ଝାରପୋଖରିଆ, ୧୫/୫ : ଝାରପୋଖରିଆ ଥାନା ଅନ୍ତର୍ଗତ ରାଇବଣି ଗ୍ରାମରେ ଆଜି ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘରଠାରୁ ଦୂରରେ ସ୍ବାମୀ –ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ଉକ୍ତ ଗ୍ରାମର କାଳିପଦ ଭକ୍ତା(୫୦) ଓ ସ୍ତ୍ରୀ ସୋମବାରୀ ବୋଲି ଜଣାପଡ଼ିଛି । ଏ ନେଇ ମୃତକଙ୍କ ପୁଅ ଦୀପୁ ଭକ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ଥାନାରେ କେଶ ନମ୍ବର ୧୨୬/୨୫ରେ ଏକ ମାମଲା ରୁଜୁ ହୋଇଛି ।
ଅଭିଯୋଗ ଅନୁସାରେ ଦୀପୁ ଶୋଇଥିବାବେଳେ ବାଡ଼ିକୁ କାଠ ଗୋଟାଇବାକୁ ଯାଇଥିବାବେଳେ ତାଙ୍କ ସମ୍ପର୍କୀୟ ଭଉଣୀଙ୍କଠାରୁ ତାଙ୍କ ବାପା କାଳିପଦଙ୍କ ମୃତ ଦେହ ବାଡ଼ିର ପିଜୁଳି ଗଛରେ ଝୁଲୁଥିବା ନେଇ ସୂଚନାପାଇ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପକ୍ଷରେ ଅଳ୍ପ କିଛି ଦୂରରେ ତାଙ୍କ ମା’ଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ସହ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ତଦନ୍ତ ସାରିବା ସହ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥ ପିଆରଏମ ମେଡ଼ିକାଲକୁ ପଠାଇଛି । ଘଟଣାସ୍ଥଳରୁ ପୋଲିସ ଏକ ରକ୍ତଛିଟା ଲାଗିଥିବା ଶାବଳ ଉଦ୍ଧାର କରିଥିବା ଜଣାପଡ଼ିଛି । ତେବେ ପ୍ରାଥମିକ ତଦନ୍ତରୁ ଉଭୟ ଦମ୍ପତ୍ତିଙ୍କ ମୃତ୍ୟୁ ବାବଦରେ କାରଣ ସ୍ପଷ୍ଟ ହୋଇନଥିବା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ସୂଚନା ଦେବା ସହିତ ବ୍ୟବଚ୍ଛେଦ ରିପୋର୍ଟ ପରେ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ।