଅଗଷ୍ଟ ୧୫ରୁ ୧୮ ପର୍ଯ୍ୟନ୍ତ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହ ହୋଇଥିଲା । ଆଲେକଜାଣ୍ଡର ଡଙ୍କନ ପୁଲିସ ବିଭାଗରେ ୧୩ ବର୍ଷ ଧରି କାମ କରିଛନ୍ତି । ସେ ଟେକ୍ସାସରୁ ଆମେରିକା ସିନେଟ ପାଇଁ ୨୦୨୬ ପ୍ରାଇମେରୀ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି । ସେ ସିନ୍‌ ଜନ୍‌ କର୍ନିନ ଏବଂ ଆଟର୍ଣ୍ଣି ଜେନରାଲ କେନ୍‌ ପ୍ୟାକ୍ସଟନଙ୍କ ଭଳି ରିପବ୍ଲିକାନ ନେତାଙ୍କ ସହ ତାଙ୍କର ମୁକାବିଲା ହେବ ।